Latest Odisha News

BREAKING NEWS

ବିନା ସବସିଡିରେ ହଜ ଯାତ୍ରା କରିବେ ୨ ଲକ୍ଷ ଭାରତୀୟ

ଭୁବନେଶ୍ୱର : ଚଳିତ ବର୍ଷ ବିନା ସବସିଡିରେ ପ୍ରଥମ ଥର ପାଇଁ ୨ ଲକ୍ଷ ଭାରତୀୟ ମୁସଲମାନ ହଜ ଯାତ୍ରା କରିବେ ।

ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ହୋଇଥିବା ହଜ ୨୦୧୯ ପ୍ରତିନିଧିମାନଙ୍କ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବାସ ନକଭି ଏନେଇ ସୂଚନା ପ୍ରଦାନ କରିଛନ୍ତି । ତେବେ କେନ୍ଦ୍ର ସରକାର ଚଳିତ ବର୍ଷ ସମ୍ପୂର୍ଣ୍ଣ ଭାବେ ହଜ ସବସିଡି ହଟେଇ ଦେଇଥିବା ନେଇ ସେ ପ୍ରକାଶ କରିଛନ୍ତି ।

ହଜ ସବସିଡି ହଟେଇ ଦିଆଯିବା ପରେ ମଧ୍ୟ ହଜ ତୀର୍ଥଯାତ୍ରୀମାନଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡିବ ନାହିଁ । ହଜ ଯାତ୍ରୀମାନଙ୍କୁ ଉପଯୁକ୍ତ ସୁବିଧା ଓ ସୁରକ୍ଷା ପ୍ରଦାନ ନେଇ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଏ କ୍ଷେତ୍ରରେ କୌଣସି ଅବହେଳାକୁ ସହ୍ୟ କରାଯିବ ନାହିଁ ବୋଲି ଶ୍ରୀଯୁକ୍ତ ନକଭି ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଶ୍ରୀଯୁକ୍ତ ନକଭି ସୂଚନା ଦେଇ କହିଛନ୍ତି ଯେ, ହଜ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସାଉଦି ଆରବରେ ମୋଟ ଉପରେ ୬୨୦ ଜଣ ହଜ ସଂଯୋଜକ, ଅତିରିକ୍ତ ହଜ ପଦାଧିକାରୀ, ହଜ ସହାୟକ, ଡାକ୍ତର, ଚିକିତ୍ସା ସହାୟତାକାରୀଙ୍କୁ ମୁତୟନ କରାଯାଇଛି । ଏଥିରେ ବହୁ ସଂଖ୍ୟାରେ ମହିଳା ମାନଙ୍କୁ ସାମିଲ କରାଯାଇଛି ।

ଭାରତୀୟ ହଜ କମିଟି ମାଧ୍ୟମରେ ୧ ଲକ୍ଷ ୪୦ ହଜାର ଏବଂ ହଜ ଗ୍ରୁପ ସଂଗଠନ ମାଧ୍ୟମରେ ୬୦ ହଜାର ଯାତ୍ରୀ ହଜ ଯାତ୍ରା କରିବେ । ଭାରତୀୟ ହଜ କମିଟି ଦ୍ୱାରା ସ୍ଥିର କରାଯାଇଥିବା ଦରରେ ହଜ ଗ୍ରୁପ ସଂଗଠନ ୧୦ ହଜାର ଯାତ୍ରୀଙ୍କୁ ହଜ ଯାତ୍ରା କରାଇବେ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.