Latest Odisha News

ସାରାଦିନ ପାହାଡ଼ ତଳେ

ସାରାଦିନ ପାହାଡ଼ ତଳେ

ଗଜାନନ ମିଶ୍ର

ସିଂହଛୁଆ ଭାବୁଥିଲି ବେ,
ଶଳା ଘୁଷୁରୀ ଛୁଆଟା
ଲଟପଟ ହେଉଛି କାଦୁଅରେ!

କଣ ସବୁ ମୁଣ୍ଡଗାଡି
କହିଯାଉଛି ମନକୁ ମନ।
ଆରେ ହେ ଶୁଣ,
କି ସ୍ୱର କି ଏଇଟା
ଆଗପଛ ଅର୍ଥ ନାଇଁ କିଛି।

ଜ୍ୟେଷ୍ଠର ଖରାଝାଂଜିକୁ କହୁଛି ମଳୟ,
ବନ୍ଧନକୁ କହୁଛି ଦରଫୁଟା ଚାଉଳ,
ଉବୁକାମାରି ଆସୁଛି ଯୋଉଟା
ଅବାଟିଆ ଖେଳ।

ଆରେ ହେ, ୟାର ପୁଣି
ଅଛି ଗୋଟେ ଗୀତ!
ଦୁଃଖର ନା ସୁଖର
ପଚାରି ବୁଝ ତ!

ଶେଷ ନାଇଁ କାମର,
ବଙ୍କାଟଙ୍କା ପାହାଡ ଉପରକୁ ଚଢି
ହେଉଛି ଦେଖିବାକୁ କିଏ ସବୁ
ଜୀବନକୁ କହୁଛନ୍ତି ଅମହକ।

ଆରେ ହେ, ବୁଝ ନା
ଏ ପାରିବାରିକ ଚଳଚିତ୍ରରେ
କିଏ ସେ ନାୟକ
ରଖୁଛି ଢାଙ୍କି ସବୁ ଆଲୋକ।

ନା ତ!
ଇଏ ତ ନୁହେଁ ଯୁଦ୍ଧର ସମୟ।
ଯୋଉ ଗୀତ ଆଉ ସଙ୍ଗୀତ ଶୁଣୁଛ
ସେଇସବୁ କାହାର!

ଆରେ, ଏଇଠି ଜମାରୁ
ହେଉନି ଶେଷ।
ପାହାଡ ତଳେ ଥାଇ ସାରାଦିନ
କହିଲା କଣ ନା ଛୁଇଁଛି ଆକାଶ।
…………………
ତପୋବନ, ଟିଟିଲାଗଡ, ବଲାଙ୍ଗିର

Comments are closed.