Latest Odisha News

ସ୍ୟାଟ୍ ପକ୍ଷରୁ ଜଳ ସମ୍ପଦ ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କୁ ଗିରଫ ପରୱାନା

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍) ପକ୍ଷରୁ ରାଜ୍ୟ ଜଳ ସମ୍ପଦ ବିଭାଗର ସଚିବ ପ୍ରଦୀପ ଜେନା ଏବଂ କ୍ଷୁଦ୍ର ଜଳସେଚନର ମୁଖ୍ୟଯନ୍ତ୍ରୀ ସରୋଜ ପଟ୍ଟନାୟକଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି ।

ସ୍ୟାଟ ଖଣ୍ଡପୀଠ ପକ୍ଷରୁ ଏହି ଶୁଣାଣି କରାଯାଇ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରାଯାଇଛି । ଶୁଣାଣିରେ ୫ ହଜାର ଟଙ୍କା ବିନିମୟରେ ତାଙ୍କୁ ଗିରଫ ପରୱାନା ଜାରି କରାଯାଇଥିବା ବେଳେ ଆସନ୍ତା ଫେବୃଆରୀ ୭ ତାରିଖରେ ସ୍ୟାଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ଏହି ଗିରଫ ପରୱାନାରେ ସହଯୋଗ କରିବାକୁ କମିଶନରେଟ ପୋଲିସକୁ ସ୍ୟାଟ ପକ୍ଷରୁ ଅବଗତ କରାଯାଇଛି ।

ରାଜ୍ୟ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଜାମିନକାନ୍ତ ଦାସଙ୍କ ପକ୍ଷରୁ ଏକ ପିଟିସନ ଦାଏର କରାଯାଇଥିଲା । ଡ଼ଃ ଏମଏମ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲର ଏହି ଖଣ୍ଡପୀଠରେ ଜଷ୍ଟିସ ଜିଆର ପୁରୋହିତ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପିଟିସନ ଦାଏର କରିଥିବା କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହ ଯନ୍ତ୍ରୀ ଜାମିନକାନ୍ତ ଦାସଙ୍କ ପକ୍ଷରୁ ଦର୍ଶାଯାଇଥିଲା କି, ସ୍ୟାଟଙ୍କ ଆଦେଶକୁ ଅବମାନନା କରି କ୍ଷୁଦ୍ର ଜଳସେଚନ ବିଭାଗରେ ବରିଷ୍ଠ ଅଧିକାରୀ ଥିବାବେଳେ ବୃହତ ଓ ମଧ୍ୟମ ଜଳ ସେଚନ ବିଭାଗର ଯନ୍ତ୍ରୀ ସରୋଜ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଥିଲା । ଯାହାଫଳରେ କି କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହ ଯନ୍ତ୍ରୀଙ୍କର ପଦୋନ୍ନତି ହୋଇପାରିନଥିଲା ।

ପୂର୍ବରୁ ସ୍ୟାଟ ପକ୍ଷରୁ ଜାନୁଆରୀ ୯ ତାରିଖ ଦିନ ସ୍ୟାଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଅମାନ୍ୟ କରିବା ଫଳରେ ସ୍ୟାଟ ତାଙ୍କ ଶୁଣାଣିରେ ଉଭୟ ବରିଷ୍ଠ ଅଧିକାରୀଙ୍କୁ ଫେବୃଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.