Latest Odisha News

BREAKING NEWS

ସାଇମା

ସାଇମା

ସଂଘମିତ୍ରା ରଥ

ପାହାଡ଼ ତଳର ଗୋଟେ ଗାଁ ! ନୂଆନୂଆ ନିଶ ଉଠୁଥିବା ନାଦିରର କାମ ଥିଲା ଘୋଡ଼ାରେ ପର୍ଯ୍ୟଟକଙ୍କୁ ନେଇ ପାହାଡ଼ ଉପରେ ବୁଲାଇବା । ବିଭିନ୍ନ ଉପତ୍ୟକା, ଜଳପ୍ରପାତ, ହ୍ରଦ ଆଦି ଦେଖେଇ ପର୍ଯ୍ୟଟକଙ୍କୁ ସନ୍ତୁଷ୍ଟ କରିବା । ଏଇ ଛୋଟିଆ ପାହାଡ଼ିଆ ପର୍ଯ୍ୟଟନସ୍ଥଳୀରେ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ । ସେଥିପାଇଁ ନାଦିର୍ ସହଜରେ ଗୋଟିଏ ଘୋଡ଼ାମାଲିକ ପାଖରେ ଚାକିରି ପାଇଥିଲା । ପ୍ରତିଦିନ ଥରଟିଏ ତା ଘୋଡ଼ାର ପାଳି ପଡ଼ିଥାଏ । ଥରଟିଏ ପର୍ଯ୍ୟଟକଙ୍କୁ ନେଇ ବୁଲେଇ ଆଣିଲେ ତାର ଦିନକର କାମ ଶେଷ । କିନ୍ତୁ ପ୍ରକୃତରେ ତା କାମ ସେଇଠି ସରେନି । ସେ ଆଉଜଣଙ୍କ କାମ ବି କରେ । ସେ ହେଉଛି ରେହମାନ୍ ଚାଚା । ପାହାଡ ଉପରେ ଘର; ଟିକିଏ ବୟସ ଅଧିକ ବୋଲି ରେହମାନ୍ ଚାଚା କାମକୁ ଟିକେ ପାରୁ ନଥିଲେ । ସେଥିପାଇଁ ନାଦିର୍ ନିଜ କାମ ସାରିଲେ ରେହମାନ୍ ଚାଚାଙ୍କ ଘୋଡ଼ାରେ ପର୍ଯ୍ୟଟକଙ୍କୁ ବୁଲେଇ ନେବା ପାଇଁ ଚାଲିଯାଏ । ଅସଲ କଥାଟା ହେଲା, ରେହମାନ୍ ଚାଚାଙ୍କ ଝିଅ ସାଇମା ହିଁ ନାଦୀରକୁ ଟାଣିନିଏ । ସାଇମାକୁ ଟିକେ ଦେଖିବା ପାଇଁ, ତା ସହ ପଦେ କଥା ହେବା ପାଇଁ ନାଦିର କିଛି ବି କରିବାକୁ ତୟାର ଥାଏ ।

ହଁ ସାଇମା ! କଳକଳ ଛଳଛଳ ପାହାଡ଼ି ଝରଣାଟିଏ । ଘୋଡ଼ାନେଇ ନାଦିର୍ ଯିବାବେଳେ ସାଇମା ତାର ମେଣ୍ଢାପଲଙ୍କୁ ଜଗି ବସିଥାଏ ଉପତ୍ୟକାରେ । ନାଦିର୍ ଭାବେ ତା ଜୀବନଠୁ ବି କଷ୍ଟକର ଏଇ ସାଇମାର ଜୀବନ । ପାହାଡ଼ର ନିର୍ଜନ ଇଲାକାରେ କେବଳ ମେଣ୍ଢାପଲଙ୍କୁ ଚରେଇ ତାର ଦିନଟି କଟେ । ସେ ସ୍ୱପ୍ନ ଦେଖେ! ନିକାହ କରି ସାଇମାକୁ ନେଇଯିବ ସେ ପାହାଡ଼ ତଳକୁ; ତା ଘରକୁ ।

ନାଦିରର ପାହାଡ ତଳ ଗାଁରେ ଏବେ ଆଧୁନିକତାର ଛିଟା ପଡ଼ିଲାଣି । ସହଜ ହେଲାଣି ଜୀବନ । ପାହାଡ ଉପରକୁ ଗଲାବେଳେ ଅନେକ କଥା ସେ ସାଇମାକୁ କହେ । ଅତିଥି ପର୍ଯ୍ୟଟକସବୁ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବାବେଳେ ସାଇମା ଆଉ ନାଦିର୍ ହଜିଯାଆନ୍ତି ଭବିଷ୍ୟତର ଏକ ସୁନ୍ଦର ସ୍ୱପ୍ନ ଭିତରେ ।

କିଛି କିଛି ବକ୍ସିସ୍ ଦେଇଯାନ୍ତି ବିଦେଶୀ ପର୍ଯ୍ୟଟକ ନାଦିର୍ ହାତରେ । ଦରମାକୁ ସଂଚୟ କରି ରଖୁଥିବା ନାଦିର୍ ସେଇ ବକ୍ସିସ୍ ଟଙ୍କାରେ ସାଇମା ପାଇଁ କିଣେ ସୁନ୍ଦର ସୁନ୍ଦର ଛୋଟମୋଟ ଉପହାର । ଘୋଡ଼ା ନେଇ ଫେରିଲାବେଳେ ଚୁପକିନା ସେସବୁ ଦେଇଆସେ ସାଇମାକୁ ।

ଯୁବତୀ ସାଇମା । ଭଲପାଇବା କଣ ଜାଣିଲା ଯେତେବେଳେ ସେ ନାଦିରକୁ ଚିହ୍ନିଲା । ସାଇମାର ଅବୁ ଅମି ମଧ୍ୟ ନାଦିର୍ ସହ ନିକାହ ପାଇଁ ରାଜି । କେବଳ ନାଦିର୍ ଘୋଡ଼ାଟିଏ କିଣି ନିଜେ ଘୋଡ଼ାମାଲିକ ହେଇଯିବା ଯାଏ ଅପେକ୍ଷା ଥିଲା ।

ଦିନେ ହଠାତ କୁଆଡ଼ୁ ଉଡ଼ି ଆସିଲେ ଜଣେ ଗୋରା ସାହେବ । ସାଥିରେ ଗୋରୀ ମେମ୍ । ବେଶ୍‍ କିଛିଦିନ ରହିବେ । ପାହାଡ଼ରେ ବୁଲିବେ, ପ୍ରକୃତିକୁ ଉପଭୋଗ କରିବେ । ପାହାଡ଼ ତଳି ଛୋଟ ସହରରେ ଠିକ୍ ହେଲା ହୋଟେଲ୍ । ନାଦିରକୁ ମିଳିଲା ସୁଯୋଗ ଗୋରାଦମ୍ପତ୍ତିଙ୍କୁ ପାହାଡ଼ ବୁଲେଇବାର । କେତେ ସ୍ୱପ୍ନ ଦେଖିଗଲା ସେ ଦିନର ସୂର୍ଯ୍ୟାଲୋକରେ। ଖୁବ୍ ଗୁଡ଼ାଏ ବକ୍ସିସ୍ ନିଶ୍ଚୟ ପାଇବ ସେ । ହୁଏତ ସେଇ ପଇସାରେ ଘୋଡ଼ାଟିଏ କିଣିନେଇ ପାରିବ । ଆଉ ନିଜର ଘୋଡ଼ାଟେ ହେଇଗଲେ ସେ ଆଗ ସାଇମାକୁ ବସେଇ ବୁଲେଇ ଆଣିବ ସାରା ଉପତ୍ୟକା । ତାପରେ ନିକାହ ତ ଧାର୍ଯ୍ୟ!

ଗୋରୀ ମେମ୍ ଖୁବ୍ ସୁନ୍ଦର । ସାବ୍ ବି ଖୁବ୍ ଭଲ ପାଆନ୍ତି ତାଙ୍କ ମେମଙ୍କୁ, ଖୁବ୍ ଯତ୍ନ ନିଅନ୍ତି । ମେମଙ୍କର କିନ୍ତୁ ଗୋଟେ ବଦଭ୍ୟାସ ଯେ ସେ ବହୁତ ସିଗାରେଟ ଟାଣନ୍ତି । ସାରାଦିନ ନିଜକୁ ସିଗାରେଟ୍‍ ଧୂଆଁରେ ବୁଡେ଼ଇ ରଖନ୍ତି । ନାଦିର ଲକ୍ଷ୍ୟ କରେ ମେମ୍‍ଙ୍କ ଅନ୍ୟମନସ୍କତା ।

ସାଇମା ଘର ଦେଇ ଯୋଉଦିନ ସାହେବ ଆଉ ମେମ୍ ସାହେବ ଜଳପ୍ରପାତ ବୁଲି ଗଲେ, ସେଇଦିନ ନାଦିର ପରିଚୟ କରେଇ ଦେଇଥିଲା ସାହେବ୍‍ ଆଉ ମେମଙ୍କୁ ସାଇମା ସହିତ । ବେଶ୍‍ କିଛିଦିନ ରହଣୀ ଭିତରେ ଘନିଷ୍ଠ ହେଇ ଯାଇଥିଲେ ସେମାନେ ପରସ୍ପରର ।

ସମୟ ଆସିଲା, ସାହେବ ଏକାଏକା ଘୋଡ଼ା ଚଢ଼ିବା ଶିଖିଗଲେ ନାଦିର୍ ପାଖରୁ । ସାହେବ୍‍ ଘୋଡ଼ା ନେଇ ଚାଲିଗଲା ପରେ ଏପଟେ ମେମ୍ ସାହେବଙ୍କ ଛୋଟମୋଟ କାମ ବି ନାଦିର୍ କରି ଦେଉଥିଲା ।

ସାହେବ୍ ଦିନେ ପ୍ରକାଶ କଲେ ତାଙ୍କ ମନକଥା । ମେମ୍ ସାହେବଙ୍କ ଯତ୍ନ ନେବା ପାଇଁ ଜଣେ ଝିଅ ତାଙ୍କର ଦରକାର । ଖୁବ୍ ଅଧିକ ଧୁମପାନ କରି ମେମ୍ ସାହେବଙ୍କ ଦେହ ପ୍ରାୟତଃ ଖରାପ ରହୁଥିଲା । ଚିକିତ୍ସା ଯେ ଚାଲିନଥିଲା ତା ନୁହେଁ । କିନ୍ତୁ ପାଖରେ ଜଣେ ଦରକାର, ଯିଏ କି ସାହାଯ୍ୟ କରିବା ସହ ଏଇ ଅଭ୍ୟାସକୁ ଧୀରେଧୀରେ ବଦଳେଇ ଦେବ । ପାଠ ନ ପଢ଼ିଲେ କଣ ହେଲା ପାହାଡ଼ୀ ଝିଅ ସାଇମା ସବୁ ବିଦ୍ୟାରେ ପାରଙ୍ଗମ । ସାଇମା ପରି ଗୋଟେ ଗୁଣବତୀ ଝିଅ ହିଁ ଏ କାମଟି ଠିକ୍‍ଭାବେ କରିପାରିବ । ସାହେବ୍‍ ଅନୁରୋଧ କରିଥିଲେ ନାଦିରକୁ । ମାତ୍ର ଗୋଟିଏ ବର୍ଷ ପାଇଁ ସେ ସାଇମାକୁ ନେଇଯିବେ ନିଜ ଦେଶକୁ । ପର ବର୍ଷ ଆଣି ପୁଣି ଛାଡ଼ି ଦେଇଯିବେ ।

ପ୍ରସ୍ତାବ ଶୁଣି ନାଦିର କିଛି କହିବା ଆଗରୁ ସାଇମା ଖୁସିରେ ଡେଇଁ ପଡ଼ିଥିଲା । ଓଲଟି ସେ ନାଦିର୍‍କୁ ବୁଝେଇଥିଲା ଯେ ଗୋଟିଏ ବର୍ଷ କେମିତି କଟିଯିବ ଜାଣି ହେବନି । ପୁଣି ଖୁବ୍ ମୋଟା ଅଙ୍କର ଦରମା ବି ମିଳିବ । ଦୁହିଁଙ୍କ ଜୀବନ ଖୁବ୍ ଆରାମରେ କଟିଯିବ।

ଅବୁ ଅମିଙ୍କୁ ରାଜି କରେଇବା ଦାୟିତ୍ୱ ନାଦିରକୁ ଦେଇଦେଲା ସାଇମା । ଶେଷରେ ସେୟା ହିଁ ହେଲା । ଆମେରିକା ଉଡ଼ିଯିବାର ଦିନ ପାଖେଇ ଆସିଲା । ଯିବାର ସବୁ ବନ୍ଦୋବସ୍ତ ସାହେବ କରି ଦେଇଥିଲେ । ତା ଆଗରୁ ସାଇମାର ବେଶପୋଷାକ ବି ବଦଳେଇ ଦେଇଥାଆନ୍ତି ସାହେବ୍ । ଅଗ୍ରୀମ ଅନେକ କିଛି ଅବୁ ଅମିକୁ ବି ମିଳି ଯାଇଥାଏ ।

ସେଦିନ ସଂଜରେ ସାଇମାକୁ ନେଇ ନାଦିର ଛାଡ଼ିବାକୁ ଗଲା ସାହେବ୍‍ ରହୁଥିବା ହୋଟେଲକୁ । ସାଇମାକୁ ବିଦେଶ ଛାଡ଼ିବାକୁ ଜମାରୁ ଇଚ୍ଛା ନଥିଲା ନାଦିର୍‍ର । ହେଲେ ସାଇମାର ଖୁସି ପାଇଁ ସେ ଚୁପ୍‍ ଥିଲା । ଆଖି ତଳେ ଲୁହ ଟଳମଳ ହେଉଥିଲେ ବି ଓଠରେ ହସ ଥିଲା । ସାଇମା ଜାଣୁ ଯେ ତା ଖୁୁସିରେ ସେ ବି ଖୁସି । ଏମିତିରେ ଚାହୁଁଚାହୁଁ ବର୍ଷଟେ ବିତିଯିବ । ତାପରେ ତ ସାଇମା ପୂରାପୂରି ତାର । ନିଜ ମନକୁ ବୁଝେଇ ନାଦିର୍‍ ଫେରିଆସିଥିଲା ଘରକୁ । ଢେ଼ର ରାତିଯାଏ ବିଛଣାରେ ପଡ଼ିପଡ଼ି ସାଇମା ସହ ବିତିଥିବା ମିଠା ସ୍ମୃତିସବୁ ଦୋହରାଇଥିଲା । କେଜାଣି କେତେବେଳେ ଶୋଇପଡ଼ିଥିଲା ନିଦରେ ।

ସକାଳୁ ଉଠିଲାବେଳକୁ ଆକାଶଟା ଥିଲା ପୂରା ଅଂଧାର । କଳାହାଣ୍ଡିଆ ମେଘରେ ଭରିଯାଇଥିଲା ପୂରାଟା ପାହାଡ଼ । ଅଧରାତିରେ ବୋଧେ ବର୍ଷା ହେଇଥିଲା । ଉଠୁଉଠୁ ନାଦିର୍‍ର ମନେପଡ଼ିଥିଲା ସାଇମା କଥା । ଭାରି ଇଚ୍ଛା ହେଇଥିଲା ଦିନର ଆଲୁଅରେ ଆଉଥରେ ତାକୁ ଦେଖିବାକୁ । ସାଇକେଲ୍‍ ଛୁଟେଇଥିଲା ହୋଟେଲ୍‍ । ବାଟରେ ଘଡ଼ଘଡ଼ି ଆରମ୍ଭ ହେଇଯାଇଥିଲା । ହେଲେ ପେଡ଼ାଲ ଉପରେ ତାର ପାଦ ସ୍ଥିର ହେଇନଥିଲା ।

ହୋଟେଲ୍‍ ଆଗରେ ଭାରି ଭିଡ଼ ଥିଲା । ହଳହଳ ପୋଲିସ ବୁଲୁଥିଲେ । ଖବର କଣ ବୋଲି ଜଣକୁ ପଚାରିବାରୁ ଜଣାପଡ଼ିଲା ଯେ କାଲି ରାତିରେ କିଏ ଗୋଟେ ବିଦେଶିନୀ ମରିଯାଇଛି ଏ ହୋଟେଲରେ । ହତ୍ୟା କି ଆତ୍ମହତ୍ୟା ଏ ଯାଏ ଜଣାପଡ଼ିନି ।

ଭିଡ଼ଠେଲି ଆଗକୁ ଆଗେଇଲା ନାଦିର । ତାର ହୃତ୍‍ସ୍ପନ୍ଦନ ବନ୍ଦ ହେଇଗଲାଭଳି ଲାଗିଲା, ଯେତେବେଳେ ସେ ଦେଖିଲା ବିଦେଶିନୀର ପୋଷାକରେ ନିଶ୍ଚଳ ହେଇ ଷ୍ଟ୍ରେଚରରେ ଶୋଇଛି ସାଇମା। ଦିନ ଆଲୁଅରେ ସେ ଆହୁରି ଗୋରା ଦିଶୁଚି! ଲାଗୁଚି ଯେମିତି ସତସତିକା ବିଦେଶିନୀ!

ଆକାଶରୁ ଟୋପେ ବର୍ଷାପାଣି ତାର ଗାଲରେ ପଡ଼ିଲା । ତାପରେ ଲଗାତାର ବର୍ଷା । ନିଶ୍ଚଳ ହେଇ ଠିଆହେଇଥିଲା ନାଦିର୍‍ । ତା ଆଖିରେ ଲୁହ ଥିଲା ନା ବର୍ଷାପାଣି, କିଛି ବୁଝାପଡ଼ୁନଥିଲା ।

Comments are closed.