Latest Odisha News

BREAKING NEWS

ସନ୍ତୁଷ୍ଟି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ସନ୍ତୋଷ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରେ । ତୃପ୍ତ ହୋଇଯିବାର ଅବସ୍ଥା ହିଁ ସନ୍ତୁଷ୍ଟି । ଖୁସି ଅଳ୍ପ ସମୟ ପାଇଁ ଦିଏ, ସନ୍ତୁଷ୍ଟି ସବୁଦିନ ପାଇଁ ଖୁସି ଆଣିଦିଏ । ହୃଦୟରେ ସନ୍ତୁଷ୍ଟି ସ୍ଥାପନ କଲେ ଶାନ୍ତି ଅନୁଭବ ହୁଏ । ଗୋଟିଏ ଗାଁରେ ଶାଶୁ ବୋହୂ ଥିଲେ । ଶାଶୁ ଭକ୍ତି ଓ ଶ୍ରଦ୍ଧାର ସହିତ ଠାକୁରଙ୍କ ସେବା କରୁଥିଲେ । କିଛିଦିନ ପାଇଁ ଶାଶୁଙ୍କୁ ତୀର୍ଥରେ ଯିବାକୁ ପଡିଲା । ଶାଶୁ ବୋହୂକୁ ଡାକି ଠାକୁରଙ୍କ ପୂଜାର୍ଚ୍ଚନା ବିଷୟରେ କହିଲେ । ବୋହୁର ଠାକୁରଙ୍କ ବିଷୟରେ କୌଣସି ଜ୍ଞାନ ନାହିଁ । ତେଣୁ ବୋହୂକୁ କହିଲେ- ତିନିଥର ଘଣ୍ଟି ବଜାଇ ଠାକୁରଙ୍କୁ ଜାଗ୍ରତ କରିବୁ । ତା’ପରେ ଠାକୁରଙ୍କୁ ସ୍ନାନ କରାଇବୁ । ବସ୍ତ୍ର ପରିଧାନ କରାଇବୁ । ଚନ୍ଦନ ସିନ୍ଦୁର ଫୁଲ ଧୂପ ଦୀପ ଦେବୁ । ତା’ପରେ ଠାକୁରଙ୍କୁ ଦର୍ପଣ ଦେଖାଇବୁ । ଦର୍ପଣରେ ଠାକୁରଙ୍କର ହସୁଥିବାର ପ୍ରତିମୂର୍ତ୍ତିକୁ ଦେଖିବୁ । ଏହିପରି ଶାଶୁ ବୋହୂକୁ ସମସ୍ତ ସେବା ବିଷୟରେ ବୁଝାଇ ତୀର୍ଥ ଯାତ୍ରାରେ ଗଲେ । ବୋହୂ ଠାକୁରଙ୍କର ସେବା କାର୍ଯ୍ୟ କଲେ । ଯେପରି ତାଙ୍କ ଶାଶୁ ବୁଝାଇଥିଲେ, ସେପରି କଲେ । ଠାକୁରଙ୍କୁ ସ୍ନାନ କରି, ବସ୍ତ୍ର ପରିଧାନ କରି, ଦର୍ପଣ ଦେଖାଇଲେ ! ଶାଶୁ କହିଥିଲେ ଯେ ଦର୍ପଣରେ ଠାକୁରଙ୍କର ହସ ହସ ପ୍ରସନ୍ନ ବଦନ ଦେଖିବା ପରେ ରାଜଭୋଗ କରିବୁ । ଦର୍ପଣରେ ଠାକୁରଙ୍କର ହସୁଥିବା ଚେହେରା ନ ଦେଖି ବୋହୂ ଆଶ୍ଚର୍ଯ୍ୟ ହୋଇଗଲା । ଭାବିଲା ସେବାରେ କିଛି ତ୍ରୁଟି ରହିଗଲା । ବୋହୂ ପୁଣି ଥରେ ଠାକୁରଙ୍କର କର୍ମ କଲେ, ଦର୍ପଣ ଦେଖାଇଲେ । କିନ୍ତୁ ଠାକୁର ହସୁଥିବା ଚେହେରା ଦେଖାଗଲା ନାହିଁ । ବୋହୂ ଭାବିଲା ଯେ ବୋଧହୁଏ କିଛି ଭୁଲ୍ ହୋଇ ଯାଉଛି । ପୁଣି ଥରେ ଠାକୁରଙ୍କୁ ସ୍ନାନ, ବସ୍ତ୍ର, ଅର୍ଚ୍ଚନା କଲେ । ଦର୍ପଣ ଦେଖାଇଲେ । ତଥାପି ଠାକୁରଙ୍କର ହସୁଥିବା ଚେହେରା ଦେଖାଗଲା ନାହିଁ । ବୋହୂ ଠାକୁରଙ୍କୁ ଏପରି ବାର ଥର ସ୍ନାନ ଇତ୍ୟାଦି କର୍ମ କରିଥିଲେ ଏବଂ ପ୍ରତ୍ୟେକ ଥର ଦର୍ପଣ ଦେଖାଉଥିଲେ କିନ୍ତୁ ଠାକୁରଙ୍କର
ହସୁଥିବା ଚେହେରା ଦେଖି ପାରୁ ନଥିଲେ । ବୋହୂ ତେର ଥର ଠାକୁରଙ୍କ ସ୍ନାନ କର୍ମ କରିବାକୁ ପ୍ରସ୍ତୁତ ହେଉଥିଲେ । ଠାକୁର ଭାବିଲେ ଯଦି ସେ ହସୁଥିବା ଚେହେରା ନ ଦେଖାନ୍ତି, ତେବେ ସେ ଏପରି ଦିନସାରା କରୁଥିବ । ବର୍ତ୍ତମାନ, ବୋହୂ ଠାକୁରଙ୍କୁ ଦର୍ପଣ ଦେଖାଇଲା ମାତ୍ରେ ଠାକୁର ତାଙ୍କର ଚିତ୍ତାକର୍ଷକ ହସ ହସିଲେ । ଠାକୁର ସନ୍ତୁଷ୍ଟ ହୋଇ ସେବା ଗ୍ରହଣ କଲେ ବୋହୂ ସନ୍ତୁଷ୍ଟି ହେଲା । ଏହା ନିତିଦିନିଆ ନିୟମରେ ପରିଣତ ହେଲା । ଶାଶୁ କିଛି ଦିନ ପରେ ଆସିଲେ । ଶାଶୁ ଠାକୁରଙ୍କୁ କହିଲେ ଆପଣଙ୍କ ସେବାରେ ଯଦି ତ୍ରୁଟି ଥାଏ ତେବେ ମୋତେ କ୍ଷମା କରନ୍ତୁ, ମୁଁ ଆସିଛି, ମୁଁ ଯତ୍ନର ସହିତ ସେବା କରିବି । ଠାକୁର କହିଲେ ସେବାରେ କୌଣସି ଅଭାବ ନାହିଁ, କିନ୍ତୁ ଦର୍ପଣ ଦେଖାଇବା ସେବା କରିବେ ବୋହୂ… କାରଣ ତାଙ୍କର ସେଥିରେ ସନ୍ତୁଷ୍ଟି।

Leave A Reply

Your email address will not be published.