ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ ସଞ୍ଜୁ ସାମସନ ଟିମ ଇଣ୍ଡିଆର ଟ୍ରମ୍ପ କାର୍ଡ ହେବେ ବୋଲି ଅନୁମାନ କରାଯାଉଥିଲା । ମାତ୍ର ପ୍ରଥମ ୩ଟି ମୁକାବିଲାରେ ସେ ୩, ୫ ଓ ୨୬ ରନ ସ୍କୋର କରିଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଏବେ ୨-୧ରେ ଅଗ୍ରଣୀ ରହିଛି । ହାତରେ ଥିବା ୨ଟି ମ୍ୟାଚ ରହିଛି । ସଞ୍ଜୁଙ୍କଠାରୁ ଏହି ମ୍ୟାଚରେ ଭଲ ପ୍ରଦର୍ଶନ ଆଶା କରାଯାଉଛି । ସଞ୍ଜୁ ତାଙ୍କ ଶେଷ ୧୨ଟି ମ୍ୟାଚରେ ୩ଟି ଶତକ ହାସଲ କରିଥିଲେ ମଧ୍ୟ ଅନ୍ୟ ମୁକାବିଲାରେ ବିଫଳ ହୋଇଛନ୍ତି । ଏପରିକି ଏହା ମଧ୍ୟରେ ସେ ଗୋଟିଏ ବି ଅର୍ଦ୍ଧଶତକ ମାରିପାରି ନାହାନ୍ତି । ଦୁଇ ଟି୨୦ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁଙ୍କ ଖରାପ ଫର୍ମ ଭାରତ ପାଇଁ ଚିନ୍ତାର କାରଣ ସାଜିଛି ।
ପ୍ରଥମ ୨ଟି ମ୍ୟାଚ ଜିତିବା ପରେ ଟିମ ଇଣ୍ଡିଆ ଖରାପ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଇଂଲଣ୍ଡକୁ ତୃତୀୟ ମ୍ୟାଚରେ ପ୍ରତ୍ୟାବର୍ତନ କରିବା ସୁଯୋଗ ଦେଇଛି । ସଞ୍ଜୁଙ୍କ ପ୍ରଦର୍ଶନରେ ସ୍ଥିରତା ରହୁ ନାହିଁ । ୧୨ଟି ମ୍ୟାଚର ସ୍କୋର ୦, ୦, ୨୯,୧୦,୧୧୧, ୧୦୭, ୦,୦,୧୦୯, ୨୬, ୫ ଓ ୩ ରନ ରହିଛି । ୨୦୧୫ରେ ସେ ଆନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରିଥିଲେ ମଧ୍ୟ ମୂଖ୍ୟତଃ ଏହି କାରଣ ଯୋଗୁ ମାତ୍ର ୪୦ଟି ମ୍ୟାଚ ଖେଳିଛନ୍ତି । ସେ ୩୬ ଇନିଂସରେ ୨୬.୩୮ ଆଭରେଜରେ ୮୪୪ ରନ କରିବାକୁ ସକ୍ଷମ ହୋଇଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ ୧୫୫ ରହିଛି । ଏଥିରେ ୩ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ।
Comments are closed.