Latest Odisha News

BREAKING NEWS

ନିଖୋଜ ସରପଞ୍ଚ ପ୍ରାର୍ଥୀଙ୍କୁ ୨ ଦିନ ପରେ ଉଦ୍ଧାର କଲା ପୋଲିସ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଥିଲା । ନିର୍ବାଚନ ପୂର୍ବରୁ ଏହି ବ୍ଲକର ଭାତଛତ୍ର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସଦାନନ୍ଦ ଟୁଡୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା । ନିଖୋଜ ଥିବା ଉକ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ ଉଦ୍ଧାର କରିଥିଲା । ଉକ୍ତ ପ୍ରାର୍ଥୀଙ୍କୁ ଗତ ୨୨ ତାରିଖ ସନ୍ଧ୍ୟା ସମୟରେ ବବେଇଜଳା ଛକରୁ ୪ ଜଣ ଦୁର୍ବୁତ୍ତ ଏକ ବୋଲେର ଗାଡିରେ ଅପହରଣ କରି ନେଇଥିଲେ ବୋଲି ଜଣାପଡ଼ିଛି।

ଅପହରଣ ପରେ ତାଙ୍କଠାରୁ ୧୩ ହଜାର ଟଙ୍କା ଓ ମୋବାଇଲ ଛଡାଇ ନେଇଥିବା କହିଛନ୍ତି ଉଦ୍ଧାର ହୋଇଥିବା ସରପଞ୍ଚ ପ୍ରାର୍ଥୀ। ଅପହରଣ ପରେ ଚୋରି କରିବା ସହ ସରପଞ୍ଚ ପ୍ରାର୍ଥୀଙ୍କୁ ବାଙ୍ଗରିପୋଷି ଥାନା ଘାଟକୁଆଳି ଅଞ୍ଚଳରେ ମୁର୍ମୁଷ ଅବସ୍ଥାରେ ଛାଡି ପଳାଇଯାଇଥିବା ପୁଲିସ ଆଗରେ କହିଛନ୍ତି ସରପଞ୍ଚ ପ୍ରାର୍ଥୀ।

ସୂଚନା ଥାଉକି: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଭାତଛତ୍ର ପଞ୍ଚାୟତର ଅପହୃତ ସରପଞ୍ଚ ପ୍ରାର୍ଥୀ ସଦାନନ୍ଦ ଟୁଡ଼ୁ ୨ ଦିନ ପରେ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଭାତଛତ୍ର ପଞ୍ଚାୟତରୁ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି ସଦାନନ୍ଦ। ୨୨ ତାରିଖ ସନ୍ଧ୍ୟାରେ କେନ୍ଦୁମରା ଓ ଭାତଛତ୍ର ଗାଁରେ ନିର୍ବାଚନ ପ୍ରଚାର ସାରି ସେ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ ବବେଇଜଳା ଛକଠାରେ ଏକ ବୋଲେରୋ ଆସି ତାଙ୍କ ନିକଟରେ ଅଟକିଥିଲା। ଡ୍ରାଇଭରଙ୍କ ସହ ଅନ୍ୟ ୩ ଜଣ ଯୁବକ ଗାଡ଼ିରୁ ବାହାରି ସଦାନନ୍ଦଙ୍କୁ କାବୁ କରି ସାଙ୍ଗରେ ନେଇ ଯାଇଥିଲେ। ଦୁର୍ବୃତ୍ତମାନେ ବୋଲେରୋ ଭିତରେ ସଦାନନ୍ଦଙ୍କୁ କୌଣସି ନିଶାଦ୍ରବ୍ୟ ଖୁଆଇ ତାଙ୍କ ପ୍ୟାଣ୍ଟ ପକେଟ୍ରୁ ୧୩ ହଜାର ଟଙ୍କା ଓ ସ୍ମାର୍ଟ ଫୋନ୍ ଛଡ଼ାଇ ନେଇଥିଲେ।

ସେପଟେ ସଦାନନ୍ଦ ଘରକୁ ନ ଫେରିବାରୁ ୨୩ ତାରିଖରେ ତାଙ୍କ ପତ୍ନୀ ବାସନ୍ତୀ ଟୁଡୁ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମତଦାନର ଦିନକ ପୂର୍ବରୁ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ କରିନିଆଯିବା ଘଟଣାକୁ ଗୁରୁତ୍ବର ସହ ନେଇଥିଲେ ମୟୂରଭଞ୍ଜ ଏସ୍ପି କେ.ଋଷିକେଶ ଦ୍ୟାନଦେଓ। ଅପହୃତ ସଦାନନ୍ଦଙ୍କୁ ଉଦ୍ଧାର କରିବା ଲାଗି ଅତିରିକ୍ତ ଏସ୍ପି ମନୋରଞ୍ଜନ ବିଶ୍ବାଳଙ୍କ ତତ୍ତ୍ବାବଧାନରେ ରାଇରଙ୍ଗପୁର ଏସ୍ଡିପିଓ ରତିକାନ୍ତ ଗିରି, ରାଇରଙ୍ଗପୁର ଟାଉନ୍ ଥାନା ଆଇଆଇସି ଅଜୟ ସୁନ୍ଦର ବାଗେ ଓ ବିଶୋଇ ଥାନା ଅଧିକାରୀ ଫଣୀନ୍ଦ୍ର ଭୂଷଣ ନାଏକଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା।

ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ସଦାନନ୍ଦଙ୍କ ହୋସ୍ ଆସିଲା ବେଳକୁ ସେ ବାଙ୍ଗରିପୋଷି ଥାନା ଘାଟକୁଆଁରି ଗାଁ ନିକଟ ଏକ ନିଛାଟିଆ ଜାଗାରେ ନିଜକୁ ପାଇଥିଲେ। ମୋବାଇଲ୍ ନ ଥିବାରୁ କାହା ସହିତ ତାଙ୍କର ଯୋଗାଯୋଗ ହୋଇ ପାରିନଥିଲା। ଫଳରେ ଅନ୍ଧାର ରାତିରେ ଚାଲିଚାଲି ସେ କେନ୍ଦୁମରା ଗାଁ ପର୍ୟ୍ୟନ୍ତ ଯାଇ ସେଠାରେ ସ୍ଥାନୀୟ ନାଏବ ସରପଞ୍ଚ ଚନ୍ଦ୍ରମୋହନ ଗିରିଙ୍କୁ ଭେଟି ସବୁକଥା କହିଥିଲେ। ଆଜି ସକାଳେ ପୁଲିସ କେନ୍ଦୁମରା ଗ୍ରାମରୁ ସଦାନନ୍ଦଙ୍କୁ ଉଦ୍ଧାର କରି ବିଶୋଇ ଥାନାରେ ତାଙ୍କର ବୟାନ୍ ରେକର୍ଡ କରିଛି।

ଅତିରିକ୍ତ ଏସ୍ପି ଶ୍ରୀ ବିଶ୍ୱାଳଙ୍କ ସୂଚନା ମୁତାବକ ଅପହରଣ ପଛରେ ରାଜନୈତିକ ଆକ୍ରୋଶ ନା ଆଉ କଣ କାରଣ ରହିଛି, ସେ ସଂପର୍କରେ ତଦନ୍ତ ଚାଲିଛି। ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ଖୁବ୍ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ପୋଲିସ କହିଛି ।

Comments are closed, but trackbacks and pingbacks are open.