Latest Odisha News

BREAKING NEWS

ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଷ୍ଟିଲ ମେଲ୍ଟିଂ ସପ କନଭର୍ଟର ଏକଦିବସୀୟ ବ୍ଳୋଇଙ୍ଗରେ ଜାତୀୟ ରେକର୍ଡ ହାସଲ

ରାଉରକେଲା: ସେଲର ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଜୁଲାଇ ୨ ତାରିଖରେ ଷ୍ଟିଲ ମେଲ୍ଟିଂ ସପ-୨ର ଗୋଟିଏ କନଭର୍ଟରରେ ୪୮ ଟି ବ୍ଲୋ ସମ୍ପନ୍ନ କରି ଏକ ଜାତୀୟ ରେକର୍ଡ ସ୍ଥାପନା କରିଛି। ବିଭିନ୍ନ ବିଭାଗ ମଧ୍ୟରେ ଉତ୍କୃଷ୍ଟ ସମନ୍ଵୟ ଓ ପ୍ରତ୍ୟେକଙ୍କର ଉଲ୍ଲେଖନୀୟ ଯୋଗଦାନ ଯୋଗୁଁ ଏହି ଅନନ୍ୟ ସଫଳତା ହାସଲ ହୋଇପାରିଛି ।

ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗ ଏଥିନିମନ୍ତେ ସଠିକ ମାନ ଓ ପରିମାଣର ଉତ୍ତପ୍ତ ଧାତୁ ଯୋଗାଇ ଦେଇଥିବାବେଳେ ଟ୍ରାଫିକ ଓ କଞ୍ଚାମାଲ ବିଭାଗ, ପିପିସି, କାଲସାଇନିଙ୍ଗ ପ୍ଳାଣ୍ଟ, ଅକ୍ସିଜେନ ପ୍ଳାଣ୍ଟ, ମେଟେରିଆଲ ରିକଭରୀ ବିଭାଗ, ଆର ଆଣ୍ଡ ସି ଲାବୋରେଟୋରୀ, ରିଫ୍ରାକ୍ଟୋରି ଇଞ୍ଜିନିୟରିଂ ସର୍ଭିସେସ, ଇନଷ୍ଟୃମେଣ୍ଟେସନ ଆଣ୍ଡ ଅଟୋମେସନ ଏବଂ ଅନ୍ୟ ବହୁ ସେବା ବିଭାଗ ସମତାଳରେ କାର‌୍ୟ୍ୟ କରିବା ସହିତ ସୂଚାରୁ ରୂପେ ସମୟୋପଚିତ ସେବା ଯୋଗାଇଦେଇ ଉକ୍ତ ସଫଳତାର କର୍ଣ୍ଣଧାର ସାଜିଥିଲେ।

ଉଲ୍ଲେଖନୀୟଯେ, ଉକ୍ତ ଦିନ ଇସ୍ପାତ କାରଖାନା ଅନ୍ୟ ଏକ ବେଞ୍ଚମାର୍କ ସ୍ଥାପନା କରିଥିଲା। ଏହାର ୫ ନମ୍ବର ହଟ ମେଟାଲ ଟର୍ପେଡୋ ଲାଡେଲ ନିଜର ୨୩୩୧ ଲାଇନିଙ୍ଗ ଲାଇଫ ପୂର୍ବ ରେକର୍ଡକୁ ଅତିକ୍ରମ କରିଥିଲା। ଏହି ଟର୍ପେଡୋ ଲାଡେଲ ଏବେ ମଧ୍ୟ ସେବାରେ ରହିଛି ଏବଂ ଉତ୍କର୍ଷତାର ନୂତନ ଶିଖର ଛୁଇଁବା ନିମନ୍ତେ ପ୍ରସ୍ତୁତ ରହିଛି ।

ଆରଏସପିର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ ଜୁଲାଇ ୩ ତାରିଖରେ ଉଭୟ ଷ୍ଟିଲ ମେଲ୍ଟିଂ ସପ-୨ ଓ ଲାଡେଲ ରିପେୟାର ସପ ପରିଦର୍ଶନ କରିବା ସହିତ ସାମୁଦାୟିକଙ୍କୁ ଏହି ବିପୁଳ ସଫଳତା ହାସଲ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ତାଙ୍କ ସହିତ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପି କେ ଦାସ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ରାଜ ବୀର ସିଂହ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଡ଼ି କେ ମହାପାତ୍ର, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପଙ୍କଜ କୁମାର, ବହୁ ମୁଖ୍ୟ ମହାପ୍ରବନ୍ଧକ ଏବଂ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.