ପ୍ରତିଭା ସାହୁ
ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ନଈଟିଏ ବହିଯାଉଛି।ସେ ନଈରୁ ଜଙ୍ଗଲର ପଶୁ ପକ୍ଷୀ ସବୁ ପାଣି ପିଇଥାନ୍ତି । ନଈରେ ଅନେକ କଇଁଛ ଥାଆନ୍ତି । କଇଁଛର ଦଳପତି ପାଣିର ଯେଉଁ ଆଡକୁ ଯାଆନ୍ତି ଅନ୍ୟ କଇଁଛ ସବୁ ତାଙ୍କ କଥା ମାନି ସେ ଆଡେ ଯାଇଥାନ୍ତି ।
ଦଳପତି କଇଁଛ ଦିନେ ନ୍ଈପଠା ବାଲିରେ ଅନ୍ୟ କଇଁଛମାନଙ୍କ ସହ ଶୋଇଥାନ୍ତି। ସେହି ସମୟରେ ପାଖ ଗାଁରୁ ଲୋକଟିଏ ମାଛ ମାରିବବୋଲି ଜାଲ ଧରି ନଈକୁ ଆସିଲା। କୂଳରେ ପହଞ୍ଚି ଦେଖେ ତ, ଅନେକ ଗୁଡ଼ିଏ କଇଁଛ ବାଲିରେ ଶୋଇଛନ୍ତି । ସେ ଖୁବ୍ ଖୁସି ହୋଇ ଜାଲଟିକୁ କଇଁଛ ମାନଙ୍କ ଉପରେ ପକାଇ ଦେଲା । ଏତେ ଗୁଡ଼ାଏ କଇଁଛ ବଜାରକୁ ଵିକିବାକୁ କେମିତି ନେବ। ତେଣୁ ସେ ଘରକୁ ଅଖା ଆଣିବାକୁ ଗଲା।
ବିଚରା କଇଁଛମାନେ ବଡ଼ ବିପଦରେ ପଡ଼ିଲେ । ସମସ୍ତଙ୍କ ମୃତ୍ୟୁ ନିଶ୍ଚିତ । ସମସ୍ତେ ଵସି ଦଳପତି ସହ ଚିନ୍ତା ମଗ୍ନ ହୋଇପଡିଲେ। ଏତିକି ଵେଳେ ହରିଣଟିଏ ନଈକୁ ପାଣି ପିଇବାକୁ ଆସିଲା। ତାକୁ ଦେଖି ଜାଲ ଭିତରେ ଥିବା ଦଳପତି କଇଁଛ ନେହୁରା ହୋଇ ଡାକ ପକାଇଲେ। ହରିଣ ପାଖକୁ ଯାଇ ଦେଖିଲା କଇଁଛମାନେ ଜାଲ ଭିତରେ ଅଛନ୍ତି । କଇଁଛମାନେ କହିଲେ ଆମକୁ ଟିକେ ବଞ୍ଚେଇ ଦିଅ ବନ୍ଧୁ। ଏଇ ଜାଲଟିକେ ଆଡେଇ ଦେଲେ ଆମେ ପାଣି ଭିତରକୁ ପଳେଇବୁ।
ହରିଣ ସେମାନଙ୍କ କଥା ଶୁଣି ଜାଲଟିକୁ ଗୋଡରେ ଆଡେଇ ଦେଲା। ଧିରେ ଧିରେ କଇଁଛମାନେ ପାଣି ଭିତରକୁ ଚାଲିଗଲେ। ଦଳପତି କଇଁଛ ହରିଣକୁ ଧନ୍ୟବାଦ ଜଣେଇ କହିଲା, ହେ ଵନ୍ଧୁ ହରିଣ ଯେଉଁ ଦିନ ତୁମେ ବିପଦରେ ଥିବ ସେଦିନ ଆମକୁ ଡାକିବ। ଆମେ ଆମ ଜୀବନ ଦେଇ ସାହାଯ୍ୟ କରିବୁ। ତା,ପରେ ହରିଣଟି ପାଣି ପିଇ ଜଙ୍ଗଲକୁ ଚାଲିଗଲା।
କିଛିଦିନ ପରେ ହରିଣଟି ଜଙ୍ଗଲରେ ଚରୁଥିବା ସମୟରେ ଏକ ବାଘ ମୁହଁରେ ପଡିଗଲା। ଭୋକିଲା ଵାଘଟି ତାକୁ ଖାଇବାକୁ ଭାରି ଖୁସି ହେଉଥାଏ। ହରିଣଟି ସାହାସର ସହ ବାଘକୁ କହିଲା, ବାଘ ମାମୁଁ ତମେ ତ, ମୋତେ ଖାଇଵ। କିନ୍ତୁ ମରିବା ଆଗରୁ ମୁଁ ଟିକେ ପାଣି ପିଇବାକୁ ଚାହୁଁଛି। ବାଘ କହିଲା, ଓଃ, ଏଇ କଥା ! ଚାଲ୍ ନଈ ଯିବା। ଦୁହେଁ ନ୍ଈ କୂଳରେ ପହଞ୍ଚିଲେ । ଦଳପତି କଇଁଛ ଵାଲିରେ ଶୋଇଥିଲା। ଏମାନଙ୍କୁ ଦେଖି ପାଣିରେ ପଶି ଚାହିଁ ରହିଲା। ହରିଣଟି ଧିରେ ପାଣି ପାଖକୁ ଆସି ବନ୍ଧୁ କଇଁଛର କାନରେ ତୁନି ତୁନି ସବୁ କଥା କହି ଦେଲା ।
କଇଁଛ ଏକଥା ଶୁଣି କହିଲା, ଭୟ କରନାହିଁ ବନ୍ଧୁ ମୁଁ ଅଛି ପରା। ତୁମେ ମୁହଁକୁ ପାଣିରେ ବୁଡେଇ ମୋ ପିଠି ଉପରେ ଚଢିଯାଅ। କଇଁଛ କଥା ଶୁଣି ହରିଣ କହିଲା ତମେ ଏତେ କଷ୍ଟ ସହି ପାରିବ ତ ! କଇଁଛ କହିଲା ମୋ ପିଠିର ଖୋଳପା ଲୁହା ଭଳି ଶକ୍ତ। ହରିଣ ପାଣି ପିଇବା ବାହାନାରେ କଇଁଛ ପିଠିରେ ଠିଆ ହୋଇଗଲା । କଇଁଛ ଧିରେ ଧିରେ ହରିଣକୁ ପାଣି ଭିତରକୁ ନେଇଗଲା। ଅନ୍ୟମନସ୍କ ହୋଇ ଠିଆ ହୋଇଥିବା ବାଘଟି ହଠାତ୍ ହରିଣକୁ ଅନେଇଲା ବେଳେ ହରିଣଟି ମଝି ନ୍ଈରେ ପହଞ୍ଚି ଯାଇଥିଲା। ପାଣିରେ ଏତେ ବାଟ ଵାଘ ଯାଇ ପାରିବ ନାହିଁ । କଇଁଛଟି ହରିଣକୁ ନେଇ ଆରପାଖ କୁଳରେ ଛାଡିଲା। ହରିଣ ଆଉ ଥରେ ନୂଆ ଜୀବନ ଫେରି ପାଇ ଖୁସିରେ କଇଁଛକୁ ଧନ୍ୟବାଦ ଜଣେଇ କହିଲା, ବନ୍ଧୁ ହେବ ତ, ଏମିତି। ବିପଦ ଆପଦରେ ପରସ୍ପରଙ୍କୁ ସାହାଯ୍ୟ କରିବା ପ୍ରକୃତ ବନ୍ଧୁତାର ପରିଚୟ ଅଟେ।
ବ୍ଇଣ୍ଡା ହାଇସ୍କୁଲ ରୋଡ୍) ଅନୁଗୋଳ
ମୋ ନଂ… ୭୦୦୮୨୩୬୯୯୧