Latest Odisha News

BREAKING NEWS

ମୋଦି ମଡେଲ ଓଡିଶାରେ ଚଳାଉଛନ୍ତି: ବିଜେପି ଉପରେ ବର୍ଷିଲେ କଂଗ୍ରେସ ସାଂସଦ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରୁ ଦଳର ସମସ୍ତ ୧୪ ଜଣ ବିଧାୟକଙ୍କ ନିଲମ୍ବନ ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି କହିଛନ୍ତି ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦି ଗୁଜୁରାଟରେ ଯେଉଁ ମଡେଲ ଅନୁସରଣ କରିଥିଲେ। ବିଜେପି ସେହି ମଡେଲକୁ ଓଡିଶାରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛି। ଆଜି ମୋତେ ବିଧାନସଭା ପରିସରରେ ପ୍ରବେଶ କରିବାକୁ ମନା କରାଗଲା। ମାଡ଼ ମରାଯିବା ସହ ଗିରଫ ମଧ୍ୟ କରାଯାଇଥିଲା। ଆମେ ପ୍ରତିବାଦ ସ୍ୱରୂପ ରାସ୍ତାକୁ ଓହ୍ଲାଇବୁ। ମୁଁ ଏକ ବିଶେଷାଧିକାର ପ୍ରସ୍ତାବ ଆଗତ କରି ସଂସଦରେ ଏହି ପ୍ରସଙ୍ଗ ଉଠାଇବି।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଏହା ବିରୋଧରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ଏବଂ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବ।

ଉଲ୍ଲେଖଯୋଗ୍ୟ, ଆଜି ତାରା ବାହିନୀପତି ଓ ରମେଶ ଜେନାଙ୍କୁ ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡିଛି। ପୂର୍ବରୁ ତାରାଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବନ କରାଯାଇଥିବାବେଳେ ଆଜି ପୁଣିଥରେ ତାଙ୍କୁ ନିଲମ୍ବନ କରାଯାଇଛି। ଏପରିକି ରାତିରେ ମାଡ଼ ମାରିବା ସହ ସୁନାଚେନ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ତାରା ବାହିନୀପତି। ତେବେ ନାରୀ ନିର୍ଯାତନା ପ୍ରସଙ୍ଗ ଓ ବିଧାୟକମାନଙ୍କ ନିଲମ୍ବନକୁ ନେଇ ଗତକାଲି ରାତିରୁ ଏପର୍ଯ୍ୟନ୍ତ କଂଗ୍ରେସର ଧାରଣା ଓ ପ୍ରତିବାଦ ଜାରି ରହିଛି। ଏପରିକି କଂଗ୍ରେସକୁ ସାଥ୍ ଦେଇ ବ୍ୟାରିକେଡ୍‌ ଭାଙ୍ଗି ରାସ୍ତାକୁ ଆସି ପ୍ଲାକାର୍ଡ଼ ଧରି ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ।

ଗତକାଲି ବିରୋଧୀ କଂଗ୍ରେସର ୧୨ଜଣ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ନିମନ୍ତେ ସାତଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା।

Comments are closed.