ସମ୍ବଲପୁର: ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଦୋକାନ, ବଜାର, ଅଫିସ ସବୁ ବନ୍ଦ୍ ରହିବ। ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶହ ଶହ ସଂଖ୍ୟାରେ ଚାଷୀ । ବନ୍ଦରୁ ଜାତୀୟ ରାଜପଥ ଓ ରେଳ ରୋକ ବାଦ୍ ଦିଆଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଛି। କୃଷକ ସଙ୍ଗଠନର କର୍ମୀମାନେ ପିକେଟିଂ କରୁଛନ୍ତି।
ବନ୍ଦକୁ ସମର୍ଥନ ପାଇଁ ଗତକାଲି ବାଇକ୍ ରାଲି କରାଯାଇଥିଲା। ସଙ୍ଗଠନ ସଭାପତି ବ୍ୟୋମକେଶ ଠାକୁରଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ୯୦% ଦ୍ୱିତୀୟ ପର୍ଯ୍ୟାୟ ଟୋକନ୍ ମିଳିଛି । ଜିଲ୍ଲାର ୧୮୦୦ ଚାଷୀ ଏଯାଏଁ ଜମାରୁ ଟୋକନ୍ ପାଇନାହାନ୍ତି । ସମବାୟ ବିଭାଗ ଇ-କେୱାଇସି, ବ୍ୟାଙ୍କ ଲିଂକେଜ ଭଳି କାରଣ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି ବୋଲି କହୁଛି । ପୁଣି ଭିଟିଏସ୍ (ଭେଇକିଲ୍ ଟ୍ରାକିଂ ସିଷ୍ଟମ) କାର୍ଯ୍ୟକାରୀ ଉପରେ ଗୁରୁତ୍ୱାରୋପ କରାଯାଉଛି ।
ବରେଇପାଲି ବୈଠକରେ ସଙ୍ଗଠନ ଏହାକୁ ପୂର୍ବରୁ ବିରୋଧ କରିବାରୁ ତାହା ବନ୍ଦ ଥିଲା । ବର୍ତ୍ତମାନ ପୁଣି ଏହାକୁ କାର୍ଯ୍ୟକାରୀ କରାଯାଉଛି । ଫଳରେ ଧାନ ପରିବହନ ବାବଦ ପ୍ରାପ୍ୟରୁ ଚାଷୀ ବଞ୍ଚିତ ହେବ । ଉପରୋକ୍ତ ସମସ୍ତ ସମସ୍ୟା ସମାଧାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ସେ କହିଛନ୍ତି ।