Latest Odisha News

BREAKING NEWS

ବିତର୍କର ବଳୟରେ ବିବାଦୀୟ ସମାଜବାଦୀ ନେତା ଆଜମ୍ ଖାନ୍

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ ସୋମବାର ଦିନ ବିଜେପି ସାଂସଦ ରମାଦେବୀଙ୍କୁ କ୍ଷମା ମାଗିଛନ୍ତି । ସପ୍ତାହକ ପୂର୍ବରୁ ବରିଷ୍ଠ ଏସପି ନେତା ଶ୍ରୀ ଖାନ୍ ଲୋକସଭାରେ ଏହି ମହିଳାନେତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିଲେ, ଯାହାକି ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା ।

ଗଣମାଧ୍ୟମର ସୂଚନାନୁଯାୟୀ, ଆଜମ୍ ଖାନ୍ ତାଙ୍କର ଏହି ମନ୍ତବ୍ୟ ଲାଗି ଲୋକସଭାରେ ସାଂସଦ ରମାଦେବୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିନାହାନ୍ତି ।

ଏସପି ନେତା ଅଖିଲେଶ ଯାଦବ ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କୁ ଭେଟିବା ପରେ ଆଜମ୍ ଖାନ୍ ଗୃହରେ କ୍ଷମା ଭିକ୍ଷା କରିଥିଲେ ।

“ବାଚସ୍ପତିଙ୍କ ପ୍ରତି କୌଣସି ଆକ୍ଷେପ ନକରି ମୁଁ ଏହି ମନ୍ତବ୍ୟ ପ୍ରଦାନ କରିଛି । ଗୃହରେ ସେଦିନ ମୋର ଭାଷଣକୁ ସମସ୍ତେ ଶୁଣିଛନ୍ତି ଏବଂ ମୋ ଆଚରଣକୁ ମଧ୍ୟ । ଏହାସତ୍ୱେ ଯଦି ବାଚସ୍ପତି ମହୋଦୟା ମୁଁ ଭୁଲ କହିଥିବା ଭାବୁଛି ତେବେ ମୋତେ କ୍ଷମା କରିଦିଅନ୍ତୁ,” ବୋଲି କହିଛନ୍ତି ଆଜମ୍ ଖାନ୍ ।

ଓାସାଂସଦ ଆଜମ୍ ଖାନଙ୍କ ଦ୍ୱାରା ଏହିପରି ଘଟଣା କେବଳ ଥରେ ଘଟିନାହିଁ, ବରଂ ଅତୀତରେ ଅନେକଥର ଏହିପରି ବିବାଦୀୟ ମନ୍ତବ୍ୟ ପ୍ରଦାନ କରି ଏହି ସାଂସଦ ବିତର୍କର ବଳୟ ମଧ୍ୟରେ ରହିଆସିଛନ୍ତି ।

ଆଜମ୍ ଖାନଙ୍କ ଦ୍ୱାରା ଅତୀତରେ କେତେକ ବିତର୍କିତ ମନ୍ତବ୍ୟ:

୧ – ୨୦୧୯ ନିର୍ବାଚନ ପ୍ରଚାର ସମୟରେ ବିଜେପି ନେତ୍ରୀ ଜୟାପ୍ରଦାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବା ଫଳରେ ନିର୍ବାଚନ କମିଶନ ତାଙ୍କୁ ୭୨ ଘଣ୍ଟା ପ୍ରଚାରରେ ତାଙ୍କୁ ବ୍ୟାନ କରିଥିଲେ ।
“ତାଙ୍କୁ (ଜୟାପ୍ରଦାଙ୍କୁ) ଚିହ୍ନିବାକୁ ରାମପୁର, ଉତ୍ତରପ୍ରଦେଶ ତଥା ଭାରତର ଲୋକଙ୍କୁ ୧୭ ବର୍ଷ ଲାଗିଗଲା ଚିହ୍ନିବାକୁ । ମାତ୍ର ସେ ଖାକି ରଙ୍ଗର ଅନ୍ତବସ୍ତ୍ର ପିନ୍ଧିଥିବାର ମୁଁ ମାତ୍ର ୧୭ ଦିନ ମଧ୍ୟରେ ଦେଖିପାରିଛି ।” ଏହି କଥା କହିଥିଲେ ଆଜମ୍ ଖାନ ।

୨ – ନରେନ୍ଦ୍ର ମୋଦୀଙ୍କ ବିରୋଧରେ ୨୦୧୪ରେ ନିମ୍ନଲିଖିତ ମନ୍ତବ୍ୟ ପ୍ରଦାନ କରି ବେଶ୍ ଚର୍ଚ୍ଚିତ ହୋଇ ପଡ଼ିଥିଲେ ଆଜମ୍ ଖାନ ।
“ଜଣେ ହତ୍ୟାକାରୀ ହାତରେ ଦେଶକୁ ସମର୍ପି ଦେବା ଉଚିତ୍ ନୁହେଁ । ଜଣେ ମିଥ୍ୟାଚାରୀକୁ ଦେଶର ବାଦଶାହ କରିଦେବା ଠିକ୍ ନୁହେଁ ।”

୩ – ସେ କାରଗିଲ୍ ଯୁଦ୍ଧ ବିଷୟରେ ମନ୍ତବ୍ୟ ପ୍ରଦାନ କରି ମଧ୍ୟ ବିବାଦୀୟ ହୋଇପଡ଼ିଥିଲେ ।

“ମୁସଲମାନ ସୈନିକମାନେ ଏହି କାରଗିଲ୍ ଯୁଦ୍ଧ ଜିତିଛନ୍ତି, ହିନ୍ଦୁ ସୈନିକ ନୁହଁନ୍ତି ।”

୪ – ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବଙ୍କ ଜନ୍ମ ଉତ୍ସବ ପାଳନ ସମୟରେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ – ଏହି ବ୍ୟୟବହୁଳ ଉତ୍ସବ ଲାଗି କିଏ ଅର୍ଥ ଯୋଗାଇଦେଇଛନ୍ତି?

“ଏହି ଅର୍ଥ ତାଲିବାନଠୁ ଆସିଛି, କିଛି ଦାଉଦ ଦେଇଛନ୍ତି ଏବଂ ଆଉ କିଛି ଆବୁ ସାଲେମଠାରୁ ଆସିଛି ।”

୫ – ଖାଲି ସେତିକି ନୁହେଁ ଆଜମ୍ ଖାନ୍ ପ୍ରଦାନ କରିଥିବା କିଛି ମନ୍ତବ୍ୟ ମଧ୍ୟ ବିଶ୍ୱସ୍ତରରେ ହଇଚଇ ସୃଷ୍ଟି କରିଥିଲା । ସେ ୨୦୧୫ ପ୍ୟାରିସ ଆତଙ୍କି ହମଲାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଥିଲେ ଯାହାକି ସେହି ସମୟରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲା ।
“ଇତିହାସ କହିବ କିଏ ଆତଙ୍କବାଦୀ ।”

(ସୌଜନ୍ୟ: ହିନ୍ଦୁସ୍ଥାନ ଟାଇମ୍ସ)

Leave A Reply

Your email address will not be published.