Latest Odisha News

ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସ ସଭାପତି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମଙ୍ଗୁଆଳ । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସ ସଭାପତି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶରତ ପଟ୍ଟନାୟକଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଗ୍ରହଣ କରିଛନ୍ତି ବୋଲି ଏଆଇସିସି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ନିରଞ୍ଜନ ପଟ୍ଟନାୟକ ଦୀର୍ଘ ବର୍ଷ ହେବ ଏହି ପଦରେ ଥିଲେ। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ।

ଶରତ ପଟ୍ଟନାୟକ ପୂର୍ବରୁ 2000ରୁ 2004 ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ପଶ୍ଚିମ ଓଡ଼ିଶାର ଏହି ନେତା ବଲାଙ୍ଗୀରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ପିସିସି ପରିବର୍ତ୍ତନ ନେଇ ଦୀର୍ଘ ଦିନ ହେବ ଦିଲ୍ଲୀରେ ମାନସ ମନ୍ଥନ ଚାଲିଥିଲା। ନିକଟରେ ଅନେକ କଂଗ୍ରେସ ନେତା ଦିଲ୍ଲୀର ଶୀର୍ଷ ନେତାଙ୍କୁ ଭେଟିଥିଲେ। ଏହି ସମୟରେ କିନ୍ତୁ କିଛି ନେତା ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାନଯାଉ ବୋଲି ଦାବି କରିଥିଲେ ବୋଲି ସୂଚନା ରହିଥିଲା। କିନ୍ତୁ ଶେଷରେ କଂଗ୍ରେସ ଶରତ ପଟ୍ଟନାୟକଙ୍କୁ କମାଣ ଦେଇଛି।

ଶରତ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି, ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି। ଯାହା ଅଛି ତାହା ପରିବାରର କଥା । ଆଲୋଚନା ଜରିଆରେ ସମାଧାନ ହେବ।

ଏବେ ସେ ବ୍ରଜରାଜନଗରରେ ରହିଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ସେ ପ୍ରଚାର କରୁଛନ୍ତି। ତାଙ୍କ ସହିତ ବିଧାୟକ ତାରା ବାହିନୀ ପତି, ମହମ୍ମଦ ମୋକିମ ରହିଛନ୍ତି। ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି  ବୋଲି ସେ କହିଛନ୍ତି। ନିର୍ବାଚନ ପରେ ସେ ବୈଠକ କରି ନେତାଙ୍କ ସହ ଆଲୋଚନା କରିବେ ଏବଂ 2024 ସାଧାରଣ ନିର୍ବାଚନ ପାଇଁ ସଂଗଠନ ମଜବୁତ କରିବା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ କଂଗ୍ରେସ ବିଧାୟକ ଦଳ ପଦରୁ ଏବଂ ସଚେତକ ପଦରୁ ନରସିଂହ ମିଶ୍ର ଏବଂ ତାରା ବାହିନୀ ପତି ଇସ୍ତଫା ଦେଇଛନ୍ତି। ଏହି ଦୁଇ ନେତା ଶରତ ପଟ୍ଟନାୟକ ପିସିସି ସଭାପତି ନହୁଅନ୍ତୁ ବୋଲି ଦାବି କରୁଥିଲେ। ଏପରି ସ୍ଥିତିରେ ଶରତ ପଟ୍ଟନାୟକ ଏହି ଦୁଇ ବରିଷ୍ଠ ନେତାଙ୍କୁ କିପରି ମାନ ଭଞ୍ଜନ କରି ସାଙ୍ଗରେ ଆଣୁଛନ୍ତି ତାହା ସମୟ କହିବ।

ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ ଦଳର ଶୀର୍ଷ ନେତା ଗୁରୁତ୍ୱ ଦେଉଛନ୍ତି। ତେଣୁ ବିଭିନ୍ନ ରାଜ୍ୟରେ ପିସିସି ପରିବର୍ତ୍ତନ ହୋଇସାରିଛନ୍ତି।

Leave A Reply

Your email address will not be published.