Latest Odisha News

BREAKING NEWS

ପଠାଣି ସାମନ୍ତ

ପ୍ରିୟ କୁନି ପିଲାମାନେ

ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ୧୩ ଡିସେମ୍ବର ୧୮୩୫ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ୟାମବନ୍ଧୁ ସିଂହ ଓ ମାତାଙ୍କ ନାମ ବିଷ୍ଣୁମାଳୀ ଦେବୀ ଥିଲା । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ସେ ଜନ୍ମଗ୍ରହଣ କରିଥିବାର ବିଶ୍ୱାସ କରି, ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ ।

ଚନ୍ଦ୍ରଶେଖରଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଥିଲେ । ଗଣିତ ଜ୍ୟୋତିଷରେ ତାହାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଚନ୍ଦ୍ରଶେଖର ବାପାଙ୍କଠାରୁ ଗଣିତ ଜ୍ୟୋତିଷର ଆଲୋଚନା ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ । ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ପର୍ଯ୍ୟାଲୋଚନା କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ । ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତିବିଧି ଉପରେ ନଜର ରଖି ସେ ପାଣିପାଗ , ସୂର୍ଯ୍ୟପରାଗ , ଚନ୍ଦ୍ରଗ୍ରହଣ ଆଦି ବିଷୟରେ ନିର୍ଭୁଲ ତଥ୍ୟ ଦେଇପାରୁଥିଲେ ।

ଗୋଲଯନ୍ତ୍ର, ସୂର୍ଯ୍ୟଘଡ଼ି (ଏହା ସୂର୍ଯ୍ୟଙ୍କ ଗତିକୁ ନେଇ ସମୟ ନିରୂପଣ ପାଇଁ ବ୍ୟବହାର କରାଯାଇଥାଏ), ଶଙ୍କୁଦଣ୍ଡ, ଉଲମ୍ବୀ ଚକ୍ର, ମାନଯନ୍ତ୍ର, ଖଗୋଳଯନ୍ତ୍ର ପ୍ରଭୃତି ସ୍ଵନିର୍ମିତ ଯନ୍ତ୍ର ସାହାଯ୍ୟରେ ସେ ଗ୍ରହ ନକ୍ଷତ୍ରମାନଙ୍କ ଉପରେ ଗବେଷଣା କରୁଥିଲେ । ଜ୍ୟୋତିଷଶାସ୍ତ୍ରର ନିର୍ଭୁଲ ଗଣନା ପାଇଁ ତାଙ୍କୁ ୧୮୯୩ ମସିହାରେ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରାଯାଇଥିଲା। ତାଙ୍କ ରଚିତ ‘ସିଦ୍ଧାନ୍ତ ଦର୍ପଣ’ ସମଗ୍ର ବିଶ୍ୱ ପାଇଁ ଏକ ଅମୂଲ୍ୟ ଗ୍ରନ୍ଥ। ୧୧ ଜୁନ ୧୯୦୪ ରେ ୬୮ ବର୍ଷ ବୟସରେ ସେ ଇହଧ୍ୟାମ ତ୍ୟାଗ କରିଥିଲେ

ଆଜି ପାଇଁ ଏତିକି। ଆରଥରକୁ ପୁଣି ଜାଣିବା ଆଉ ଜଣେ ମହାପୁରୁଷଙ୍କ ବିଷୟରେ।

Leave A Reply

Your email address will not be published.