Latest Odisha News

ଆଦିବାସୀଙ୍କ ମଧ୍ୟରେ ଅପପୁଷ୍ଟିର କାରଣ

ପ୍ରତି ମଙ୍ଗଳବାର….
ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର

ଆଦିବାସୀଙ୍କ ମଧ୍ୟରେ ଅପପୁଷ୍ଟିର କାରଣ

ଓଡ଼ିଶାର ଜନସଂଖ୍ୟାର ୨୨% ଆଦିବାସୀ ଅଟନ୍ତି । ପ୍ରାୟ ୯୬ ଲକ୍ଷ ଆଦିବାସୀ ଆମ ରାଜ୍ୟରେ ବସବାସ କରନ୍ତି । ଅପପୁଷ୍ଟି ଆଦିବାସୀ ସମୁଦାୟଙ୍କ ମଧ୍ୟରେ ସଂପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହୋଇ ଉଭା ହୋଇଛି । ୟୁନିସେଫ୍ର ତଥ୍ୟ ଅନୁସାରେ ଓଡ଼ିଶାରେ ୫୭% ଆଦିବାସୀ ଶିଶୁ (୦-୫ ବର୍ଷ ମଧ୍ୟରେ) ଅପପୁଷ୍ଟି ତଥା ପୁଷ୍ଟିହୀନତାର ଶିକାର । ୧୮ମାସରୁ ୨୩ ମାସର ଅର୍ଥାତ୍ ଦେଢ଼ ବର୍ଷରୁ ଦୁଇ ବର୍ଷର ଗ୍ରାମୀଣ ଆଦିବାସୀ ଶିଶୁଙ୍କ ମଧ୍ୟରେ ଷ୍ଟଂଟିଙ୍ଗ୍ (ବୟସ ଅନୁସାରେ କମ୍ ଓଜନ)ର ହାର ବହୁତ ଅଧିକ, ଯାହାକି ୮୩% ।

ଏକ ଅଧ୍ୟୟନ ଅନୁସାରେ ଆଦିବାସୀ ଶିଶୁମାନଙ୍କ ମଧ୍ୟରେ ବୟସ ବଢ଼ୁଥିବା ଅନୁପାତରେ ଅପପୁଷ୍ଟି ବୃଦ୍ଧି ପାଉଛି । ଶୁନରୁ ପାଂଚଞ୍ଚମାସର ଆଦିବାସୀ ଶିଶୁମାନଙ୍କ ମଧ୍ୟରୁ ଚାରି ଭାଗରୁ ଭାଗେ ଶିଶୁ ଅପପୁଷ୍ଟିର ଶିକାର ହେଉଥିବା ବେଳେ, ୬ରୁ ୧୧ ମାସର ଶିଶୁମାନଙ୍କ ମଧ୍ୟରୁ ଅଧା ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି ଓ ୧୮ ମାସ ବେଳକୁ ପ୍ରାୟତଃ ୭୫% ଶିଶୁ ଅପପୁଷ୍ଟି ଦ୍ୱାରା ଜର୍ଜ୍ଜରିତ ହେଉଛନ୍ତି । ବାରମ୍ବାର ରୋଗର ଶିକାର ହେବା, ଠିକ୍ ଭାବେ ସ୍ୱାସ୍ଥ୍ୟ ସେବାକୁ ପ୍ରାପ୍ତ ନକରିପାରିବା ଓ ବିଭିନ୍ନ ପ୍ରକାର ମୌଳିକ ତଥା ଢ଼ାଂଚାଗତ ସୁବିଧା ହାସଲ କରିବାରେ ପ୍ରତିବନ୍ଧକ ଯୋଗୁ ସାଧାରଣତଃ ଆଦିବାସୀମାନଙ୍କ ମଧ୍ୟରେ ଅପପୁଷ୍ଟି ବୃଦ୍ଧି ପାଉଛି । ଶିଶୁଟିଏ ରୋଗରେ ପଡ଼ିବା ମାତ୍ରେ ତାର ବୃଦ୍ଧି ବାଧାପ୍ରାପ୍ତ ହୁଏ ଓ ଠିକ୍ ଭାବେ ଯତ୍ନ କରାନଗଲେ ସେ ଅପପୁଷ୍ଟିର ଶିକାର ହୋଇଯାଏ ।

ଆଦିବାସୀମାନଙ୍କ ମଧ୍ୟରେ ଅପପୁଷ୍ଟିର ଏହି ତଥ୍ୟ ରାଜ୍ୟ ସ୍ତରୀୟ ତଥ୍ୟ । ଦୁର୍ଭାଗ୍ୟର ବିଷୟ ଯେ ଆମ ସରକାରଙ୍କ ପାଖରେ ବ୍ଲକ୍ ସ୍ତରୀୟ ଓ ଭିନ୍ନ ଭିନ୍ନ ଆଦିବାସୀ ସମୁଦାୟଙ୍କର ଅଲଗା ଅଲଗା ଅପପୁଷ୍ଟିର ତଥ୍ୟ ନାହିଁ । ସେହି ତଥ୍ୟ ଯଦି ଜଣାପଡ଼ନ୍ତା, ତେବେ ଭିନ୍ନ ଭିନ୍ନ ପଛୁଆ ଅଂଚଳର ବ୍ଲକ୍ ମାନଙ୍କରେ ଓ ଆଦିବାସୀ ସମୁଦାୟରେ ଅପପୁଷ୍ଟିର ଚିତ୍ର ନିଶ୍ଚିତ ଭାବେ ଭିନ୍ନ ଭିନ୍ନ ହୁଅନ୍ତା ଓ ଅତ୍ୟନ୍ତ ସାଂଘାତିକ ବୋଲି ନଜରକୁ ଆସନ୍ତା ।

ରାଜ୍ୟ ସରକାରଙ୍କ ତରଫରୁ ଅପପୁଷ୍ଟିକୁ ଦୂର କରିବା ପାଇଁ ନିଆ ଯାଉଥିବା ପଦକ୍ଷେପ ଗୁଡ଼ିକରେ ସ୍ଥାନୀୟ ଆଦିବାସୀମାନଙ୍କର ସମ୍ବଳ ଉପରେ ଅଧିକାର, ଦାରିଦ୍ର‌୍ୟ, ଋଣ, ଖାଦ୍ୟର ଅଭାବ ଆଦି ପ୍ରସଙ୍ଗ ଗୁଡ଼ିକ ଉପରେ ଆଦୌ ଦୃଷ୍ଟି ଦିଆଯାଉନାହିଁ । ତେଣୁ ଏହି ସବୁ ପଦକ୍ଷେପ ଗୁଡ଼ିକ ଆଶାନୁରୁପ ଭାବେ ସଫଳ ହେଉଥିବାର ଦେଖାଯାଉନାହିଁ । ଆଦିବାସୀ ଅଂଚଳର ଗ୍ରାମୀଣ ପରିବାରଙ୍କ ପାଖରେ ସେମାନେ ଚାଷ କରୁଥିବା ଜମି ଉପରେ, ଜଙ୍ଗଲ ଉପରେ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ବଳ ଉପରେ, ଯାହା ଉପରେ ସେମାନେ ପୁରୁଷାନୁକ୍ରମେ ନିର୍ଭର କରି ଆସୁଛନ୍ତି, ତାଙ୍କର ଆଇନ୍ଗତ ଅଧିକାର ନାହିଁ । ସେମାନଙ୍କ ମଧ୍ୟରେ ଶିକ୍ଷାର ବିକାଶ କରିବା ପାଇଁ ବି ସେପରି କିଛି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଉନାହିଁ ।

ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍, ନ୍ୟାସ୍ନାଲ୍ ନ୍ୟୁଟ୍ରିସନ୍ ମନିଟରିଙ୍ଗ୍ ବ୍ୟୁରୋ, ଯୋଜନା କମିଶନ ଆଦି ଭିନ୍ନ ଭିନ୍ନ ଆଦିବାସୀ ସମୁଦାୟଙ୍କ ଆହାର ତଥା ଖାଦ୍ୟ ଖାଇବାର ଅଭ୍ୟାସକୁ ଲକ୍ଷ କରି ଜାଣିଛନ୍ତି ଯେ, ଯେତେ ପରିମାଣରେ ଓ ଯେପରି ବିବିଧତା ଭିତିକ ଖାଦ୍ୟ ଖାଇବା କଥା ଆଦିବାସୀମାନଙ୍କ କ୍ଷେତ୍ରରେ ଏହା ଅତ୍ୟନ୍ତ କମ୍ ରହୁଛି । ଯେତିକି ପରିମାଣର ପୁଷ୍ଟିସାର ଯୁକ୍ତ ଖାଦ୍ୟ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବା କଥା, ଆଦିବାସୀମାନଙ୍କ କ୍ଷେତ୍ରରେ ଏହି ପରିମାଣ ଅତ୍ୟନ୍ତ କମ୍ ରହୁଛି ।

ଏପରିକି ଶିଶୁମାନଙ୍କ କ୍ଷେତ୍ରରେ ଏହି ପରିମାଣ ଆହୁରି କମ୍ ରହୁଛି । ଯାହା ଅପପୁଷ୍ଟି ବୃଦ୍ଧି ହେବାର ଏକ ମୂଖ୍ୟ କାରଣ ଭାବେ ଦେଖାଯାଉଛି ।

ପାରମ୍ପରିକ ଭାବେ ଆଦିବାସୀ ମାନେ ମିଶ୍ରିତ ଚାଷରେ ୨୫ରୁ ଅଧିକ ପ୍ରକାର ଫସଲ ଚାଷ କରିଥାନ୍ତି ଓ ଜଙ୍ଗଲରୁ ପ୍ରାୟତଃ ୨୭୦ ପ୍ରକାର ଖାଦ୍ୟ ସଂଗ୍ରହ କରି ଖାଆନ୍ତି । ଏହି ସବୁ ଖାଦ୍ୟ ଦ୍ରବ୍ୟରେ ପ୍ରଚୁର ପରିମାଣରେ ପୋଷକ ତତ୍ୱ ଥାଏ । ସଂପ୍ରତି ଏହି ସବୁ ଫସଲ ବିବିଧତା ଦ୍ରୁତ ଗତିରେ କମିବାକୁ ଲାଗୁଛି ଓ ଜଙ୍ଗଲରୁ ମିଳୁଥିବା ଖାଦ୍ୟ ଦ୍ରବ୍ୟର ପରିମାଣ ମଧ୍ୟ କମିବାରେ ଲାଗୁଛି । ଏହାର କାରଣ ଗୁଡ଼ିକ ମଧ୍ୟରେ ମୂଖ୍ୟ ହେଉଛି, ଆମ ରାଜ୍ୟରେ ଚାଷରେ କେବଳ ଧାନ ଚାଷର ଅମଳ ବଢ଼ିବାରେ ହିଁ ଦୃଷ୍ଟି ଦିଆଯାଉଛି । ବିବିଧତା ବା ପୁଷ୍ଟି ଭିତିକ ଚାଷ କରିବା ବା ଫସଲ ଅମଳ କରିବା ଉପରେ ଆଦୌ ଦୃଷ୍ଟି ଦିଆଯାଉନାହିଁ । ସେହିପରି ଜଙ୍ଗଲକୁ କେବଳ ଅର୍ଥ ଆୟ କରିବାର ଏକ ଉତ୍ସ ଭାବେ ଜଙ୍ଗଲ ବିଭାଗ ତଥା ସରକାର ଦେଖୁଛନ୍ତି । ତେଣୁ ପ୍ରାକୃତିକ ଜଙ୍ଗଲକୁ ନିଃଶେଷ କରି ସେଠାରେ ଶାଗୁଆନ୍, ଇଉକାଲିପ୍ଟସ୍ ଭଳି ବ୍ୟବସାୟ ଭିତିକ ବୃକ୍ଷରୋପଣ କରାଯାଉଛି । ଏତଦ୍ ବ୍ୟତୀତ ବିଭିନ୍ନ ପ୍ରକାର ବିକାଶମୂଳକ ପ୍ରକଳ୍ପ ପାଇଁ ଅନ୍ଧାଧୁନିଆ ଭାବେ ଜଙ୍ଗଲକୁ ନଷ୍ଟ କରାଯାଉଛି ନହେଲେ ଅଣଜଙ୍ଗଲ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି । ଏହା ଦ୍ୱାରା ଆଦିବାସୀମାନଙ୍କୁ ଜଙ୍ଗଲରୁ ମିଳୁଥିବା ବିଭିନ୍ନ ପ୍ରକାର ନିରାପଦ ଓ ପୁଷ୍ଟି ଯୁକ୍ତ ଖାଦ୍ୟ ଦ୍ରବ୍ୟର ପରିମାଣ ଦ୍ରୁତ ଗତିରେ କମିବାରେ ଲାଗୁଛି । ଏହାର କାରଣ, ଚାଷ ବାସ, ଜଙ୍ଗଲ, ଖାଦ୍ୟ ଓ ପୁଷ୍ଟିକୁ ଅଲଗା ଅଲଗା କରି ଦେଖାଯାଉଛି । କିନ୍ତୁ ପ୍ରକୃତ ପକ୍ଷେ ଏସବୁ ପରଷ୍ପର ସହିତ ସଂଯୁକ୍ତ । ପୁଷ୍ଟି ସୁରକ୍ଷା ନିମନ୍ତେ ଏସବୁକୁ ସଂଯୋଗ କରି ଦେଖିବାର ଆବଶ୍ୟକତା ରହିଛି । ଆମ ଜମିରେ କି କି ଫସଲ ଉତ୍ପାଦନ ହେଉଛି ଓ କିପରି ଉତ୍ପାଦନ ହେଉଛି, ଏହାର ଏକ ସିଧା ସଳଖ ସଂପର୍କ ପୁଷ୍ଟି ସହିତ ରହିଛି ।

ତେଣୁ ପୁଷ୍ଟି ସୁରକ୍ଷା ପାଇଁ ଆମକୁ ଆମ ଚାଷ ବାସ ଉପରେ ବି ଦୃଷ୍ଟି ଦେବାକୁ ହେବ । ସେହିପରି ସରକାରଙ୍କ ବିଭିନ୍ନ ପ୍ରକାର ପୁଷ୍ଟି ସୁରକ୍ଷା ଯୋଜନା ଗୁଡ଼ିକର ଦୂର ଦୂର ପର୍ଯ୍ୟନ୍ତ ଚାଷ ବାସ, ଜଙ୍ଗଲ, ଖାଦ୍ୟ ଉତ୍ପାଦନ, ଖାଦ୍ୟ ସୁରକ୍ଷା ଆଦି ସହିତ କୌଣସି ସଂପର୍କ ନାହିଁ । ତେଣୁ ଲୋକମାନଙ୍କ ପୁଷ୍ଟିର ଅବସ୍ଥା ଉନ୍ନତି କରିବାରେ ଏହାର ସନ୍ତୋଷ ଜନକ ଅବଦାନ ରହିପାରୁନାହିଁ ।

ଅପପୁଷ୍ଟି ବୃଦ୍ଧି ପଛରେ ମୂଖ୍ୟତଃ ତିନି ପ୍ରକାର କାରଣ ରହିଛି, ୧- ତୁରନ୍ତ କାରଣ ବା ପ୍ରତ୍ୟେକ୍ଷ କାରଣ, ଯଥା- ବାରମ୍ବାର ଅସୁସ୍ଥତା, ଯତ୍ନର ଅଭାବ ଇତ୍ୟାଦି, ୨- ପରୋକ୍ଷ କାରଣ ବା ଅନ୍ତର୍ନିହିତ କାରଣ, ଯଥା- ଶିକ୍ଷାର ଅଭାବ, ପରିମଳ ସମ୍ବନ୍ଧରେ ସଚେତନତାର ଅଭାବ, ସ୍ୱଚ୍ଛତାର ଅଭାବ ଓ ବିଭିନ୍ନ ପ୍ରକାର ସାମାଜିକ ପରିସ୍ଥିତି ୩- ମୌଳିକ ବା ଢ଼ାଂଚାଗତ କାରଣ, ଯଥା- ଜମି ଓ ଜଙ୍ଗଲ ଉପରେ ଅଧିକାର ନରହିବା, ପାରମ୍ପରିକ ଖାଦ୍ୟ, ପୁଷ୍ଟି ଓ ଜୀବିକାର ଉତ୍ସ ଗୁଡ଼ିକ ଉପରେ ଅଧିକାର ହ୍ରାସ ହେବା, ନିଜ ବାସସ୍ଥାନ ତଥା ପରିବେଶରୁ ବିସ୍ଥାପିତ ହେବା ଇତ୍ୟାଦି ।

ଏହି ତିନି କାରଣ ଗୁଡ଼ିକୁ ଚିହ୍ନଟ କରି ଏହାକୁ ସମାଧାନ କରିବାକୁ ଚେଷ୍ଟା ନକରି କେବଳ ତୁରନ୍ତ କାରଣ ଉପରେ ଦୃଷ୍ଟି ନିବଦ୍ଧ କଲେ ବାସ୍ତବ କ୍ଷେତ୍ରରେ ଅପପୁଷ୍ଟିକୁ ସଂପୂର୍ଣ୍ଣ ଭାବେ ଦୂର କରିହେବ ନାହିଁ ।

ଭିରଙ୍ଗ, ତିରଣ, ଜଗତ୍ସିଂହପୁର-୭୫୪୧୩୮
ମୋ-୯୪୩୮୪୬୮୪୭୪

Comments are closed.