Latest Odisha News

ସପ୍ତାହକୁ ୯୦ଘଣ୍ଟା କାମ !

ନୂଆଦିଲ୍ଲୀ: ସପ୍ତାହକୁ ୯୦ଘଣ୍ଟା କାମ କରିବା ନେଇ ଯୁକ୍ତି ବାଢି ବିବାଦରେ ଲାର୍ସନ ଆଣ୍ଡ ଟୁବ୍ରୋ କମ୍ପାନୀ ଅଧ୍ୟକ୍ଷ ଏସଏନ୍ ସୁବ୍ରମଣ୍ୟନ । ନିଜ କର୍ମଚାରୀଙ୍କୁ ରବିବାର ବି କାମ କରାଇ ପାରିଲେ ସେ ଅଧିକ ଖୁସି ହୁଅନ୍ତେ ବୋଲି କହିଛନ୍ତି । କାରଣ ସେ ନିଜେ ରବିବାର କାମ କରନ୍ତି । ଛୁଟି ନେଲେ କର୍ମଚାରୀଙ୍କର କଣ ଲାଭ? ଘରେ ବସି ବସି ସେମାନେ କଣ କରିବେ? ସ୍ତ୍ରୀଙ୍କୁ କେତେ ସମୟ ପର୍ଯ୍ୟନ୍ତ ଦେଖିବେ? ତେଣୁ ଅଫିସ ଯାଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରମଣ୍ୟନ । ପୂର୍ବରୁ ଇନଫୋସିସ କୋଫାଉଣ୍ଡର ନାରାୟଣ ମୂର୍ତ୍ତି ପୂର୍ବରୁ ସପ୍ତାହକୁ ୭୦ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଅଧିକ ସମୟ କାମ କରିବାକୁ ନେଇ ବିତର୍କ ଆରମ୍ଭ ହୋଇଛି । ମାନସିକ ସ୍ବାସ୍ଥ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ।

କେମିତି ହେବ କାମ-ଜୀବନ ବାଲାନ୍ସ?

ଯଦି ସପ୍ତାହରେ ଜଣେ ୯୦ଘଣ୍ଟା କାମ କରିବେ ତେବେ ତାଙ୍କର ବାକି ଜୀବନର କଣ ହେବ? ଓ୍ବାର୍କ-ଲାଇଫ୍ ବାଲାନ୍ସ କେମିତି ହେବ? କାମର ସମୟ ବଢାଇଲେ କାମର ଗୁଣବତ୍ତା ବଢିବ ନା କମିବ? ଏଲ ଆଣ୍ଡ ଟି କମ୍ପାନୀ ଅଧ୍ୟକ୍ଷ ଏସଏନ୍ ସୁବ୍ରମଣ୍ୟନଙ୍କ ସପ୍ତାହକୁ ୯୦ଘଣ୍ଟା କାମ ପରାମର୍ଶ ପରେ ସୋସିଆଲ୍ ମିଡିଆରେ ଏଭଳି ବିତର୍କ ଚାଲିଛି । ଯଦି ଜଣେ ବ୍ୟକ୍ତି ଦିନକୁ ୧୩ଘଣ୍ଟା କାମ କରନ୍ତି ୭ଘଣ୍ଟା ଶୋଇବାରେ ଯାଏ, ଅଫିସ ଯିବା ଆସିବାରେ ୨ଘଣ୍ଟା ଯାଏ ତେବେ ବ୍ୟକ୍ତିଗତ ଜୀବନ ପାଇଁ କେତେ ସମୟ ବଞ୍ଚିବ ବୋଲି ପ୍ରଶ୍ନ ଉଠିଛି । ଏଭଳି ସ୍ଥିତିରେ ବ୍ୟକ୍ତିର ମାନସିକ ସ୍ବାସ୍ଥ୍ୟର ସ୍ଥିତି କଣ ହେବ? ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଏଭଳି ବୟାନକୁ ନିନ୍ଦା କରିବା ସହ ମାନସିକ ସ୍ବାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏତେ ବଡ ପଦରେ ଥିବା ଜଣେ ବ୍ୟକ୍ତି ଏଭଳି ବୟାନ ଦେବା ଆଶ୍ଚର୍ଯ୍ୟ କରିଥିବା ସେ ପୋଷ୍ଟ କରିଛନ୍ତି ।

ସ୍ବାସ୍ଥ୍ୟ ଉପରେ ଅଧିକ କାମର ପ୍ରଭାବ

ଅଧିକ ସମୟ କାମ କଲେ ସ୍ବାସ୍ଥ୍ୟ ଉପରେ ବି ଖରାପ ପ୍ରଭାବ ପଡିବା ଆଶଙ୍କା ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ସପ୍ତାହକୁ ୫୫ଘଣ୍ଟା ବା ତାଠାରୁ ଅଧିକ କାମ କଲେ ଷ୍ଟ୍ରୋକ୍ ହେବାର ଆଶଙ୍କା ୩୫ପ୍ରତିଶତ ଓ ହୃଦରୋଗ ହେବାର ଆଶଙ୍କା ୧୭ପ୍ରତିଶତ ବଢିଯାଏ । ନନଷ୍ଟପ ଜୀବନଶୈଳୀ ଯୋଗୁଁ ମାନସିକ ଚାପ ବି ବଢିଥାଏ । ଫଳରେ କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଅଧିକ ସମୟ କାମ କରିବା ନକାରାତ୍ମକ ପ୍ରଭାବ ପକାଇଥାଏ ।

କାମର ସମୟ ବଢିଲେ ବିକାଶ ବଢିବ !

ଅଧିକ ସମୟ କାମ କରିବା ନେଇ ଯୁକ୍ତି ଉପସ୍ଥାପନ କରିବା ବେଳେ ଦେଶର ବିକାଶର କଥା କୁହାଯାଏ । ତେବେ ପ୍ରଶ୍ନ ଉଠୁଛି,  କାମ କରିବାର ସମୟ ବଢିଲେ ସତକୁସତ ଦେଶ ବିକାଶର ଗତି ବଢିବ କି? ଯଦି ଏହି ତର୍କରେ ସତ୍ୟତା ଥାନ୍ତା, ତେବେ ସବୁଠୁ ବିକଶିତ ଦେଶରେ ଲୋକଙ୍କ କାମ କରିବା ସମୟ ସବୁଠୁ ଅଧିକ ହୋଇଥାନ୍ତା । ଆମେରିକାରେ ସପ୍ତାହକୁ ୪୦ଘଣ୍ଟା, ୟୁକେରେ ୪୮ଘଣ୍ଟା, ଅଷ୍ଟ୍ରେଲିଆରେ ୩୮ଘଣ୍ଟା, ଫ୍ରାନ୍ସରେ ୩୬ ତ ନେଦରଲ୍ୟାଣ୍ଡରେ ସପ୍ତାହକୁ ୨୯ଘଣ୍ଟା କାମ କରନ୍ତି କର୍ମଚାରୀ । ଏସବୁ ବିକଶିତ ଦେଶରେ କାମ କରିବାର ସମୟ ଯଦି ଏତିକି, ତେବେ ଅଧିକ ଘଣ୍ଟା କାମ କଲେ ଯେ ଦେଶର ବିକାଶ ହେବ, ସେଯୁକ୍ତିର କିଛି ଆଧାର ହିଁ ନାହିଁ । ସେପଟେ ୨୦୨୦ରେ କରୋନା ମହାମାରୀ ବେଳେ ଅଧିକାଂଶ କର୍ମଚାରୀ ଘରୁ କାମ କରିବାରୁ କାମର ଉତ୍ପାଦକତା ବଢିଥିଲା । କର୍ମଚାରୀ ସପ୍ତାହରେ ଗୋଟିଏରୁ ଦୁଇଦିନ ଘରୁ କାମ କଲେ ଦେଶର ଜିଡିପି ବଢିପାରେ ବୋଲି କୁହାଯାଇଛି ।

ଅଧିକ ଘଣ୍ଟା କାମ କରିବାର ଅର୍ଥ ଅଧିକ କାମ କରିବା ନୁହେଁ । ଅଧିକ ସମୟ କାମ କରିବା ଦ୍ବାରା କର୍ମଚାରୀଙ୍କର ଉତ୍ପାଦକତା କମିପାରେ । ତଥ୍ୟ ଅନୁସାରେ, ସପ୍ତାହରେ ୫୦ଘଣ୍ଟା କାମ କରିବା ପରେ ଉତ୍ପାଦକତା କମିଯାଏ, ଯାହା ୫୫ଘଣ୍ଟା କାମ କରିବା ପରେ ସଂପୂର୍ଣ୍ଣ ରୂପେ କମିଯାଏ । ଖାଲି ସେତିକି ନୁହେଁ ସପ୍ତାହକୁ ଗୋଟିଏ ଦିନ ଛୁଟି ନନେଲେ ମଧ୍ୟ ଏହାର ପ୍ରଭାବ କାମ ଉପରେ ପଡିପାରେ । ବିଶ୍ବର ସବୁଠୁ ସୁଖୀ ଦେଶ କୁହାଯାଉଥିବା ଡେନମାର୍କରେ ଲୋକ ସପ୍ତାହକୁ ୩୮ଘଣ୍ଟା କାମ କରନ୍ତି । କାମ ଓ ଜୀବନ ମଧ୍ୟରେ ଭଲ ସନ୍ତୁଳନ ଯୋଗୁଁ ଖୁସି ରୁହନ୍ତି ।

Leave A Reply

Your email address will not be published.