Latest Odisha News

BREAKING NEWS

ସାଉଦି ଆରବର ସ୍ଲିପିଂ ପ୍ରିନ୍ସଙ୍କ ଦେହାନ୍ତ; ୨୦ ବର୍ଷ ଧରି କୋମାରେ ଥିଲେ

ଦୁବାଇ: ସାଉଦି ଆରବର ସ୍ଲିପିଂ ପ୍ରିନ୍ସ ଭାବରେ ଜଣାଶୁଣା ଅଲ ୱାଲିଦ ବିନ୍ ଖାଲିଦଙ୍କ ୩୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କ ଜନ୍ମ ଏପ୍ରିଲ ୧୯୯୦ ମସିହାରେ ହୋଇଥିଲା। ତେବେ ସେ ଆରବର ରାଜପରିବାରର ସଦସ୍ୟ ପ୍ରିନ୍ସ ଖାଲିଦ ବିନ୍ ତଲାଲ ଅଲ ସୌଦଙ୍କ ବଡ଼ ପୁଅ ହେବା ସହ କୋଟିପତି ପ୍ରିନ୍ସ ଅଲ ୱାଲିଦ ବିନ୍ ତଲାଲଙ୍କ ଭଣଜା ମଧ୍ୟ।

ସେ ୧୫ ବର୍ଷ ବୟସରେ ଲଣ୍ଡନର ବ୍ରିଟେନରେ ଥିବା ଏକ ସାମରିକ କଲେଜରେ ପାଠ ପଢ଼ୁଥିବା ସମୟରେ ୨୦୦୫ ମସିହାରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ।ଯାହାଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଆଭ୍ୟନ୍ତରୀଣ ଅଂଶରେ ବହୁ ମାତ୍ରରେ ରକ୍ତସ୍ରାବ ହେବା ଫଳରେ ସେ ଗତ ୨୦ ବର୍ଷ ଧରି କୋମାରେ ରହି ଆସିଥିଲେ।

ତେବେ ଦୁର୍ଘଟଣା ପରେ ତାଙ୍କୁ ରିୟାଦର କିଙ୍ଗ ଅବଦୁଲାଜିଜ୍ ମେଡିକାଲ୍ ସିଟିକୁ ନିଆଯାଇ ସେଠାରେ ଲାଇଫ ସପୋର୍ଟ ସିଷ୍ଟମ ଦ୍ଵାରା ପ୍ରାୟ ଦୁଇ ଦଶନ୍ଧି ଧରି ଚିକିତ୍ସା କରାଯାଇଥିଲା।କେବଳ ଏତିକି ନୁହେଁ ଆମେରିକା ଏବଂ ସ୍ପେନର ବିଶେଷଜ୍ଞଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ଭାବରେ ତାଙ୍କର ଚେତା ଫେରି ଆସିପାରିନଥିଲା। ଏତେ ସମୟ ବିତି ଯାଇଥିଲେ ମଧ୍ୟ ତାଙ୍କ ବାପା ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖି ତାଙ୍କର ଚିକିତ୍ସା ଜାରି ରଖିଥିଲେ।

ତେବେ ତାଙ୍କ ମୃତ୍ୟୁ ପରେ ପ୍ରିନ୍ସ ଖାଲିଦ ଏକ ବିବୃତ୍ତିରେ କହିଛନ୍ତି ଯେ “ଆଲ୍ଲାହଙ୍କ ଉପରେ ବିଶ୍ୱାସ କରି ତାଙ୍କ ନିର୍ଦ୍ଦେଶ କୁ ମାନି ଦୁଃଖର ସହିତ ଆମ ପୁଅ ପ୍ରିନ୍ସ ଅଲ-ୱାଲିଦ ବିନ୍ ଖାଲିଦ ବିନ୍ ତଲାଲ ବିନ୍ ଅବଦୁଲାଜିଜ୍ ଅଲ୍ ସୌଦଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛୁ ଓ ତାଙ୍କ ଆତ୍ମାର ଶାନ୍ତି ପାଇଁ ଅଲ୍ଲାହଙ୍କ ପାଖରେ ପ୍ରାର୍ଥନା କରୁଛୁ।

 

Comments are closed.