କୁଞ୍ଜ ବିହାରୀ ସାହୁ
ରୀତୁର ବାପା ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି । ସେଇଥିପାଇଁ ଦି ମାସ ତଳୁ ରୀତୁ ଗାଁରୁ ଆସିଛି ।
ଦିନକର କଥା । ରୀତୁ ଦାଣ୍ଡପିଣ୍ଡାରେ ଠିଆ ହେଇଛି । ବାହାରେ ବହୁତ ଖରା ହେଉଛି । ଝାଞ୍ଜି ପବନ ବହୁଛି, ମୁହଁ ଜଳିଲାପରି ଲାଗୁଛି । ଗାଁରେ ଥିଲାବେଳେ ତାକୁ ଗାଁ ଭଲ ଲାଗୁଥିଲା । କେତେ ସାଙ୍ଗସାଥୀ ଥିଲେ । ମଜା ମଜଲିସ ହେଉଥିଲା । ଆମ୍ବତୋଟାରେ ବୁଲୁଥିଲ। ଗାଁ ପୋଖରୀ କୂଳରେ ବସୁଥିଲା । ଋଷିକୁଲ୍ଯା ନଈପାଣିରେ ଗାଧୋଉଥିଲା । ସଞ୍ଜବେଳେ ବଜାରସାହି ପାଖ କେନାଲ ହୁଡାରେ ତା ବୋଉ ସହ ବସୁଥିଲା । ଥଣ୍ଡା ପବନ ତା ଦେହରେ ବାଜୁଥିଲା । ହେଲେ ଏ ସହର ଆସିବା ଦିନଠୁ ତା’କୁ ମୋଟେ ଭଲ ଲାଗୁନି । ଯୁଆଡ଼େ ଚାହିଁଲେ ଗାଡ଼ି ଆଉ ଗାଡ଼ି । ଗାଡ଼ିର ଧୂଆଁ ନାକରେ ପଶିଯାଉଛି । ସଞ୍ଜ ନଇଁଲେ ଲୋକମାନଙ୍କର ଗହଳି । ପାଖରେ ଖେଳପଡ଼ିଆ ନାହିଁ । କାହା ସାଥୀରେ ସେ ଖେଳିବ ।
ରୀତୁ ଏମିତି ଭାବିଲାବେଳେ ବୁଢ଼ୀମାଉସୀ ଜଣେ ତାଙ୍କ ଛୁଆକୁ ଧରି ଦୁଆର ମୁହଁରେ ପହଞ୍ଚିଲେ । ରୀତୁ କିଛି ସମୟ ବୁଢ଼ୀ ମାଉସୀଙ୍କୁ ଚାହିଁଲା । ଛୋଟ ଝିଅଟି ବଲବଲ ହୋଇ ଅନଉଥିଲା । ତା ଦେହରୁ ଗମଗମ ଝାଳ ବାହାରୁଥିଲା । ଝିଅକୁ ଭୋକ ଲାଗୁଥିଲା ବୋଧହୁଏ ! ଵୁଢ଼ୀଟି ଖନେଇ ଖନେଇ ଖାଇବାକୁ ମାଗିଲା । ଏତିକିବେଳେ ରୀତୁର ବୋଉ ଛାତ ଉପରେ ଲୁଗା ଶୁଖାଉଥିଲେ । ତଳକୁ ଚାହିଁଲେ, ରୀତୁ କାହା ସହ କଥା ହେଉଛି । ଛାତ ଉପରୁ ତଳକୁ ଓହ୍ଲେଇ ଦେଖିଲେ ଅଗଣାରେ ଵୁଢ଼ୀଟିଏ, ପାଖରେ ରୀତୁ ପରିକା ଛୋଟ ଝିଅଟିଏ । ରୀତୁ କହିଲା – “ବୋଉ, ଛୋଟ ଝିଅକୁ ଭୋକ ଲାଗୁଛି । ଦେଖିଲୁ ଦେଖିଲୁ ହାଣ୍ଡିରେ ପଖାଳଭାତ ଥିବ । ତୁ ତ ଖରାଦିନେ ପଖାଳ ଖାଉ । ଆମ୍ବ ଖଟା କି ଧନିଆ ପତ୍ର ଚଟଣୀ ହେଲେ ତୋ ପେଟ ପୂରିଯାଏ ।”
ରୀତୁ କଥାରେ ତା ବୋଉ ରୋଷେଇଘରୁ କଂସାଏ ପଖାଳ ଭାତ ଆଉ ଆମ୍ବ ଖଟା ଆଣିଲେ । ବୁଢ଼ୀର କଂସାରେ ଅଜାଡ଼ିଦେଲେ । ବାରଣ୍ଡାରେ ବସି ବୁଢ଼ୀ ଓ ତା ଝିଅ ଚଟାପଟ ଖାଇଲେ। ବହୁତ ଖୁସି ହେଲେ ଦିହେଁ । କହିଲେ – “ତୁମେ ମା, ଝିଅ ବହୁତ ଭଲ ମଣିଷ ।”
ରୀତୁ ଦେଖିଲା ଝିଅଟି ଚିରା ଫ୍ରକ୍ ପିନ୍ଧିଛି । ଠାଏ ଠାଏ ସିଲେଇ ହେଇଛି । ଆଉ ଡେରି ନକରି ନିଜର ପୁରୁଣା ପିନ୍ଧା ଫ୍ରକଟିକୁ ତାକୁ ଦେଇଦେଲା । ଝିଅଟି ଖୁସିରେ ପିନ୍ଧିପକେଇଲା।
ରୀତୁର ବୋଉ କହିଲେ- “ଆଲୋ ହୁଣ୍ଡୀ, ତୋ ପିନ୍ଧା ଫ୍ରକଟିକୁ ଦେଇଦେଲୁ ! ତୋ ଜନ୍ମଦିନରେ ଏ ଫ୍ରକଟି କିଣାହେଇଥିଲା । ଏଇଟା ପିନ୍ଧିଲେ ତୁ କଣ୍ଢେଇ ପରି ଦିଶୁଥିଲୁ ।
ହଁ ଯେ ବୋଉ, ସେ ବି ମୋ ପରିକା ଝିଅଟିଏ । ଚିରାଫଟା ଫ୍ରକ୍ ପିନ୍ଧିଛି । ଫୁଙ୍ଗୁଳା ଦିଶୁଛି । ଦେଖୁନୁ, ଏ ଫ୍ରକ୍ ପିନ୍ଧିଲାପରେ କେଡ଼େ ସୁନ୍ଦର ଦିଶୁଛି ଝିଅଟି ।
ବୁଢ଼ୀଟି ଜାଣିଲାପରି ପଚାରିଲା – ଝିଅ, ତୁ ବୋଧେ ଗାଁରୁ ଆସିଛୁ । ଗାଁରେ ଲୋକମାନେ ଖୁସିରେ ଚଳନ୍ତି । ଏକାଠି ରହନ୍ତି । ବିପଦ ଆପଦରେ ସାହାଯ୍ୟ କରନ୍ତି ।
ରୀତୁ ହଁ କହିଲା ।
ଆମେ ତ ଗରିବ ଲୋକ । ଏ ସହରରେ ରହୁଛୁ ସିନା, କେହ ଭଲ ପାଉନାହାଁନ୍ତି । ରହିବା ପାଇଁକି ନିରାପଦ ଜାଗା ମିଳୁନି । କାହାକୁ କହିବି ଲୋ ଝିଅ ! ତୁ ଆଉ ତୋ ବୋଉ ଯେତିକି ସାହାଯ୍ୟ କଲେ, ଭୁଲିହେବନି। ତୁମେ ଦୁହେଁ ଭଲରେ ଥାଅ । ଠାକୁରେ ମଙ୍ଗଳରେ ରଖନ୍ତୁ । ମୁଁ ମୋ ଝିଅକୁ ନେଇ ଯାଉଛି ।
ଏତିକିବେଳକୁ ରୀତୁର ବାପା ପହଞ୍ଚି ସବୁ ଖବର ଜାଣିଲେ । ଗାଡ଼ିର ଡ୍ରାଇଭର ବି ସବୁ ଶୁଣି କହିଦେଲା – ବାଃ ବାଃ ରୀତୁ, ତୁ ବଡ଼୍ ହୋଇ ଭଲ ନାଁ କରିବୁ ।
ରୀତୁକୁ ସ୍ନେହରେ ଗେଲ କରିଦେଲେ ତା ବାପା-ବୋଉ ।
ନୟାପଲ୍ଲୀ ବ୍ରିଟ୍ କଲୋନୀ
ଭୁବନେଶ୍ବର (୭୦୦୮୧୪୨୦୪୦)
Comments are closed.