Latest Odisha News

BREAKING NEWS

ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ଆରଏସପି ଓ ଏନଆଇଟି ମଧ୍ଯରେ ଏମଓୟୁ

ସୁନ୍ଦରଗଡ: ଟେକ୍ନୋଲୋଜି ଦ୍ୱାରା କିଛି ନୂଆ କରିବା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ତାଲିମ ସହିତ ଦକ୍ଷତା ବିକାଶ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ରାଉରକେଲା ମଧ୍ୟରେ ଏକ ବୁଝାମଣାପତ୍ର ବା ଏମଓୟୁ ସ୍ୱାକ୍ଷରିତ ହୋଇଛି।

ରାଉରକେଲା ଏନଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଏବଂ ରାଉରକେଲା ଆରଏସପିର ଶ୍ରୀଯୁକ୍ତ ଏସ ଆର ସୂର୍ଯ୍ୟବଂଶୀ ଉଭୟ ଏହି ଏମଓୟୁରେ ହସ୍ତାକ୍ଷର କରିବା ସହିତ ଖୁସିବ୍ୟକ୍ତ କରିଛନ୍ତି। ଏହି ଅବସରରେ ଆଏସପିର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଏନ୍ଆଇଟିର ରେଜିଷ୍ଟ୍ରାର ଓ ପ୍ରଫେସରମାନେ ଉପସ୍ଥିତ ଥିଲେ।

ସୂର୍ଯ୍ୟବଂଶୀ କହିଛନ୍ତି, ଏହି ଏମଓୟୁ ଦ୍ୱାରା ଆରଏସପି ଏନଆଇଟିର ବିଭିନ୍ନ ପ୍ରତିଭା ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ବ୍ୟବହାର କରିପାରିବ ଏବଂ ଏନଆଇଟି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆହ୍ୱାନମୂଳକ ସମସ୍ୟା ଉପରେ କାମ କରିବାକୁ ସୁଯୋଗ ମିଳିବ। ଏହି ଉଦ୍ୟୋଗ-ଶିକ୍ଷାନୁଷ୍ଠାନ ସହଯୋଗ ଉଭୟ ପ୍ରତିଷ୍ଠିତ ସଂସ୍ଥାନର ପ୍ରଗତି ପାଇଁ ଏକ ନିର୍ଦ୍ଧାରଣକାରୀ ମୁହୂର୍ତ୍ତ ହେବ ଏବଂ ଡିଜିଟାଲ ଇଣ୍ଡିଆର ପରିକଳ୍ପନାରେ ଏହା ଉଲ୍ଲେଖନୀୟ ଯୋଗଦାନ ହେବ।

ସେହିପରି ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି, ଯଦିଓ ଆରଏସପି ଏବଂ ଏନଆଇଟିରେ ପୂର୍ବରୁ ଅନେକ ପ୍ରକଳ୍ପର ସହଯୋଗୀ ରହିଛନ୍ତି, କିନ୍ତୁ ଏହି ନୂଆ ଭାଗିଦାରୀ ଗବେଷଣାକୁ ଆଗକୁ ବଢ଼ାଇବା ଏବଂ ଏକ କୁଶଳୀ ଶ୍ରମଶକ୍ତି ସୃଷ୍ଟି କରିବାରେ ସହାୟକ ହେବ। ଏହି ଏମଓୟୁ ଦ୍ୱାରା ଗବେଷଣା ଓ ନବସୃଜନ କ୍ଷେତ୍ରରେ ବଡ଼ ସଫଳତା ମିଳିବ ଏବଂ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଏମଓୟୁର ଉଦ୍ଦେଶ୍ୟ ହେଉଛି ମିଳିତ ଗବେଷଣା ଓ ବିକାଶ ପ୍ରକଳ୍ପକୁ ଆଗକୁ ନେବା ଯାହାଦ୍ୱାରା ପ୍ରକାଶନ, ପେଟେଣ୍ଟ, କପିରାଇଟ ଇତ୍ୟାଦି ହୋଇପାରିବ। ଏହି ବୁଝାମଣାପତ୍ରର ଅନ୍ୟ ଏକ ପ୍ରମୁଖ ଦିଗ ହେଉଛି ରାଉରକେଲା ଏନ୍ଆଇଟିରେ ଏକ ଅତ୍ୟାଧୁନିକ ପିସିବି (ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ) ପରୀକ୍ଷଣ ସୁବିଧା ପ୍ରତିଷ୍ଠା କରାଯିବ, ଯାହା ଆରଏସପିର ପାରିପାଶ୍ୱିର୍କ ଅଞ୍ଚଳ ଏବଂ ପ୍ରତ୍ୟକ୍ଷ ପ୍ରଭାବ କ୍ଷେତ୍ରର ସ୍ଥାନୀୟ ଅବହେଳିତ ଯୁବକମାନଙ୍କ ପାଇଁ ତାଲିମ ଏବଂ ଦକ୍ଷତା ବିକାଶରେ ବ୍ୟବହୃତ ହେବ, ଯାହାଫଳରେ ସେମାନଙ୍କୁ ନିଯୁକ୍ତିର ଉତ୍ତମ ସୁଯୋଗ ମିଳିପାରିବ।

 

 

Leave A Reply

Your email address will not be published.