ସୋନପୁର: ପଶ୍ଚିମ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ କଣ୍ଠରୁ ଆଉ ଶୁଣିବାକୁ ମିଳିବ ନାହିଁ ଉଜଲମତି ରାଧା ମାଇଁ ତ ପରି ହୃଦୟ ଛୁଆଁ ସମ୍ବଲପୁରୀ ସଂଗୀତ । ଆଜି ସୁବର୍ଣ୍ଣପୁର ସହରର ଘୋଡାଘାଟପଡା ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସହରର ସମସ୍ତ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କାର୍ୟ୍ୟକର୍ତ୍ତାଙ୍କ ସମେତ ସଂଗୀତ ପ୍ରେମୀ ଜନସାଧାରଣ ଆସି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ପରେ ମହାନଦୀ ଗୋକର୍ଣ୍ଣେଶ୍ବର ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ବୃନ୍ଦାବନ ପ୍ରାୟ ୫୫ ବର୍ଷ ତଳେ ୧୯୬୬ ମସିହାରେ ପ୍ରଥମେ ଆକାଶବାଣୀ କେନ୍ଦ୍ର ସମ୍ବଲପୁରରୁ କଣ୍ଠଶିଳ୍ପୀର ମାନ୍ୟତା ପାଇବା ସହିତ ଅନେକ ସମ୍ବଲପୁରୀ ଗୀତ ଗାଇଥିଲେ । ରେଡିଓରେ ତାଙ୍କର କଣ୍ଠସ୍ବର ପଶ୍ଚିମ ଓଡିଶାର ପୁରପଲ୍ଲୀର ଜନସାଧାରଣଙ୍କ ପାଇଁ ଅତି ପରିଚିତଥିଲା । ଅନ୍ୟପଟେ ସେ ମହାନଦୀ ସଂଗୀତ ସମ୍ମାନ, ପଏଁରୀ ସମ୍ମାନ, ସୁବର୍ଣ୍ଣପୁର ଲୋକ ମହୋତ୍ସବ ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନୀତ ହୋଇଥିଲେ । ଗତ କିଛି ଦିନ ହେବ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲା । ତାଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ପଶ୍ଚିମ ଓଡିଶାରେ ଶୋକର ଛାୟା ଖେଳିଯାଇଛି । ସେହିପରି ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ନନୀକେ ଠିକ ଚିହ୍ନିଛେଁ, ଉଜଲମତି ରାଧା ମାଇଁତ, ମନ ଦେଲା ଚାହାଲି, ଜୁଲି ସୁଆଙ୍କ ଓ କଁଶି ବାଉଁଶର ପାତି ଆଜି ବି ଲୋକ ମୁଖରେ ଶୁଣିବାକୁ ମିଳେ ।
Comments are closed.