Latest Odisha News

ସମଗ୍ର ପୃଥିବୀ ଗୋଟିଏ ପରିବାରର ବାର୍ତ୍ତା ପ୍ରଚାର କରିବ ‘ସାଇମୁନ୍ ସମ୍ମିଳନୀ’: ରାଜ୍ୟପାଳ

ଭୁବନେଶ୍ୱର: ସମଗ୍ର ପୃଥିବୀ ଗୋଟିଏ ପରିବାରର ବାର୍ତ୍ତା ପ୍ରଚାର କରିବ ସାଇମୁନ୍ ସମ୍ମଳନୀ। ଏକ ପୃଥିବୀ-ଏକ ପରିବାର-ଏକ ଭବିଷ୍ୟତ। ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା ସମଗ୍ର ବିଶ୍ୱକୁ ସଂଚରି ଯାଇଛି। ବିଶ୍ୱରେ ଶାନ୍ତି, ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରି ଏକ ସୁନ୍ଦର ପୃଥବୀ ପାଇଁ ସାମୁହିକ ଉଦ୍ୟମ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି।

ଚଳିତ ଜୁଲାଇ ୨୬ ତାରିଖ ଶୁକ୍ରବାର ପୂର୍ବାହ୍ନରେ ସାଇ ଇଂଟରନ୍ୟାସନାଲ୍ ସ୍କୁଲଠାରେ ଆୟୋଜିତ ଦୁଇଦିନିଆ ସାଇମୁନ୍ (ସାଇ–ମଡେଲ୍ ମିଳିତ ଜାତିସଂଘ)ର ଦ୍ୱାଦଶତମ ସଂସ୍କରଣକୁ ଉଦ୍‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି।

ବିଶ୍ୱର ୧୭ଟି ଦେଶରୁ ଆସିଥିବା ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ, ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦେଶର ଛାତ୍ରଛାତ୍ରୀମାନେ ଏହି ସମ୍ମିଳନୀରେ ଏକତ୍ରିତ ହେବା ଦ୍ୱାରା ନିଶ୍ଚିତରୂପେ ସେମାନେ ସଂପ୍ରତି ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ପରିସ୍ଥିତି ସଂପର୍କରେ ଅବଗତ ହୋଇପାରିବେ।

ଏତଦ୍‌ବ୍ୟତୀତ ଏହି ସମ୍ମିଳନୀ ସେମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ, ଶିକ୍ଷାର ବିନିମୟ, ପାରସ୍ପରିକ ସଦ୍‌ଭାବ ବୃଦ୍ଧି, ଏକତ୍ୱ ଭାବର ବିକାଶ, ନେତୃତ୍ୱ ନେବାର କୌଶଳ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଜ୍ଞାନ ଆରୋହଣ ପାଇଁ ପ୍ରକୃଷ୍ଟ ମଂଚ ହୋଇଅଛି।

ମିଳିତ ଜାତିସଂଘ ପ୍ରାୟ ୮ଦଶନ୍ଧି ଧରି ବିଶ୍ୱରେ ପ୍ରଗତି, ଶାନ୍ତି ଏବଂ ନିରାପତ୍ତାର ନିରନ୍ତର ଜଗୁଆଳି ହୋଇ କାର୍ଯ୍ୟକରି ଆସୁଛି । ମିଳିତ ଜାତିସଂଘର କାର୍ଯ୍ୟାବଳୀ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରି ସେମାନଙ୍କୁ ଜାତିସଂଘର ନୀତି ଓ ଏହାର କାର୍ଯ୍ୟକାରୀତା ବିଷୟରେ ଅଧିକ ଜଣାଇବା ପାଇଁ ସାଇ ଇଂଟରନ୍ୟାସନାଲ୍ ସ୍କୁଲ ଆନୁକୂଲ୍ୟରେ ପ୍ରତିବର୍ଷ ସାଇମୁନ୍ ସମ୍ମିଳନୀ ଆୟୋଜନ ହେବା ପ୍ରଶଂସନୀୟ ପ୍ରୟାସ ବୋଲି ସେ କହିଛନ୍ତି।

ଏହି ସମ୍ମିଳନୀରେ ସାଇ ଇଂଟରନ୍ୟାସନାଲ୍‌ର ଚେୟାରପର୍ସନ ଡ.ଶିଳ୍ପୀ ସାହୁ ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଶେଷରେ ସାଇ ଇଂଟରନ୍ୟାସନାଲ୍ ସ୍କୁଲ୍‌ର ବିରଷ୍ଠ ଅଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ସେକ୍ରେଟାରୀ ଜେନେରାଲ୍ ଆୟୁଷ୍ମାନ ଅଚିନ୍ତେୟ ଠାକୁର ବିବରଣୀ ପାଠ କରିଥିଲେ।

Comments are closed.