Latest Odisha News

କଂଗ୍ରେସର ପିସିସି ସଭାପତି ସପ୍ତଗିରି ଉଲାକା ! କାହିଁକି ଏମିତି କହିଲେ ତାରା…..

ଭୁବନେଶ୍ବର: ଚଳିତ ନିର୍ବାଚନରେ ଆପାତତଃ ଭଲ କରିଥିଲେ ମଧ୍ୟ ଏବେ ବି ବହୁ ପଛରେ ପଡିଛି କଂଗ୍ରେସ । ନିର୍ବାଚନ ସରିବାର ମାସେ ପରେ ବି ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ ସ୍ଥିତି । ବିଧାନସଭା ଦିନକ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ଭାଙ୍ଗି ବିଭିନ୍ନ ପଦ ପଦବୀରେ ନିଯୁକ୍ତି କରିଥିଲା । ଏଥିରେ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ନିଯୁକ୍ତ କରିଥିବା ବେଳେ ଉପନେତା ଭାବେ ଅଶୋକ ଦାସ , ଏବଂ ସିଏସ୍‌ ରାଜନ ଏକ୍କା କଂଗ୍ରେସ ମୁଖ୍ୟ ସଚେତକ ଭାବେ ବଛାଯାଇଛନ୍ତି । ହେଲେ ଏବେବି ଖାଲି ପଡିଛି ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ପଦ । ଯାହାକୁ ନେଇ ଅନେକଙ୍କ ନାଁ ଚର୍ଚ୍ଚରେ ଥିବା ବେଳେ ସେମାନଙ୍କ ମଧ୍ୟରୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଅନ୍ୟତମ । ତେବେ ଏହାକୁ ନେଇ ଏବେ ନିଜର ବୟାନ ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି ।

ପିସିସି ସଭାପତି ପଦ ପାଇଁ ସପ୍ତଗିରି ଉଲାକାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ତାରା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ କଂଗ୍ରେସ ଗୃହ କଳି ପ୍ରସଙ୍ଗ ଯଦି ଉଠେ ତାହାଲେ ପ୍ରଥମେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ଜୟପୁର ବିଧାୟକ ତାରା ବାହିନୀ ପତିଙ୍କ ନାଁ ଆସିବ । ଏଭଳି ସ୍ଥିତିରେ ତାରାଙ୍କ ବୟାନ ଏବେ ସମସ୍ତଙ୍କୁ ଆଚମ୍ବିତ କରିଛି ।

ତେବେ ଏନେଇ ତାରା କହିଛନ୍ତି, ସପ୍ତଗିରି ଉଲାକା ପିସିସି ସଭାପତି ହେଲେ ଭଲ ହେବ । ରାମଚନ୍ଦ୍ର କାଡାମଙ୍କ ଅଧୀନରେ ବିଧାନସଭାର ଦାୟିତ୍ୱ ରହିଛି ତେଣୁ ସପ୍ତଗିରିଙ୍କ ଅଧୀନରେ କାମ କରିବାରେ ତାଙ୍କର କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ତାରା । ଖାଲି ସେତିକି ନୁହେଁ ସପ୍ତଗିରିଙ୍କ ସମର୍ଥନରେ ଏଆଇସିସିଙ୍କୁ ଚିଠି ଲେଖିବେ ବୋଲି ତାରା କହିଛନ୍ତି । ଏହା ସହ ସେ ଏହା ବି କହିଛନ୍ତି, ଆମ ଭିତରେ ସମ୍ପର୍କକୁ ନେଇ ଯାହା ଚର୍ଚ୍ଚା ଚାଲିଛି, ତାହା ଦିନରେ ବାଡାବାଡ଼ି ଓ ରାତିରେ କୋଳାକୋଳି ଭଳି । ତେଣୁ ସେ ପିସିସି ସଭାପତି ହେଲେ ମୋର କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ତାରା ।

Comments are closed.