Latest Odisha News

BREAKING NEWS

ସୈନିକ ସ୍କୁଲ-ଓଏମସିର ମାରାଥନ: ସିନିୟର ବିଭାଗରେ ବି.ପ୍ରସାଦ ଦୋରା ବିଜେତା

ଭୁବନେଶ୍ବର: ସୈନିକ ସ୍କୁଲ ଏବଂ ଓଏମସିର ମିଳିତ ଆନୁକୂଲ୍ୟରେ ରବିବାର ଅଷ୍ଟମ ବିଜୁ ମାରାଥନ ଅନୁଷ୍ଠିତ ହୋଇଯାଇଛି । କମୋଡ଼ର ମହେଶ ରହଙ୍ଗଡ଼ାଲେ, ଡ଼େପୁଟୀ ଡ଼ାଇରେକ୍ଟର ଜେନେରାଲ, ଏନ୍.ସି.ସି, ନାଇରେକ୍ଟୋରେଟ୍, ଓଡ଼ିଶା, କର୍ଣ୍ଣଲ୍ ବାଲୁଭରତ, ପ୍ରିନ୍ସିପାଲ, ସୈନିକସ୍କୁଲ ଓ ମଧୁସୂଦନ ପାଢ଼ି ଆଇ.ଏ.ଏସ୍ (ଅବସର ପ୍ରାପ୍ତ) ପୁରାତନ ଛାତ୍ର ସଂସଦର ସଭାପତି ପତାକା ଦେଖାଇ ମାରାଥନ ଦୌଡ଼ର ଉଦଘାଟନ କରିଥିଲେ।

 

ଏହି ଦୌଡ଼ର ସିନିୟର ବିଭାଗରେ ବି. ପ୍ରସାଦ ଦୋରା ବିଜେତା ହେବାବେଳେ ଅଭିଶେଷ କୁମାର ଉପବିଜେତା ହୋଇଥିଲେ। ସେହିପରି କନିଷ୍ଠ ବିଭାଗରେ ମାଷ୍ଟର ବିକାଶ ବିଜେତା ଓ ଶିବମ୍ ଯାଦବ ଉପବିଜେତା ହୋଇଥିଲେ। ପୁରାତନ ଛାତ୍ରଙ୍କ ମଧ୍ୟରୁ ରଞ୍ଜିତ ସାହାଣୀ ବିଜୟୀ ହୋଇଥିବା ବେଳେ ବାଳିକା ବିଭାଗରେ ଆକାଂକ୍ଷା ପ୍ରିୟା ବିଜୟିନୀ ହୋଇଥିଲେ।

 

ମୁଖ୍ୟ ଅତିଥି ବିଜେତାମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରି ମାରାଥନ ମାଧ୍ୟମରେ ରାଜଧାନୀକୁ ସ୍ୱଚ୍ଛ, ସୁନ୍ଦର, ସବୁଜ ଓ ପ୍ରଦୂଷଣ ମୁକ୍ତ ସହର ଭାବରେ ଗଢ଼ି ତୋଳିବାରେ ଛାତ୍ରଛାତ୍ରୀ ମାନଙ୍କର ସହଯୋଗ କାମନା କରିଥିଲେ। ଏଥିରେ ସୈନିକସ୍କୁଲର ୫୦୦ କ୍ୟାଡ଼େଟ୍, ୨୦୦ ପୂରାତନ ଛାତ୍ର, ସହୋଦୟ ସ୍କୁଲ ଓ ସରକାରୀ ସ୍କୁଲ ମାନଙ୍କରୁ ୪୦୦ ରୁ ଊର୍ଦ୍ଧ୍ବ  ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୧୨୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ସିନିୟର ବିଭାଗ ୧୦ କିମି ଓ କନିଷ୍ଠ ବିଭାଗର ସମସ୍ତ ପ୍ରତିଯୋଗି ୭ କିମି ପଥ ଅତିକ୍ରମ କରିଥିଲେ।

 

ଏହାଛଡ଼ା କମାଣ୍ଡର୍ ଦିନେଶ ସ୍ୱାଇଁ , ଲେ.କର୍ଣ୍ଣଲ୍ ଅମିତ ତିୱାରୀ, କମାଣ୍ଡର ମନୋରମା ପୋଖେରିୟା, ଓଏମସିର ବରିଷ୍ଠ ଅଫିସର ଗଣ, ପୂରାତନ ଛାତ୍ର ଅମିତାଭ ସ୍ୱାଇଁ, ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଗଣ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସୈନିକ ସ୍କୁଲର ସିନିୟର ମାଷ୍ଟର ବିଘ୍ନେଶ୍ୱର ପ୍ରଧାନ ଓ  ଏ.କେ. ମୂଖାର୍ଜୀ ଏହି ମରଥନର  ପରିଚାଳନା କରିଥିଲେ ।

Comments are closed.