ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଖରିଫ୍ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି । ଏହି ପ୍ରକ୍ରିୟାରେ ଅଣଧାନ, ଅଣକୃଷି ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଚିହ୍ନଟ କରାଯାଉଛି । ଯାହା ଦ୍ୱାରା ଧାନସଂଗ୍ରହରେ ସ୍ୱଚ୍ଛତା ବଜାୟ ରଖିବା ସହ ପ୍ରକୃତ ଚାଷୀ ଲାଭାନ୍ୱିତ ହୋଇପାରିବେ । ଏଥି ନିମନ୍ତେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ମଧ୍ୟରୁ ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି । ପଞ୍ଜିକୃତ କୌଣସି ଜମିର ତଥ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ତାହା ସମବାୟ ସମିତିର ଉପନିବନ୍ଧକଙ୍କ ପାଖକୁ କ୍ଷେତ୍ରୀୟ ସ୍ତରରେ ଯାଞ୍ଚ ପାଇଁ ପଠାଯାଏ ।
ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ୫ ଲକ୍ଷ ୪୬ ହଜାର ୫୯୧ଟି ପ୍ଲଟରେ ଧାନଚାଷ ହେଉଥିବା ପ୍ଲଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ପାଖାପାଖି ୧୯ ଲକ୍ଷ ପ୍ଲଟରେ ଧାନ ଚାଷ ହେଉନଥିବା ଜଣାପଡିଛି । ଏଥି ସହ ଚଳିତ ଖରିଫ ବିପଣନ ଋତୁରେ ଅଣଧାନ ଜମିକୁ ଧାନଚାଷ ହେଉଥିବା ପ୍ଲଟ ଭାବେ ଦର୍ଶାଇଥିବା ଚାଷୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସମସ୍ତ ଉପନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତ୍ୟେକ ପଞ୍ଜିକୃତ ଜମିର ତିନି ପର୍ଯ୍ୟାୟରେ ସର୍ଭେ କରାଯାଇ ଏହାର ବୈଧତା ଯାଞ୍ଚ କରାଯାଉଛି । ଏଥି ନିମନ୍ତେ ଉପଗ୍ରହ ଦ୍ୱାରା ଉତ୍ତୋଳିତ ଫଟୋର ସହାୟତା ନିଆଯାଉଛି । ଉପଗ୍ରହ ଭଳି ବୈଷୟିକ ବିଦ୍ୟାର ଉପଯୋଗ କରାଯାଇ ଧାନକିଣାରେ ସ୍ୱଚ୍ଛତା ଅଣାଯିବା ସହ ପ୍ରକୃତ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା କରାଯାଇ ପାରୁଛି ।