କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ତିନୋଟି ହେଲିକପ୍ଟର ଯେତେବେଳେ କୋଟିନଡ଼ାର ଆକାଶ ସୀମା ଅତିକ୍ରମ କଲା, ପଦ୍ମିନୀ ତା’ର ଚାରିପାଖକୁ ଆଖି ଘୂରାଇ ଆଣିଲା ।
ଅଗଣିତ ଜନସମୁଦ୍ରର କୋଳାହଳରେ ବିରାଟ ପ୍ରଶସ୍ଥ ପ୍ରାନ୍ତର ମୁଖରିତ ହୋଇ ଉଠୁଛି । ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଦୀର୍ଘ ପଞ୍ଚାବନ ମିନିଟ୍ ଯେଉଁ ଆବାଳ-ବୃଦ୍ଧ-ବନିତା ନିରବରେ ବସିଥିଲେ; ସେମାନଙ୍କ ପ୍ରତ୍ୟାବର୍ତ୍ତନ ପରେ ପରେ ଜନତାଙ୍କ କୋଳାହଳ ବଢ଼ିବାରେ ଲାଗିଛି ।
ଆକାଂକ୍ଷିତ ମୁହୂର୍ତ୍ତ ଅତିକ୍ରାନ୍ତ ହେଲେ, ଆକାଙାର ଜନ୍ମଦାତା ମସ୍ତିଷ୍କ ସମ୍ଭବତଃ ତା’ର ସକଳ ସ୍ଥିରତା ହରାଇ ବସେ । ପ୍ରତୀକ୍ଷାର ପ୍ରତିକ୍ଷଣ ଯେତିକି ପୀଡ଼ା ଦାୟକ, ଚରିତାର୍ଥ ହେବା ପରର୍ବୀ ସମୟ ସେତିକି ସ୍ଥିରତା ଶୂନ୍ୟ । ବିରାଟ ପଡ଼ିଆରେ ଡ଼ୋଳା ଘୂରାଇ ଆଣିଲା ପଦ୍ମିନୀ । ସମବେତ ଜନତା ଦଳଦଳ ହୋଇ, ଦୁଇ-ଚାରି ହୋଇ ବିଭିନ୍ନ ଆଲୋଚନାରେ ଲିପ୍ତ ଅଛନ୍ତି । ଅଳ୍ପଦୂରରେ ନୂଆବୋଉ ତାଙ୍କର କୌଣସି ବାନ୍ଧବୀ ସହ କଥା ହେଉଛନ୍ତି । ସାନଭାଇ ଠେଲା ଗାଡି ଚାରିପାଖେ ଭିଡ଼ ଜମାଇଥିବା ପିଲାମାନଙ୍କ ସହ ଆଇସ୍କ୍ରିମ ଖାଉଛି ।
ଏମିତି ଏକ ମୁଖରିତ ଓ କର୍ମଚଂଚଳ ପରିବେଶ ଭିତରେ ଛିଡ଼ା ହୋଇ ଥିଲେ ମଧ୍ୟ ପଦ୍ମିନୀ ନିଜକୁ ଏକୁଟିଆ ମନେ କରୁଛି । ଖୋଜିଲା ଖୋଜିଲା ଆଖି ତା’ର ମୁର୍ହୁଃମୁର୍ହୁଃ ଚାରିଦିଗକୁ ଘୂରି ବୁଲୁଛି ।
ଅନେକ ଦିନ ହେଲା ଚନ୍ଦ୍ରଭାନୁଙ୍କ ସହ ଦେଖା ହୋଇନାହିଁ, ଯଦିଚ ସେ ଜାଣେ, ସେ ଚାହିଁଲା ମାତ୍ରେ ଚନ୍ଦ୍ରଭାନୁ ଆସି ତା’ପାଖରେ ଛିଡ଼ା ହୋଇ ପାରିବେ ନାହିଁ; ତଥାପି ଏମିତି ନିରୋଳା ମୁର୍ହୂରେ ସେ ତାଙ୍କ ଉପରେ ଅସମ୍ଭବ ଧରଣର ଅଭିମାନ କହିବସେ । ଶରୀରର ସମ୍ବେଦନଶୀଳ ତବୀସବୁ ପ୍ରତିକ୍ରିୟାଶୀଳ ମନେହୁଅନ୍ତି । ତା’ର ସଦା ଚଳଚଞ୍ଚଳ ମନ ଅସହିଷ୍ଣୁ ହୋଇଉଠେ । ନିଜ ଅଜାଣତରେ ଦୁଇ ଆଖିରୁ ଅଶ୍ରୁବିନ୍ଦୁ ଝରିଆସେ ।