Latest Odisha News

ସରୋଜିନୀ ନାଇଡ଼ୁ

ପ୍ରିୟ କୁନି ପିଲାମାନେ

ଆଜି ହେଉଛି ଫେବୃଆରୀ ୧୩ ତାରିଖ । ଅନେକ ବର୍ଷ ପୂର୍ବେ ଆଜିର ଦିନରେ ଜଣେ ମହିୟସୀ ମହିଳା ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନାଁ ଥିଲା ସରୋଜିନୀ ନାଇଡ଼ୁ ।

୧୮୭୯ ମସିହା ଫେବୃଆରୀ ୧୩ ତାରିଖରେ ହାଇଦ୍ରାବାଦରେ  ସରୋଜିନୀ ନାଇଡ଼ୁ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ଅଘୋରନାଥ ଚଟ୍ଟୋପାଧ୍ୟାୟ ଏବଂ ମା’ଙ୍କ ନାଁ ବରଦା ସୁନ୍ଦରୀ ଦେବୀ ଥିଲା । ତାଙ୍କର ସାତ ଜଣ ଭାଇ ଭଉଣୀ ଥିଲେ । ଅଘୋରନାଥ ଜଣେ ଜ୍ଞାନୀ,ଗୁଣୀ ଓ ପ୍ରକୃତିପ୍ରେମୀ ବ୍ୟକ୍ତି ଥିଲେ । ମାତା ବରଦା ସୁନ୍ଦରୀ ମଧ୍ୟ ଜଣେ ଶିକ୍ଷିତା ମହିଳା ଥିଲେ। ସେ ବଙ୍ଗଳା ଭାଷାରେ କବିତା ରଚନା କରୁଥିଲେ।ଉଭୟଙ୍କର ପ୍ରତିଭା ସରୋଜିନୀଙ୍କ ପାଖରେ ଦେଖିବାକୁ ମିଳିଥିଲା।

ସେତେବେଳେ ଇଂରେଜ ମାନେ ଆମ ଦେଶକୁ ଶାସନ କରୁଥିଲେ । ସେମାନଙ୍କ ଚାଲିଚଳନ ଓ ବେଶଭୂଷା ସରୋଜିନୀଙ୍କୁ ଆକର୍ଷିତ କରିଥିଲା। ସେଥିପାଇଁ ପିଲାଦିନୁ ସେ ପାଶ୍ଚାତ୍ୟ ଚଳଣି ଓ ଖାଦ୍ୟପେୟ ପସନ୍ଦ କରୁଥିଲେ। ଯଦିଓ ସରୋଜିନୀ ଇଂରେଜମାନଙ୍କ ଚଳଣି ଓ ସଭ୍ୟତାକୁ ପସନ୍ଦ କରୁଥିଲେ, କିନ୍ତୁ ଇଂରେଜୀ ଭାଷାରେ କଥାବାର୍ତ୍ତା କରିବାକୁ ଭଲ ପାଉନଥିଲେ। ସେ ଇଂରେଜୀ ଭାଷା ଶିଖିବାକୁ ଆଗ୍ରହୀ ନୁହନ୍ତି ବୋଲି ଥରେ ବାପାଙ୍କୁ କହିଥିଲେ ଏବଂ ଏହା ଶୁଣି ଅଘୋରନାଥ ରାଗିଯାଇ ତାଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ। କାରଣ ସେତେବେଳେ ଇଂରାଜୀ ଭାଷା ଓ ଜ୍ଞାନ ହିଁ ଥିଲା ସଫଳତାର ଚାବିକାଠି ବୋଲି ଧରାଯାଉଥିଲା ।ବାପା ବହୁତ ବୁଝାଇବାପରେ ସେ ନିଜ ମତ ବଦଳାଇଥିଲେ। ଅଘୋରନାଥ ତାଙ୍କ ପାଇଁ ଜଣେ ଭଲ ଇଂରାଜୀ ଓ ଫରାସୀ ଗୃହଶିକ୍ଷକ ନିଯୁକ୍ତ କରିଥିଲେ। ଧୀରେଧୀରେ ଇଂରାଜୀ ଭାଷା ମଧ୍ୟ ତାଙ୍କର ଅତି ପ୍ରିୟ ହୋଇଗଲା। କେବଳ କଥାବାର୍ତ୍ତା ନୁହେଁ ସେ ଇଂରାଜୀରେ ଲେଖାଲେଖି ମଧ୍ୟ ଆରମ୍ଭ କରିଦେଲେ।

ମାତ୍ର ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ସେ ଇଂରାଜୀ କବିତା ଲେଖିବାକୁ ଭଲ ପାଉଥିଲେ । ସରୋଜିନୀଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ ହାଇଦ୍ରାବାଦର ନିଜାମ ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ । ତେରବର୍ଷ ବୟସରେ ପ୍ରାୟ ଛଅ ଦିନ ମଧ୍ୟରେ ସେ ୧୩୦୦ ପଦରେ ‘ଲେଡି ଅଫ ଦି ଲେକ୍’ ନାମକ ଦୀର୍ଘ କବିତା ରଚନା କରିଥିଲେ। ଏହାଛଡା ଏକ ଦୁଇ ହଜାର ଧାଡ଼ିର ନାଟକ ମଧ୍ୟ ଲେଖିଥିଲେ।

ଉଚ୍ଚଶିକ୍ଷା ପାଇଁ ୧୬ ବର୍ଷ ବୟସରେ ସରୋଜିନୀ ବିଲାତ ଯାତ୍ରା କରିଥିଲେ। ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କଲେ । ସେହି ସମୟରେ ଲଣ୍ଡନର “ରାଇମର୍ସ କ୍ଲବ୍”ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙଙ୍କ ପ୍ରୋତ୍ସାହନ ପାଇ ତାଙ୍କର କବୀ ପ୍ରତିଭାର ବିକାଶ ଘଟିଥିଲା ।

ଲଣ୍ଡନରେ ୩ବର୍ଷ ରହିବା ପରେ ତାଙ୍କର ସ୍ୱସ୍ଥ୍ୟହାନୀ ଘଟିଥିଲା। ଏହି କାରଣରୁ ବିଦେଶରୁ କୌଣସି ଡିଗ୍ରୀ ହାସଲ ନ କରି  ୧୮୮୯ରେ ଭାରତକୁ ଫେରିଆସିଥିଲେ। ଉର୍ଦ୍ଦୁ , ତେଲୁଗୁ, ଇଂରାଜୀ, ପାର୍ସି ଓ ବଙ୍ଗଳା ଭାଷାରେ ଦକ୍ଷତା ହାସଲ କରିଥିଲେ। ୧୯୧୫ରୁ ୧୯୧୮ ପର୍ଯ୍ୟନ୍ତ ସେ ଯୁବଶକ୍ତିକୁ ଜାଗ୍ରତ କରାଇବା ସହ ମହିଳା ସଶକ୍ତିକରଣ ଉପରେ ସମଗ୍ର ଦେଶବୁଲି ବକ୍ତୃତା ଦେଇଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଜୀଙ୍କର ଜଣେ ସହଯୋଗୀ ଭାବରେ ସେ କାର୍ଯ୍ୟ କରିଥିଲେ ।

ଭାରତ ସ୍ୱାଧୀନ ହେବାପରେ ସରୋଜିନୀ ଉତ୍ତର ପ୍ରଦେଶ ତଥା ଭାରତର ପ୍ରଥମ ମହିଳା ରାଜ୍ୟପାଳ ହେଲେ । ଅଧିକାର ପାଇଁ ସଂଗ୍ରାମ ହେଉ, କିମ୍ବା ହିନ୍ଦୁ-ମୁସଲମାନ ଏକତା ପ୍ରସଙ୍ଗ ହେଉ ସେ ସର୍ବଦା ନିଷ୍ଠା ଓ ସାହସିକତା ଦେଖାଇଥିଲେ । ସେଥିପାଇଁ ଗାନ୍ଧିଜୀ ତାଙ୍କୁ ଶ୍ରଦ୍ଧାରେ “ଆଜିର ମୀରାବାଈ” ବୋଲି ଡାକୁଥିଲେ ।

ସରୋଜିନୀ ନାଇଡୁ ଇଂରାଜୀ କବିତା ଲେଖୁଥିଲେ । ତାଙ୍କର ଇଂରାଜୀ କବିତା ଗ୍ରନ୍ଥ ‘ଇଣ୍ଡିୟାନ୍ ଡ୍ୟାନସରସ୍’, ‘ଦି ଇଣ୍ଡିଆନ୍ ଜିପ୍ସି’, ‘ଦି କୁଇନସ୍ ରାଇଭାଲ’, ‘ନାଇଟ୍ ଫଲ ଇନ୍ ଦି ସିଟ ଅଫ୍ ହାଇଦରାବାଦ୍’, ‘ଟୁ ଇଣ୍ଡିଆ’ ଏବଂ ‘ଗୁରେଦାନ’ ବହୁଳ ଭାବରେ ଦେଶ ତଥା ବିଦେଶରେ ଆଦୃତ ହୋଇଥିଲା । ତାଙ୍କର ପ୍ରଚଣ୍ଡ ପ୍ରତିଭା ପାଇଁ ତାଙ୍କୁ ‘ନାଇଟ ଏଙ୍ଗଲ’ ବା ‘ଭାରତର କୋକିଳ’ ବୋଲି କୁହା ଯାଉଥିଲା । ୧୯୪୯ ମସିହାରେ ମାର୍ଚ୍ଚ ୩ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।

ଇଂରାଜୀ ଭାଷାର ଜଣେ କବୀ , ନାରୀନେତ୍ରୀ ଏବଂ ବାଗ୍ମୀ ଭାବରେ ସେ ଜଣେ ସମନ୍ୱୟ ପ୍ରତିଭାର ଅଧିକାରିଣୀ ଥିଲେ । ତାଙ୍କର ଜୀବନବ୍ୟାପି ଅତୁଳନୀୟ ଅବଦାନ ପାଇଁ ସେ ସବୁବେଳେ ଆମ ହୃଦୟରେ ରହିବେ ।

ଆଜି ପାଇଁ ଏତିକି। ଆରଥରକୁ ପୁଣି ଜାଣିବା ଆଉ ଜଣେ ମହାପୁରୁଷଙ୍କ ବିଷୟରେ।

Comments are closed, but trackbacks and pingbacks are open.