Latest Odisha News

BREAKING NEWS

ସମଲେଶ୍ୱରୀ ଏକ୍ସପ୍ରେସ ଇଞ୍ଜିନରେ ନିଆଁ ଲାଗି ୩ ରେଳବାଇ କର୍ମଚାରୀ ମୃତ

ରାୟଗଡ଼ା: ସମଲେଶ୍ୱରୀ ଏକ୍ସପ୍ରେସ ଇଞ୍ଜିନରେ ମଙ୍ଗଳବାର ଦିନ ଅପରାହ୍ନ ୪ଟା ୩୦ରେ ନିଆଁ ଲାଗିଯିବା ଯୋଗୁଁ ୩ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଲାଇନଚ୍ୟୁତ ହେବା ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଛି ଏବଂ ଏହି ଦୁର୍ଘଟଣାରେ କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି ।

ହାୱଡ଼ା-ଜଗଦ୍ଦଲପୁର ୧୮୦୦୫ ନଂ ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇପଡ଼ିଥିଲା । ଏହା ଏକ ଟାୱାର କାରକୁ ଧକ୍କା ଦେବାଫଳରେ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ସର୍ମ୍ପରେ ଅବଗତ ହୋଇ ରାୟଗଡ଼ା ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନେକ ବରିଷ୍ଠ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମସ୍ତ ମୃତ ରେଳକର୍ମଚାରୀଙ୍କ ମୃତଦେହ ରେଳ ଇଞ୍ଜିନ ମଧ୍ୟରୁ ଉଦ୍ଧାର କରାଯାଇଛି ।

ଏହି ଦୁର୍ଘଟଣା ରାୟଗଡ଼ା କୋରାପୁଟ ରେଲୱେ ସେକ୍ସନ ଅନ୍ତର୍ଗତ ସିଙ୍ଗାପୁର ରୋଡ଼ ଓ କେଉଟଗୁଡ଼ା ମଧ୍ୟରେ ଘଟିଛି । ଏହି ଦୁର୍ଘଟଣାରେ ମୃତକ ରେଳ କର୍ମଚାରୀମାନଙ୍କୁ ଚିହ୍ନଟ କରାଯାଇଛି । ସେମାନେ ହେଲେ, ଟାୱାର କାରର ଟେକ୍ନିସିଆନ ସୁରେଶ, ରାୟଗଡ଼ା ସିନିୟର ଇଲେକ୍ଟ୍ରିକାଲ ସେକ୍ସନ ଇଞ୍ଜିନିୟର ସାଗର ଏବଂ ଇଲେକ୍ଟ୍ରିକାଲ ଟେକ୍ନିସିଆନ ଗୌରୀ ନାଇଡୁ ।

ରେଳବାଇ ସୂତ୍ରରୁ ଜଣାପଡ଼ିଛି ଯେ, ଟ୍ରେନର ଫ୍ରଣ୍ଟଗାର୍ଡ଼ ଓ ଲଗେଜ ଭ୍ୟାନ ସମେତ ୨ୟ ଶ୍ରେଣୀ ଜେନେରାଲ୍ କୋଚ ଏହି ଦୁର୍ଘଟଣା ଯୋଗୁଁ ଲାଇନଚ୍ୟୁତ ହୋଇପଡ଼ିଛି ।

ନିଆଁ ଲାଗିଯିବା ପରେ ପରେ ଏହାର ଇଞ୍ଜିନକୁ ଅନ୍ୟ ବଗିଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା କରିଦିଆଯାଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଛି । ରେଳରେ ଥିବା ଯାତ୍ରୀମାନଙ୍କୁ ଦୁର୍ଘଟଣାସ୍ଥଳରୁ ନେଇଯିବା ଲାଗି ୨ଟି ବସ୍ ସେହିସ୍ଥାନକୁ ପଠାଯାଇଛି ।

ଏହି ଘଟଣାର ଦଦନ୍ତ ଲାଗି କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.