Latest Odisha News

BREAKING NEWS

ସାମନ୍ଥାଙ୍କୁ ନେଇ ଆପତ୍ତିଜନକ ବୟାନ, ଫସିଲେ ତେଲେଙ୍ଗାନା ମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସ ସରକାରରେ ଜଣେ ମହିଳା ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ବୋବାଲ୍ ।  ମନ୍ତ୍ରୀଙ୍କ ବୟାନକୁ ନେଇ ତେଲେଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ରୋଶ । ବିରୋଧୀ ଭାରତ ରାଷ୍ଟ୍ର ସମିତି-ବିଆରଏସର ବରିଷ୍ଠ ନେତା କେ.ଟି ରାମା ରାଓଙ୍କ ବିରୋଧରେ ଏକ ଅଭିଯୋଗ କରିଥିଲେ ମନ୍ତ୍ରୀ କୋଣ୍ଡା ସୁରେଖା । ମନ୍ତ୍ରୀ ସୁରେଖାଙ୍କ ଅଭିଯୋଗ ଥିଲା ଯେ, ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥାଙ୍କ ମଧ୍ୟରେ ବିବାହ ବିଚ୍ଛେଦର କାରଣ ଥିଲେ ବିଆରଏସ ନେତା କେ.ଟି ରାମା ରାଓ । ମହିଳାମାନଙ୍କୁ କେଟିଆର ଅପମାନ କରିଥିବା ଅଭିଯୋଗ ଆଣି ମନ୍ତ୍ରୀ ସୁରେଖା ଫିଲ୍ମ ଷ୍ଟାର ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ଛାଡପତ୍ରର ଉଦାହରଣ ଦେଇଥିଲେ । ବୟାନର ଜୋରଦାର ବିରୋଧ ହେବା ପରେ ପଛକୁ ହଟିଛନ୍ତି ମନ୍ତ୍ରୀ । ଦେଇଛନ୍ତି ସ୍ପଷ୍ଟୀକରଣ । ଅଭିନେତ୍ରୀ ସାମନ୍ଥାଙ୍କୁ କ୍ଷମା ମାଗିଛନ୍ତି । କିନ୍ତୁ ବିବାଦ ଥମିବା ବଦଳରେ ବଢିଚାଲିଛି ।

କ’ଣ କହିଥିଲେ ତେଲେଙ୍ଗାନା ମନ୍ତ୍ରୀ ?

ତେଲେଙ୍ଗାନାର କଂଗ୍ରେସ ସରକାରରେ ପରିବେଶ ମନ୍ତ୍ରୀ ଅଛନ୍ତି କୋଣ୍ଡା ସୁରେଖା । ବିରୋଧୀ ଦଳ ନେତା କେ.ଟି ରାମା ରାଓ ହିଁ ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥାଙ୍କ ବିବାହ ବିଚ୍ଛେଦ ର କାରଣ । ନାଗା ଚୈତନ୍ୟଙ୍କ ବାପା ତଥା ଅଭିନେତା ନାଗାର୍ଜୁନଙ୍କ ଏନ୍‌-କନଭେନସନ ସେଂଟର ନ ଭାଙ୍ଗିବାକୁ ବିଆରଏସ ଅଧ୍ୟକ୍ଷ କେ.ଟି ରାମାରାଓ ସାମନ୍ଥାଙ୍କୁ ତାଙ୍କ ନିକଟକୁ ପଠାଇବାକୁ ଦାବି କରିଥିଲେ । କେ.ଟି ରାମାରାଓଙ୍କ ପାଖକୁ ଯିବା ପାଇଁ ନାଗାର୍ଜୁନ ସାମନ୍ଥାଙ୍କୁ ବାଧ୍ୟ କରିଥିଲେ । ସାମନ୍ଥା ମନା କରିବାରୁ ନାଗା ଚୈତନ୍ୟଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ବୋଲି ଚାଚଂଲ୍ୟକର ବୟାନ ଦେଇଥିଲେ କୋଣ୍ଡା ସୁରେଖା ।

କଡା ଜବାବ ଦେଲେ ନାଗା ଚୈତନ୍ୟ, ଲିଗାଲ ଆକସନ ନେବେ ନାଗାର୍ଜୁନ

ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବିବାଦୀୟ ବୟାନକୁ ଜୋରଦାର ବିରୋଧ କରାଯାଇଛି । ତେଲେଗୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଉଠିଛି ବିରୋଧର ସ୍ୱର । କଡା ପ୍ରତିକ୍ରିୟା ଦେଇଛନ୍ତି ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ । ଏଣେ ନାଗା ଚୈତନ୍ୟ ମନ୍ତ୍ରୀଙ୍କ ଦାବିର କୌଣସି ଭିତ୍ତି ନାହିଁ ବୋଲି କହିଛନ୍ତି । ସାମନ୍ଥାଙ୍କ ସହ ତାଙ୍କର ଛାଡପତ୍ର ନେଇ ମନ୍ତ୍ରୀଙ୍କ ଦାବି ପୁରା ମିଛ ବୋଲି କହିଛନ୍ତି ନାଗା ଚୈତନ୍ୟ । ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ନାଁ ନେଇ ରାଜନୀତି କରିବା ଲଜ୍ଜାଜନକ ବୋଲି ନାଗା ଚୈତନ୍ୟ କହିଛନ୍ତି । ଖବରର ଶିରୋନାମାରେ ଆସିବା ପାଇଁ ଜଣାଶୁଣା ବ୍ୟକ୍ତିଙ୍କ ବ୍ୟକ୍ତିଗତ ନିଷ୍ପତ୍ତିର ଫାଇଦା ଉଠାଇବା ଲଜ୍ଜାଜନକ ବୋଲି କହି ମନ୍ତ୍ରୀ କୋଣ୍ଡା ସୁରେଖାଙ୍କୁ ସମାଲୋଚନା କରିଛନ୍ତି ସାମନ୍ଥାଙ୍କ ପୂର୍ବତନ ସ୍ୱାମୀ । ସାମନ୍ଥା ମଧ୍ୟ ସୁରେଖାଙ୍କ ଦାବିକୁ ମିଛ ବୋଲି କହି ସମାଲୋଚନା କରିଛନ୍ତି । ନାଗା ଚୈତନ୍ୟଙ୍କ ବାପା ସୁପରଷ୍ଟାର ନାଗାର୍ଜୁନ ମନ୍ତ୍ରୀଙ୍କ ଆପତ୍ତିଜନକ ବୟାନକୁ ନିନ୍ଦା କରିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ଲିଗାଲ ଆକସନ ପାଇଁ ନାଗାର୍ଜୁନ ପ୍ରସ୍ତୁତ ହେଉଥିବା ଜଣାପଡିଛି । ତେଲେଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ମନ୍ତ୍ରୀ ସୁରେଖାଙ୍କ ବୟାନକୁ ନିନ୍ଦା କରିଛନ୍ତି ।

ସାମନ୍ଥାଙ୍କୁ କ୍ଷମା ମାଗିଲେ ମନ୍ତ୍ରୀ କୋଣ୍ଡା ସୁରେଖା

ଆପତ୍ତିଜନକ ବୟାନ ନେଇ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପରେ ଅଭିନେତ୍ରୀ ସାମନ୍ଥାଙ୍କୁ କ୍ଷମା ମାଗିଛନ୍ତି ମନ୍ତ୍ରୀ ସୁରେଖା । ଜଣେ ନେତାଙ୍କ ଦ୍ୱାରା ମହିଳାଙ୍କ ଅପମାନ ପ୍ରସଙ୍ଗରେ ସେ ଟିପ୍ପଣୀ ଦେଇଥିଲେ । ସାମନ୍ଥା କି ଅନ୍ୟ କାହାକୁ ଆଘାତ ଦେବା ପାଇଁ ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ଏକ୍ସରେ କହି କ୍ଷମା ମାଗିଛନ୍ତି ମନ୍ତ୍ରୀ । ଏଥିସହିତ ବୟାନକୁ ସେ ପ୍ରତ୍ୟାହାର କରିଛନ୍ତି ।

କେଟିଆରଙ୍କ କଡା ପ୍ରତିକ୍ରିୟା

ତେଲେଙ୍ଗାନା ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ବିଆରଏସ ଅଧ୍ୟକ୍ଷ କେ.ଟି ରାମା ରାଓ । କୋଣ୍ଡା ସୁରେଖାଙ୍କ ମନ୍ତବ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ପାଇଁ ମନ୍ତ୍ରୀ ଜାଣିଶୁଣି ବୟାନ ଦେଇଛନ୍ତି । କୋଣ୍ଡା ସୁରେଖାଙ୍କୁ ମେଂଟାଲ୍ ହେଲଥ୍ ସ୍ପେଶାଲିଷ୍ଟ ବା ରିହାବ ସେଂଟରକୁ ପଠାଇବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କହିଛନ୍ତି କେଟିଆର୍ ।

Leave A Reply

Your email address will not be published.