Latest Odisha News

BREAKING NEWS

Saptadhara: ୨୦୪୭ ପାଇଁ ମୋଦୀଙ୍କ ‘ସପ୍ତଧାରା’ ମନ୍ତ୍ର: ମ୍ୟାନୁଫ୍ୟାକ୍ଚରିଂରୁ ଗ୍ରୀନ୍ ଏନର୍ଜି, ଭାରତ ବଦଳାଇବ ଏହି ୭ ଶକ୍ତି…

ନୂଆଦିଲ୍ଲୀ: ଦେଶର ୮୦ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାର ପ୍ରାଚୀରରୁ ଆଗାମୀ ଭାରତର ବିକାଶ ରୋଡମ୍ୟାପ୍ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଓ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ ପାଇଁ ସେ ‘ସପ୍ତଧାରା’ ନାମରେ ୭ଟି ପ୍ରମୁଖ କ୍ଷେତ୍ରକୁ ଦେଶର ଆଗାମୀ ବିକାଶର ମୁଖ୍ୟ ଆଧାର ଭାବେ ଚିହ୍ନଟ କରିଛନ୍ତି।

ମ୍ୟାନୁଫ୍ୟାକ୍ଚରିଂ, କୃଷି, ପ୍ରଯୁକ୍ତି, ଗତି ଶକ୍ତି, ପ୍ରତିରକ୍ଷା, ସବୁଜ ଶକ୍ତି ଓ ସଫ୍ଟ ପାୱାର; ଏହି ୭ଟି କ୍ଷେତ୍ର ଭାରତର ଆଗାମୀ ଅର୍ଥନୈତିକ ଓ ସାମଗ୍ରିକ ବିକାଶରେ ବଡ଼ ଭୂମିକା ନେବ ବୋଲି ମୋଦୀ କହିଛନ୍ତି।

୧. ମ୍ୟାନୁଫ୍ୟାକ୍ଚରିଂ: ଅଂଶ ନୁହେଁ, ତିଆରି ହେବ ସମ୍ପୂର୍ଣ୍ଣ ଉତ୍ପାଦ

‘ସପ୍ତଧାରା’ର ପ୍ରଥମ ଧାରା ହେଉଛି ମ୍ୟାନୁଫ୍ୟାକ୍ଚରିଂ। ଭାରତକୁ ଆଗାମୀ ଦିନରେ ବିଶ୍ୱର ଏକ ପ୍ରମୁଖ ମ୍ୟାନୁଫ୍ୟାକ୍ଚରିଂ ହବ୍‌ରେ ପରିଣତ କରିବା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି। କେବଳ ବିଭିନ୍ନ ଉପାଦାନ ବା କମ୍ପୋନେଣ୍ଟ ତିଆରି କରିବା ବଦଳରେ ଭାରତରେ ସମ୍ପୂର୍ଣ୍ଣ ଉତ୍ପାଦ ତିଆରି ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ବିଶ୍ୱର ସପ୍ଲାଏ ଚେନ୍‌ରେ ଭାରତର ଭୂମିକା ବଢ଼ାଇବା ପାଇଁ କମ୍ ମୂଲ୍ୟ, ଉଚ୍ଚ ଗୁଣବତ୍ତା ଓ ବଡ଼ ପରିମାଣର ଉତ୍ପାଦନ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ କରିଛନ୍ତି। ଭାରତୀୟ ଉତ୍ପାଦର ପ୍ୟାକେଜିଂ ଓ ନିଖୁଣତା ମଧ୍ୟ ଏହାର ପରିଚୟ ହେବା ଦରକାର ବୋଲି ସେ କହିଛନ୍ତି।

୨. କୃଷି ଓ ଖାଦ୍ୟ ସୁରକ୍ଷା: ଚାଷ ରହିବ ବିକାଶର କେନ୍ଦ୍ରରେ

‘ସପ୍ତଧାରା’ର ଦ୍ୱିତୀୟ ଧାରା ହେଉଛି କୃଷି ଓ ଖାଦ୍ୟ ଉତ୍ପାଦନ। ଭାରତର ଅର୍ଥନୈତିକ ବିକାଶରେ କୃଷିର ଗୁରୁତ୍ୱ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ମୋଦୀ କହିଛନ୍ତି। କୃଷି କ୍ଷେତ୍ରକୁ ଆହୁରି ମଜବୁତ କରିବା ସହ ଉତ୍ପାଦନକ୍ଷମତା ବଢ଼ାଇବା ଏବଂ ଦୀର୍ଘମିଆଦୀ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

୩. ପ୍ରଯୁକ୍ତି ଓ ଇନୋଭେସନ୍: ଡାଟା ସେଣ୍ଟରରୁ 6G ପର୍ଯ୍ୟନ୍ତ

ତୃତୀୟ ଧାରା ହେଉଛି ପ୍ରଯୁକ୍ତି ଓ ନବସୃଜନ। ଦୁନିଆ ଏବେ ଡାଟା ସେଣ୍ଟର, ରୋବୋଟିକ୍ସ ଓ ନୂଆ ପ୍ରଯୁକ୍ତିର ଯୁଗରେ ପ୍ରବେଶ କରୁଛି ବୋଲି ମୋଦୀ କହିଛନ୍ତି। ଏହି କ୍ଷେତ୍ରଗୁଡ଼ିକରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ହବ୍‌ରେ ପରିଣତ କରିବା ଉପରେ ସେ ଜୋର ଦେଇଛନ୍ତି। UPIର ସଫଳତା ଭାରତର ପ୍ରଯୁକ୍ତିକ୍ଷମତାକୁ ପ୍ରମାଣିତ କରିଛି ବୋଲି ଉଲ୍ଲେଖ କରି ସେ ଆହୁରି ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ କହିଛନ୍ତି। ଭାରତୀୟ ଟେକ୍ନୋଲୋଜିରେ 6Gର ବିକାଶକୁ ତ୍ୱରାନ୍ୱିତ କରି ଦେଶର ପ୍ରତ୍ୟେକ କୋଣରେ ଏହା ପହଞ୍ଚାଇବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।

୪. ଗତି ଶକ୍ତି: ରାସ୍ତା ଓ କନେକ୍ଟିଭିଟି ହେବ ବିକାଶର ଇଞ୍ଜିନ୍

ଚତୁର୍ଥ ଧାରା ହେଉଛି ଗତି ଶକ୍ତି। ରାସ୍ତା, ହାଇୱେ ଓ ଏକ୍ସପ୍ରେସୱେ ଭଳି ଭିତ୍ତିଭୂମିର ବିକାଶକୁ ଆଗାମୀ ଦିନରେ ଆହୁରି ଗୁରୁତ୍ୱ ଦିଆଯିବ ବୋଲି ମୋଦୀ କହିଛନ୍ତି। ଦ୍ରୁତ ଓ ଭଲ କନେକ୍ଟିଭିଟି ଦ୍ୱାରା ବ୍ୟବସାୟ ବଢ଼ିବ, ଲଜିଷ୍ଟିକ୍ସ ଖର୍ଚ୍ଚ କମିବ ଏବଂ ନୂଆ ଅର୍ଥନୈତିକ ସୁଯୋଗ ସୃଷ୍ଟି ହେବ। ଦେଶର ବିକାଶରେ ଏହା ବଡ଼ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୫. ରକ୍ଷା ଶକ୍ତି: ଅସ୍ତ୍ର ପାଇଁ ବିଦେଶ ଉପରେ ନିର୍ଭରତା କମାଇବ ଭାରତ

‘ସପ୍ତଧାରା’ର ପଞ୍ଚମ ଧାରା ହେଉଛି ରକ୍ଷା ଶକ୍ତି। ଦେଶର ପ୍ରତିରକ୍ଷା ଉତ୍ପାଦନକୁ ଆହୁରି ମଜବୁତ କରି ବିଦେଶୀ ଆମଦାନୀ ଉପରେ ନିର୍ଭରତା କମାଇବା ଉପରେ ମୋଦୀ ଜୋର ଦେଇଛନ୍ତି। ବିଶେଷକରି ଡ୍ରୋନ୍ ଓ କାଉଣ୍ଟର-ଡ୍ରୋନ୍ ଭଳି ନୂଆ ସାମରିକ ପ୍ରଯୁକ୍ତିରେ ଅଧିକ ନିବେଶ ଏବଂ ଦେଶୀୟ ଉତ୍ପାଦନ ଆବଶ୍ୟକ ବୋଲି ସେ କହିଛନ୍ତି। ଆତ୍ମନିର୍ଭର ପ୍ରତିରକ୍ଷା ବ୍ୟବସ୍ଥା ଜାତୀୟ ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ମୋଦୀ କହିଛନ୍ତି।

୬. ଗ୍ରୀନ୍ ଏନର୍ଜି: ସ୍ୱଚ୍ଛ ଶକ୍ତି ଉପରେ ଭବିଷ୍ୟତ

ଷଷ୍ଠ ଧାରା ହେଉଛି ଗ୍ରୀନ୍ ଏନର୍ଜି। ଭବିଷ୍ୟତର ବଢ଼ୁଥିବା ଶକ୍ତି ଆବଶ୍ୟକତା ପୂରଣ ସହ ପରିବେଶ ସୁରକ୍ଷା ପାଇଁ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିରେ ନୂଆ ଇନୋଭେସନ୍ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନବୀକରଣୀୟ ଶକ୍ତିର ବିସ୍ତାର ସହ ସ୍ୱଚ୍ଛ ଶକ୍ତି ଆଡ଼କୁ ଦେଶର ରୂପାନ୍ତରଣକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

୭. ସଫ୍ଟ ପାୱାର: ଯୋଗଠାରୁ ସିନେମା, ପର୍ଯ୍ୟଟନରୁ ଗେମିଂ

‘ସପ୍ତଧାରା’ର ସପ୍ତମ ତଥା ଶେଷ ଧାରା ହେଉଛି ସଫ୍ଟ ପାୱାର। ଭାରତର ସାଂସ୍କୃତିକ ପ୍ରଭାବ କେବଳ ଦେଶ ଭିତରେ ସୀମିତ ନୁହେଁ, ବିଶ୍ୱର ବିଭିନ୍ନ ଦେଶରେ ଏହାର ପ୍ରଭାବ ରହିଛି ବୋଲି ମୋଦୀ କହିଛନ୍ତି। ଯୋଗ, ହସ୍ତଶିଳ୍ପ, ସିନେମା, ଆନିମେସନ୍, ଗେମିଂ, ଡିଜିଟାଲ୍ କଣ୍ଟେଣ୍ଟ ଓ କ୍ରିଏଟିଭ୍ ଇଣ୍ଡଷ୍ଟ୍ରିକୁ ଭାରତର ସଫ୍ଟ ପାୱାରର ମୁଖ୍ୟ ଅଂଶ ଭାବେ ସେ ଉଲ୍ଲେଖ କରିଛନ୍ତି। ଏହାସହ ଭାରତର ବିଶାଳ ପର୍ଯ୍ୟଟନ ସମ୍ଭାବନାକୁ ମଧ୍ୟ ବିଶ୍ୱ ସମ୍ମୁଖରେ ଆହୁରି ବଡ଼ ଭାବେ ଉପସ୍ଥାପନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଜାତୀୟ ଉଦ୍ୟାନ, ଐତିହାସିକ ଓ ସାଂସ୍କୃତିକ ସ୍ଥଳ, ମନୋରଞ୍ଜନ ଶିଳ୍ପ ଏବଂ ବଢ଼ୁଥିବା କନ୍ସର୍ଟ ଅର୍ଥନୀତି ଭାରତକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଆହୁରି ମଜବୁତ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀଙ୍କ ଅନୁସାରେ, ଏହି ୭ଟି ଧାରା କେବଳ ଦେଶର ଅର୍ଥନୀତିକୁ ମଜବୁତ କରିବ ନାହିଁ, ବରଂ ଭାରତକୁ ଏକ ବିକଶିତ ଓ ଆତ୍ମନିର୍ଭର ରାଷ୍ଟ୍ରରେ ପରିଣତ କରିବାରେ ମଧ୍ୟ ମୁଖ୍ୟ ଭୂମିକା ନେବ। ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ସମୟରେ ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ ପାଇଁ ଏହି ସାତଟି କ୍ଷେତ୍ରକୁ ଆଗକୁ ନେବା ଉପରେ ମୋଦୀ ଗୁରୁତ୍ୱ ଦେଇଛନ୍ତି।

Leave A Reply

Your email address will not be published.