Latest Odisha News

BREAKING NEWS

‘ସିଂଗୋଲ ହଟାଇ ସମ୍ବିଧାନ ପୁସ୍ତକ ସ୍ଥାପନ ’: ମୁହାଁମୁହିଁ ହେଲେ ଏନଡିଏ– ଇଣ୍ଡିଆ

ନୂଆଦିଲ୍ଳୀ: ପୁଣି ତେଜିଛି ସିଂଗୋଲ ବିବାଦ । ସିଂଗୋଲଙ୍କୁ ନେଇ ଲୋକସଭାରେ ହଟଚମଟ । ମୋଦି ସରକାର ତୃତୀୟ ଥର ପାଇଁ ସରକାର ଗଢିବା ପରେ ଲୋକସଭାରେ ଜାରି ରହିଛି ସ୍ବତନ୍ତ୍ର ଅଧିବେଶନ । ଏହାରି ଭିତରେ ନୂଆ ସଂସଦ ଭବନରେ ସ୍ଥାପିତ ହୋଇଥିବା ସିଂଗୋଲକୁ ନେଇ ଏବେ ପୁଣି ମୁହାଁମୁହାଁ ହୋଇଛନ୍ତି ଶାସକ ଓ ବିରୋଧୀ । ଯାହାକୁ ନେଇ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀ, ସଂସଦରେ ସିଂଗୋଲ ହଟାଇ ସମ୍ବିଧାନ ପୁସ୍ତକକୁ ସ୍ଥାନିତ କରିବାକୁ ଦାବି ରଖିଛନ୍ତି ।

ଏନେଇ ସମାଜବାଦୀ ପାର୍ଟି ଲୋକସଭା ସାଂସଦ ଆର କେ ଚୌଧୁରୀ ସଂସଦରେ ସିଂଗୋଲ ହଟାଇ ସମ୍ବିଧାନ ପୁସ୍ତକ ସ୍ଥାନ ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି, ଯେବେ ଠାରୁ ଦେଶରେ ସମ୍ବିଧାନ ଲାଗୁ ହୋଇଛି ସେବେଠୁ ଗଣତନ୍ତ୍ର ଶାସନ ଚାଲିଛି । ଲୋକତନ୍ତ୍ରର ପ୍ରତୀକ ହେଉଛି ସମ୍ବିଧାନ । ଗଣତନ୍ତ୍ର ଶାସନରେ ମୋଦି ସରକାର ସଂସଦରେ ‘ସିଂଗୋଲ’ ସ୍ଥାପିତ କରିଛନ୍ତି । ଯାହାର ଅର୍ଥ ‘ରାଜାର ଛଡି’ । ଏହା ରାଜା-ରାଜୁଡାଙ୍କର ପ୍ରତୀକ ଅଟେ। କିନ୍ତୁ ଏବେ ଦେଶ ରାଜାଙ୍କ ଶାସନରୁ ମୁକ୍ତ । ପ୍ରତ୍ୟେକ ବ୍ୟକ୍ତି ନିଜ ଅନୁସାରେ ନିଜର ଶାସନ ମୁଖ୍ୟ ବାଛୁଛନ୍ତି । ଯେଉଁଥିରେ ସମ୍ବିଧାନ ସର୍ବଉପରେ । ତେଣୁ ଆମର ଦାବି ଗଣତନ୍ତ୍ର ଶାସନରେ ସିଂଗୋଲ ହଟାଇ ସଂସଦରେ ସମ୍ବିଧାନ ପୁସ୍ତକ ସ୍ଥାପନ କରାଯାଉ ।

ସେପଟେ ଆର କେ ଚୌଧୁରୀଙ୍କ ବୟାନକୁ ନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି,  ଆମ ଦଳର ସାଂସଦ ଏକଥା ଏଥିପାଇଁ କହୁଛନ୍ତି ଯେତେବେଳେ ନୂଆ ସଂସଦରେ ସିଂଗୋଲ ସ୍ଥାପନ ହୋଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଏହା ସାମ୍ନାରେ ନତମସ୍ତକ ହୋଇଥିଲେ। କିନ୍ତୁ ଶପଥ ନେବା ସମୟରେ ସିଂଗୋଲକୁ ନମସ୍କାର ହେବାକୁ ଭୁଲି ଯାଇଥିଲେ। ବୋଧେ ମୋଦି ବି ଏବେ ଅନୁଭବ କରୁଛନ୍ତି କି, ସଂସଦରେ ସମ୍ବିଧାନ ରହିବା ଆବଶ୍ୟକ। ଖାସ୍‌ ଏଥିପାଇଁ ଆମ ଦଳର ସାଂସଦ ତାଙ୍କୁ ମନେ ପକାଇ ଦେଇଛନ୍ତି। ଏହାସହିତ ଇଣ୍ଡି ମେଣ୍ଟର ସଦସ୍ୟମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି ।

ଅନ୍ୟପକ୍ଷରେ ଏହାକୁ ନେଇ କଡା ଜବାବ ଦେଇଛି ବିଜେପି । ବିଜେପି ମୁଖପାତ୍ର ଶେହଜାଦ ପୁନେଓ୍ବାଲା, ଚୌଧୁରୀଙ୍କୁ କାଉଣ୍ଟର କରି କହିଛନ୍ତି, ସମାଜବାଦ ପାର୍ଟି କହୁଛି ଏହା ରାଜାର ଛଡି । ଯଦି ଏହା ରାଜାର ଛଡି ତାହାଲେ ଜଓ୍ବାହାରଲାଲ ନେହେରୁ କାହିଁକି ଏହାକୁ ଗ୍ରହଣ କରିଥିଲେ । ଏହା କେବଳ ସମାଜବାଦୀ ପାର୍ଟିର ମାନସିକତାକୁ ଦର୍ଶାଉଛି । ପୂର୍ବରୁ ମଧ୍ୟ ସେମାନେ ରାମଚରିତମାନସକୁ ଦୁର୍ବ୍ୟବହାର କରିଥିଲେ, ଆଉ ଏବେ ସିଂଗୋଲକୁ ଅପମାନିତ କରୁଛନ୍ତି । ଯାହା ଭାରତୀୟ ସଂସ୍କୃତି, ତଥା ଖାସ୍ କରି ତାମିଲ ସଂସ୍କୃତିର ନିଦର୍ଶନ ଅଟେ ।

Leave A Reply

Your email address will not be published.