Latest Odisha News

BREAKING NEWS

ସମୀର ଦେଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

କଟକ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଦେହାନ୍ତକୁ ନେଇ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ରାଜନେତା ପର୍ଯ୍ୟନ୍ତ ସମସ୍ତେ ଶୋକ ବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଶୋକପ୍ରକାଶ କରିଛନ୍ତି । ସମୀରଙ୍କ ବିୟୋଗ ଖବର ପାଇ ସେ ମର୍ମାହତ ଥିବା ଉଲ୍ଲେଖ କରିଛନ୍ତି। ସମୀର ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ । ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥିଲା। ଏନେଇ ରାଷ୍ଟ୍ରପତି ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସମୀର ଦେ’ଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି  । ଏହା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମଧ୍ୟ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକ୍ସରେ ଶୋକ ବ୍ୟକ୍ତ କରିଛନ୍ତି।  ସେ ଲେଖିଛନ୍ତି, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ନେତା ସମୀର ଦେଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ । ଦାଦା ଜଣେ ମିଷ୍ଟଭାଷୀ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କୁ ସବୁବେଳେ ଭେଟିବା ସମୟରେ ତାଙ୍କର ପରିବାର ସଦସ୍ୟଙ୍କ ଠାରୁ ମିଳିଥିବା ସ୍ନେହ ଆଦର ଅଭୁଲା ରହିବ। ବିଜେପିର ପ୍ରାରମ୍ଭିକ ପ୍ରଗତି ସମୟରେ ଉପକୂଳ ଓଡ଼ିଶାରେ ଅଭ୍ୟୁଦୟର କେନ୍ଦ୍ରବିନ୍ଦୁ ଭାବେ କଟକ ସହରରୁ ଆମ ଦଳର ରାଷ୍ଟ୍ରବାଦୀ ବିଚାରକୁ ଜନପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ । ଦାଦାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ନେହୀ ଓ ଦକ୍ଷ ନେତାଙ୍କୁ ହରାଇଲା । ଜନପ୍ରତିନିଧି ଭାବେ ସେ ଯେଉଁ ଉନ୍ନତିମୂଳକ କାର୍ଯ୍ୟ କରିଯାଇଛନ୍ତି, ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏକ୍ସରେ ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଆମ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ  ସମୀର ଦେଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ।  ଦାଦା ଜଣେ ଉଚ୍ଚକୋଟୀର ରାଜନେତା, ସମାଜସେବୀ ସହିତ କଟକ ସହରର ଉନ୍ନତିକରଣ କ୍ଷେତ୍ରରେ ତାଙ୍କର ଅବଦାନ ଚିରସ୍ମରଣୀୟ ।  ଏଭଳି ଦୁଃଖ ସମୟରେ ମୁଁ ତାଙ୍କ ପରିବାରବର୍ଗ, ବନ୍ଧୁ ଓ ଶୁଭେଚ୍ଛୁ ମାନଙ୍କୁ ଗଭୀର ସମବେଦନା ଜଣାଇବା ସହିତ ସ୍ଵର୍ଗତ ଅମର ଆତ୍ମାର ସଦଗତି କାମନା ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲେଖିଛନ୍ତି, ସମୀର ଦେ, ଆମ ପ୍ରିୟ ଦାଦା ଇହ ଧାମରେ ନାହାନ୍ତି ଶୁଣି ବିଶ୍ୱାସ ହଉନି । ରାମ ଜନ୍ମଭୂମି ଆନ୍ଦୋଳନ ସମୟରୁ କଟକ ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟକ୍ତିଗତ ଭାବରେ ପହଞ୍ଚାଇ ଆମ ଦଳ ପାଇଁ ଏକ ମଡେଲ ଭାବରେ ପ୍ରସ୍ତୁତ କରିଥିଲେ । ୧୯୯୫ ମସିହାରେ ବିଧାନସଭାରେ ପ୍ରବେଶ କରି ଓଡ଼ିଆଙ୍କ ଜନ ଆକାଂକ୍ଷାକୁ ବଡ଼ ରୂପ ଦେଇ ଦଳ ବିକାଶର ଭିତ୍ତି ପ୍ରସ୍ତର ପକାଇଥିଲେ ।୨୦୦୦ ଓ ୨୦୦୪ ରେ ମନ୍ତ୍ରୀ ଭାବରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିଥିଲେ । ତାଙ୍କର ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ବିରାଟ କ୍ଷତି । ଏହି ଦୁଃଖକୁ ସହ୍ୟ କରିବା ପାଇଁ ତାଙ୍କ ପରିବାରକୁ ମହାପ୍ରଭୁ ଅସୀମ ଶକ୍ତି ଦିଅନ୍ତୁ ବୋଲି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେହିପରି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଦୀର୍ଘ ସମୟ ଧରି ଲୋକଙ୍କ ସେବା ଓ ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।

ଉଲ୍ଲେଖଯୋଗ୍ୟ, ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ । ୬୭ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସମୀର ଦେ’ଙ୍କ ପରଲୋକ ନେଇ ଘରୋଇ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି ।  ଫୁସଫୁସ, କିଡ୍‌ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ ବରିଷ୍ଠ ବିଜେପି ନେତା ସମୀର ଦେ’। ଦୀର୍ଘଦିନରୁ ଅସୁସ୍ଥ ହୋଇ ଶ୍ରୀ ଦେ ଚିକିତ୍ସିତ ଥିଲେ।

କଟକ ସହରରୁ ଲଗାତର ତିନି ଥର ନିର୍ବାଚିତ ହୋଇଥିଲେ ସମୀର। ୧୯୯୫ ମସିହାରେ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ଏହାପରେ ୨୦୦୦ ଓ ୨୦୦୪ରେ ମଧ୍ୟ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ସେ ନଗର ଉନ୍ନୟନ ମନ୍ତ୍ରୀ ଓ ୨୦୦୪ରେ ମସିହାରେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ । ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିବା ବେଳେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିବ ବେଳେ କଟକରେ ଅନେକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ସେ ବିଜେପିର ଜଣେ ଟାଣୁଆ ସଂଗଠକ ଥିଲେ । ଛାତ୍ର ଜୀବନରୁ ସେ ବହୁ ସାମାଜିକ ଅନୁଷ୍ଠାନ ଓ ସଂଗଠନ ସହ ଜଡ଼ିତ ଥିଲେ । ବିଭିନ୍ନ କ୍ରୀଡା ସଂଗଠନର ନେତୃତ୍ୱ ନେବା ସହିତ ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍‌ର ସଭାପତି ଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.