Latest Odisha News

BREAKING NEWS

ଅନୁବାଦ କବିତା : ପଟ୍ଟଭୂମି

ମୂଳ ବଙ୍ଗଳା: ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହ

ଖୁବ୍ ସୁନ୍ଦର ଭାବେ ରକ୍ତାକ୍ତ ହୁଅ
ତିକ୍ତତାରେ ଭାଙ୍ଗିପଡ଼ି ହୁଅ ଚୁରମାର
କାନ୍ଦି କାନ୍ଦି ହୁଅ ଅବସନ୍ନ
ତା’ନହେଲେ ତୁମେ କେବେବି ବୁଝିବ ନାହିଁ ବେଦନା କବିର ।

ଜନନୀ ଜନ୍ମ ଦେବାକୁ
ନିଜକୁ ପ୍ରସ୍ତୁତ କଲାପରି
ତୁମେ ଦାୟିତ୍ବ ନିଅ ନିର୍ମାଣର
କଠିନ ପରିଶ୍ରମ କର
କିଟ ପତଙ୍ଗ ଦ୍ଵାରା ସଂକ୍ରମିତ
ପରିବା ବଗିଚା ପରି
ତୁମେ ହୋଇଯାଅ ମନ୍ଥିତ ।

ତୁମକୁ ବିଦାରି ପକଉ ନଖ
ଦାନ୍ତର ତୀକ୍ଷ୍ମତା
ନହେଲେ ତୁମେ ବୁଝିବନି
କବିର ବ୍ୟଥା।

ତୁମର ସୌନ୍ଦର୍ଯ୍ଯ ଛିନ୍ନଭିନ୍ନ ହେଉ
ହେଉ ରିକ୍ତ, ବିପର୍ଯ୍ୟସ୍ତ
ଯନ୍ତ୍ରଣାର କରାଳ ମେଘ
ଆଚ୍ଛାଦିତ କରୁ ତୁମ ଆକାଶ
ଧସି ପଡ଼ୁ ସ୍ୱପ୍ନର ମାଦକତା
ପୋକ ଜୋକ ଦ୍ୱାରା ଆକ୍ରାନ୍ତ ହେଉ ଶସ୍ୟ
ଅନ୍ଧକାର ଗିଳି ପକାଉ ଯାବତୀୟ ଆଲୋକର ଫୁଲ
ନହେଲେ କେବେବି ତୁମେ ବୁଝିବନି
କବିର ସେ ବେଦନାର ମୂଲ।

ତୁମେ ଛିଡ଼ା ହୋଇଛ ଦକ୍ଷିଣପଟ ବାରଣ୍ଡାରେ
କି ସୁନ୍ଦର!
ତୁମକୁ ଛୁଇଁଯାଉଛି ସମୁଦ୍ରରୁ ଫେରୁଥିବା ପବନର ସ୍ନିଗ୍ଧତା
ସୂର୍ଯ୍ୟ ଲୋଟି ପଡ଼ୁଛି ତୁମର ସୁନେଲି ପାଦଦେଶରେ ।

ଫୁଲ ଫୁଟୁନାହିଁ
ପକ୍ଷୀମାନେ ଭୁଲି ଯାଉଛନ୍ତି
ଗୀତର କାକଳି, ବିସ୍ମୟରେ ।

ତୁମେ ଭାଙ୍ଗିପଡ଼
ଛିନ୍ନ ଭିନ୍ନ ହୁଅ, ଖୁବ୍ କାନ୍ଦ
ନହେଲେ ସୃଷ୍ଟି ହୋଇଯିବ ସ୍ତବ୍ଧ
ପ୍ରକୃତି ହରାଇଦେବ ତାର ଧାରାବାହିକତା
ଆଉ ଜଣେ କବି କେବଳ ତା’ର ଆକୁଳ ହାତରେ
ଏକାଠି କରୁଥିବ ଅଲିଖିତ
କ଼ୁମାରୀ କାଗଜର ଖାତା ।

ଅନୁବାଦ: ମନୋରଞ୍ଜନ ହୋତା

Leave A Reply

Your email address will not be published.