Latest Odisha News

BREAKING NEWS

ଶିଶୁ ଗଳ୍ପ : ସିନି ଓ ଗୁଣ୍ଡୁଚିମୂଷା

କୁଞ୍ଜବିହାରୀ ସାହୁ

କେତେବେଳେ ଘର ପାଚେରୀରେ ବୁଲୁଛି ଗୁଣ୍ଡୁଚିମୂଷା । ପୁଣି ଯାଇ ଯାଇ ଗଛ ଡାଳରେ ଥିରିଥିରି ବସିପଡୁଛି ଗୁଣ୍ଡୁଚିମୂଷା । ଏକ ଲୟରେ ଚାହିଁରହିଥିଲା ସିନି । ଡାକିଲା –
ଆ ଆ ରେ ଗୁଣ୍ଡୁଚିମୂଷା
ମୋ ପାଖକୁ ଆ,
ଚଣା, ବାଦାମ ରଖିଦେଇଛି
ଖାଇଦେଇକି ଯା ..।
ଗୁଣ୍ଡୁଚିମୂଷାଟି ଶୁଣିଲା ସିନିର କଥା । ଲାଞ୍ଜ ଟେକି ଟେକି ପାଖକୁ ଆସି ଚେଁ..ଚେଁ.. କଲା । ସିନି ଘରୁ ବୁଟ ଚଣା, ବାଦାମ ଭଜା ଗଣ୍ଡେ ଦେଲା । ଟିକି ପାଟିରେ କିଛି ଖାଇଲା ଆଉ କିଛି ପାଟି ଭିତରେ ଲୁଚେଇ ରଖିଲା ।
ପିଠିକୁ ଆଉଁଷିଦେଲା ଗେଲରେ । ତା ପିଠିରେ ତିନୋଟି ଗାର ଦେଖି ଖୁସି ହେଇଗଲା । ସେ ତା ବାପାଙ୍କଠୁ ଶୁଣିଛି ପୁରାଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ସେତୁବନ୍ଧ ତିଆରିରେ ସାହାଯ୍ୟ କରିବା କଥା । ଦେଖିବାକୁ ସିନା ଛୋଟିଆ ଜୀବ, ହେଲେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଯେତିକି ସାହାଯ୍ୟ କରିଥିଲା, ଭୁଲିହେବନି । ଠାକୁରଙ୍କ ଟିନୋଟି ଆଙ୍ଗୁଠିର ଆଉଁଷା ଚିହ୍ନ ତା ପିଠିରେ ଲାଗିଛି ।

ସିନିର ବାପା କହୁଥିଲେ ତୁ ମନେ ରଖିଥା – ଜୀବନରେ କାହାକୁ ଛୋଟ ବୋଲି ଭାବିବୁନି । ଯିଏ ବିପଦରେ ସାହାଯ୍ୟ କରେ ସିଏ ହିଁ ସବୁଠୁ ବଡ ।
ହଁ ବାପା ତୁମେ ଠିକ୍ କହିଲ । ଆମ ଗୁରୁଜୀ ବି କହୁଥିଲେ –
କାହାକୁ ମଣ ନାହିଁ ସାନ
ସଭିଙ୍କୁ ଦିଅ ସନମାନ ।

ଗୁଣ୍ଡୁଚିମୂଷା ଖାଇଲାପରେ ତା ବାଟରେ ସିଏ ଚାଲିଗଲା । ସିନି କହିଲା –
କାହାକୁ ଦେବୁନୁ ତୁ ଆଡରୁଷା
କାଲିକି ଆସିବୁ ଗୁଣ୍ଡୁଚିମୂଷା ।
ସିନି ଘରଜୁ ଯାଇ ତା ଡ୍ରଇଁଖାତାରେ ଗୁଣ୍ଡୁଚିମୂଷାର ଚିତ୍ର ଆଙ୍କିଲା । ଦେଖିଥିବା ଗୁଣ୍ଡୁଚିମୂଷା ପରି ଅବିକଳ ଚେହେରା । ତା ପିଠିକି ଆଉଁଷିଦେଲା ଗେଲରେ ।
ସିନିର ବାପା ଚିତ୍ରଟିକୁ ଦେଖି ଖୁସି ହେଇଗଲେ । ବୁଝେଇ କହିଲେ – ତୁ ଗୁଣ୍ଡୁଚିମୂଷାକୁ ବହୁତ ଭଲପାଉ ବୋଲି ତା ଭଳି ଚିତ୍ରଟିଏ ଆଙ୍କିଦେଇଛୁ । ସବୁବେଳେ ସଭିଙ୍କୁ ଭଲପାଇ ଏମିତି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଥା । ନିଶ୍ଚୟ ଦିନେ ନା ଦିନେ ତୋ ନାଁ ସବୁଠି ଶୁଭିବ ।

ସିନି ସିନା ଛୋଟ ଝିଅ
ଜୀବେ ଦୟା ରଖୁଛି,
ଛୋଟ ଛୋଟ ଜୀବଙ୍କର
ଚିତ୍ର କେତେ ଆଙ୍କୁଛି ।

ଭୁବନେଶ୍ବର
୭୦୦୮୧ ୪୨୦୪୦

Leave A Reply

Your email address will not be published.