Latest Odisha News

ସ୍କେଚ୍

ସ୍କେଚ୍

ଶରତଚନ୍ଦ୍ର ଆଚାର୍ଯ୍ୟ

ଅନେକ ଅଙ୍କାବଙ୍କା, ମୋଟା-ସରୁ
ପେନସିଲ ଗାରରେ
ଜୀବନ୍ୟାସ ମିଳିଛି ଯେ
କୋଉ ଭାଗ୍ୟର ପୁଣ୍ୟଫଳ
ଭୋଗ କରୁଛି ।

ଟଂଗାହୋଇ ରହିଛି କାନ୍ଥରେ
ସାମ୍ନାରେ ମୋର
ଜୀବନ୍ତ ଚିତ୍ରମାନେ
କେତେ ଠାଣି, ଭଙ୍ଗିରେ ଆକଳନ କରୁଛନ୍ତି
ମୋ ମୂଲ୍ୟ ।

ମୂଲ୍ୟାୟନ ମୋ ଜୀବନର
ମୁଁ ଗଣିତ କି?
ଜ୍ୟାମିତି କି?
ବିଜ୍ଞାନ କି?
ସାହିତ୍ୟ କି?
କ’ଣ ଯେ ମୁଁ?
ଗୋଟେ ଚିତ୍ର କି?

ପଣ୍ୟ ମୁଁ!
ମୋର କିବା ନିଜସ୍ୱ ଇଚ୍ଛା କି ଅନିଚ୍ଛା ଅଛି ଯେ?
ଯିଏ ନେଲା, ସେ ମୋ ସାଆନ୍ତ
ଆଖି ଓ ମନରେ ଭୋଗ କରୁଥିବ
ବୈରାଗ୍ୟ ଆସିବା ଯାଏଁ
ଭୋଗ କରାଇବ
ବନ୍ଧୁ, ପରିଜନ ଚାକର-ବାକର ସଭିଁଙ୍କୁ,
ସେମାନଙ୍କ ଆନନ୍ଦରେ
ତୃପ୍ତ ହେଉଥିବ ମୋ ସାଆନ୍ତ ।

ସତରେ, ମୁଁ ଭୋଗ୍ୟାଟିଏ ।
ଜୀବନ୍ୟାସ ପାଇ ବି
ମୁଁ ନିର୍ବାକ, ନିସ୍ପନ୍ଦ
ଟଂଗା ହୋଇଛି
ଡ୍ରଇଁ, ଡାଇନିଂ କି ବେଡରୁମ୍ କାନ୍ଥରେ;
ଜୀବନ ଥାଇ ବି
ତମାମ୍ ସାଆନ୍ତମାନେ
ଟଂଗା ହେଇଛନ୍ତି ଦେଖ
ଅବଶୋଷର ଅତୃପ୍ତ ପାନ୍ଥଶାଳାରେ ।
………………..
ପଞ୍ଚମ ଗଳି, ଦୋବୋତ୍ତର କଲୋନୀ, ନୟାଗଡ଼
ମୋ : ୯୪୩୭୪୬୭୪୯୪

Comments are closed.