Latest Odisha News

କୁଆଡେ ଗଲା ସିଏମଙ୍କ ସିଙ୍ଗଡ଼ା ?

ନୂଆଦିଲ୍ଲୀ: ସିଏମଙ୍କ ପ୍ଲେଟରୁ ସିଙ୍ଗଡା, କେକ୍ ଗାଏବ । କିଏ ନେଇଗଲା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା? ସିଆଇଡିର ତନାଘନା । ପୋଲିସ ଅଧିକାରୀଙ୍କୁ ସୋକଜ୍ ନୋଟିସ ! ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା ଓ କେକ୍ ଗାଏବ ଘଟଣାକୁ ନେଇ ସରଗରମ ହୋଇଛି ରାଜନୀତି । ସିଙ୍ଗଡା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ବେଳେ ସିଏମଙ୍କ ଷ୍ଟାଫଙ୍କୁ ପରଷା ଯାଇଥିବା ତଦନ୍ତରୁ ଜଣାପଡିଛି । ସେପଟେ ସିଙ୍ଗଡା ଗାଏବ ଘଟଣାକୁ ସରକାର ବିରୋଧୀ ବୋଲି ଯାଞ୍ଚରେ ଦର୍ଶାଯାଇଥିବା କୁହାଯାଉଛି । ଯାହାକୁ ନେଇ ବିଜେପି ଶାସକ କଂଗ୍ରେସକୁ ଟାର୍ଗେଟ୍ କରିଛି । ସେପଟେ ତଦନ୍ତ ସହ ସରକାରଙ୍କର କୌଣସି ନେଣ ଦେଣ ନଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ସିଙ୍ଗଡା ଉପାଖ୍ୟାନ ପଛର କାହାଣୀ

ଅକ୍ଟୋବର ୨୧ତାରିଖରେ ସିଆଇଡି ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ତାଙ୍କୁ ଜଳଖିଆ ପରଷିବା ପାଇଁ ପାଇଁ ଲକ୍କର ବଜାରସ୍ଥିତ ଏକ ହୋଟେଲରୁ ତିନିଟି ବାକ୍ସରେ ସିଙ୍ଗଡା ଓ କେକ୍ ମଗାଯାଇଥିଲା। ଏସବୁ ଖାଦ୍ୟ ସୁଖୁଙ୍କୁ ପରଷା ଯାଇଥାନ୍ତା। ହେଲେ ଭୁଲରେ ମୁଖ୍ୟମନ୍ତ୍ରୀଙ୍କ ଜାଗାରେ ତାଙ୍କ ସୁରକ୍ଷାକର୍ମୀଙ୍କୁ ସିଙ୍ଗଡା ଓ କେକ୍ ପରଷାଗଲା। ପୂରା ମାମଲାକୁ ନେଇ ତଦନ୍ତ କରିଛି ସିଆଇଡି ।

କେମିତି ହଜିଲା ସିଏମଙ୍କ ସିଙ୍ଗଡା?

ସିଆଇଡି ଏହାର ଯାଞ୍ଚ ରିପୋର୍ଟରେ ପୂରା ଘଟଣାକୁ ସରକାର ଓ ସିଆଇଡି ବିରୋଧୀ ବୋଲି ଦର୍ଶାଇଛି । ତଦନ୍ତରେ କେଉଁ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ସିଙ୍ଗଡା ଗାଏବ ହେଲା ସେନେଇ ଜଣାପଡିଛି । ଯାଞ୍ଚ ରିପୋର୍ଟ ଅନୁସାରେ, କାର୍ଯ୍ୟକ୍ରମକୁ ନେଇ ଆଇଜି ରାଙ୍କର ଜଣେ ଅଧିକାରୀ ଜଣେ ସବଇନ୍ସପେକ୍ଟରଙ୍କୁ ଡାକି ସିମଲା ଲକ୍କର ବଜାରର ହୋଟେଲ ରେଡିସନ ବ୍ଲୁରୁ କିଛି ସ୍ନାକ୍ସ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ସବଇନ୍ସପେକ୍ଟର ଜଣେ ଏଏସଆଇ ଓ ହେଡ୍ କନଷ୍ଟେବଳଙ୍କୁ ଟିଫିନ ଆଣିବାକୁ ପଠାଇଲେ । ସେମାନେ ତିନିଟି ଡବାରେ ଖାଦ୍ୟ ଆଣି ଜଣେ ଇନ୍ସପେକ୍ଟର ରାଙ୍କର ମହିଳା ଅଧିକାରୀ ପୂଜାଙ୍କୁ ଦେଲେ। ପୂଜା ଖାଦ୍ୟ ସାମଗ୍ରୀକୁ ଅନ୍ୟ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ରୁମରେ ରଖିବାକୁ କହିଲେ । ପରେ ଟିଫିନକୁ ଅନ୍ୟତ୍ର ରଖାଗଲା । ପରେ ଡ୍ୟୁଟିରେ ନିୟୋଜିତ ପର୍ଯ୍ୟଟନ ବିଭାଗ ଅଧିକାରୀ ଡବାରେ ଥିବା ଖାଦ୍ୟ ସିଏମଙ୍କ ମେନ୍ୟୁରେ ନଥିବା କହିଥିଲେ । ବାକ୍ସରେ ଥିବା ଖାଦ୍ୟ ସିଏମଙ୍କ ପାଇଁ ଥିବା ଜାଣିନଥିବାରୁ ତାଙ୍କ ଷ୍ଟାଫଙ୍କୁ ଦେବାକୁ କହିଥିବା ଇନ୍ସପେକ୍ଟର ପୂଜା କହିଛନ୍ତି ।

ବିଜେପି ଟାର୍ଗେଟରେ କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା ହଜିବା ଘଟଣାର ସିଆଇଡି ତଦନ୍ତକୁ ନେଇ ଶାସକ କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି । ସରକାରଙ୍କୁ ରାଜ୍ୟ ବିକାଶ ଚିନ୍ତା ନାହିଁ, କେବଳ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା କୁଆଡେ ଗଲା, ସେଇ ଚିନ୍ତା ବୋଲି ବିଜେପି କହିଛି । ସିଆଇଡି ଘଟଣାକୁ ସରକାର ବିରୋଧୀ କହିବାକୁ ନେଇ ବି ଟାର୍ଗେଟ୍ କରିଛି ବିଜେପି । ସେପଟେ ଘଟଣାକୁ ନେଇ ଅପପ୍ରଚାର ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ମିଡିଆ ଉପଦେଷ୍ଟା ନରେଶ ଚୌହାନ କହିଛନ୍ତି । ସରକାର ଏଭଳି କୌଣସି ଯାଞ୍ଚ ନିର୍ଦ୍ଦେଶ ଦେଇନାହାନ୍ତି । ଘଟଣା ସହ ସରକାରଙ୍କର କୌଣସି ନେଣ ଦେଣ ନାହିଁ ।

ସିଙ୍ଗଡା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛି ସିଆଇଡି । ଏହା ସଂପୂର୍ଣ୍ଣ ଭାବେ ସିଆଇଡିର ଅନ୍ତରୀଣ ମାମଲା । ଏହାକୁ ବଢେଇ ଚଢେଇ ଉପସ୍ଥାପନ କରାଯିବା ଦୁର୍ଭାଗ୍ୟଜନକ । ସେପଟେ ମୁଖ୍ୟମନ୍ତ୍ରୀ ସୁଖୁ ନିକଟରେ ଦେହ ଖରାପ ପରେ ସୁସ୍ଥ ହୋଇଛନ୍ତି । ତେଣୁ ତାଙ୍କ ମେନୁରେ ତେଲ ମସଲାଯୁକ୍ତ ଖାଦ୍ୟ ସାମିଲ କରାଯାଉନାହିଁ । ସେଦିନ ସିଙ୍ଗଡା ପରଷା ଯାଇଥିଲେ ବି ସେ ଖାଇନଥାନ୍ତେ ବୋଲି ସୂଚନା ମିଳିଛି ।

Comments are closed.