ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି। ସୋମବାର ସକାଳେ ମୁମ୍ବାଇର ଓ୍ଵର୍ଲି ଟ୍ରାଫିକ ବିଭାଗର ହ୍ଵାଟ୍ସଆପ୍ ନମ୍ବରକୁ ଏକ ଅଜଣା ନମ୍ବରରୁ ଏହି ଧମକ ଆସିଥିଲା। ଧମକ ଦେଇଥିବା ବ୍ୟକ୍ତି ସଲମାନଙ୍କୁ ହତ୍ୟା କରିବା ସହ ତାଙ୍କ ଗାଡ଼ିକୁ ବମ୍ରେ ଉଡ଼ାଇ ଦେବା କଥା କହିଥିଲା। ଏହା ପରେ ଅଭିନେତାଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ପୋଲିସ ଏହି ଧମକ କେଉଁଠୁ ଆସିଛି ଓ କିଏ ଦେଇଛି, ତାହାର ତଦନ୍ତ ଆରମ୍ଭ କରିଛି।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧମକ ଦେଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେ ଗୁଜୁରାଟର ବଡୋଦରାର ବାସିନ୍ଦା ଏବଂ ତାଙ୍କ ନାଁ ମୟଙ୍କ ପାଣ୍ଡ୍ୟା। ଏହି ୨୬ ବର୍ଷୀୟ ଯୁବକଙ୍କର ମାନସିକ ସ୍ଥିତି ସ୍ଥିର ନାହିଁ ବୋଲି ଜଣାପଡ଼ିଛି। ମୟଙ୍କଙ୍କ ପରିବାର ପୋଲିସ ପଚରାଉଚରାରେ କହିଛନ୍ତି ଯେ, ତାଙ୍କର ମାନସିକ ସ୍ଥିତି ଗତ ୧୧ ବର୍ଷ ଧରି ଠିକ୍ ନାହିଁ ଏବଂ ସେ ଚିକିତ୍ସାଧୀନ ଅଛନ୍ତି। ଖୁବ୍ ଶୀଘ୍ର ମୟଙ୍କ ଓ ତାଙ୍କ ପରିବାର ମୁମ୍ବାଇ ଆସି ପୋଲିସ ନିକଟରେ ନିଜର ବୟାନ ରେକର୍ଡ କରିବେ ବୋଲି କୁହାଯାଇଛି।
ପୋଲିସ ମୟଙ୍କଙ୍କୁ ଆଗାମୀ ୩ ଦିନ ମଧ୍ୟରେ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଏହି ଘଟଣା ପରେ ମୁମ୍ବାଇ ପୋଲିସ ସଲମାନଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛି। ତାଙ୍କର ବାନ୍ଦ୍ରାସ୍ଥିତ ଗ୍ୟାଲାକ୍ସି ଆପାର୍ଟମେଣ୍ଟ ବାହାରେ ପୋଲିସ ମୁତୟନ କରାଯାଇଛି। ଏହାସହ ତାଙ୍କ ଘର ଆଖପାଖରେ ଅଜଣା ବ୍ୟକ୍ତି ଓ ଗାଡ଼ି ରହିବା ଉପରେ କଟକଣା ଜାରି ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ସଲମାନଙ୍କୁ ଏଭଳି ଧମକ ମିଳିଥିଲା। ଏହାପରେ ତାଙ୍କ ଘର ବାହାରେ ଫାୟରିଂ ଘଟିଥିଲା। ସେତେବେଳୁ ତାଙ୍କ ଘର ଓ ବ୍ୟକ୍ତିଗତ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ସଲମାନଙ୍କ ଘରର ଝରକା ଓ ଗ୍ୟାଲେରିରେ ବୁଲେଟପ୍ରୁଫ କାଚ ଲଗାଯାଇଛି।
Comments are closed.