Latest Odisha News

BREAKING NEWS

INDIA bloc’s Mega Rally: ‘ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ନାରାରେ ରାହୁଲଙ୍କ ରଣହୁଙ୍କାର! ନଭେମ୍ବର ୧ରେ ଦିଲ୍ଲୀରେ INDIA ବ୍ଲକ୍‌ର ମହାସମାବେଶ

ନୂଆଦିଲ୍ଲୀ: ‘ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’, ଏହି ନାରା ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣିଥରେ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଭୋଟ୍ ଚୋରି ଅଭିଯୋଗକୁ ନେଇ ସେ ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା INDIA ବ୍ଲକ୍‌ର ମହାସମାବେଶରେ ସାମିଲ ହେବାକୁ ଯୁବବର୍ଗଙ୍କଠାରୁ ଆରମ୍ଭ କରି ମହିଳା, କୃଷକ, ଶ୍ରମିକ ଓ ବ୍ୟବସାୟୀଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିସହିତ ଏହି ସମାବେଶରେ ଅତି କମ୍‌ରେ ୧୦ ଲକ୍ଷ ଲୋକ ଯୋଗ ଦେବେ ବୋଲି କଂଗ୍ରେସ ଆଶା ପ୍ରକାଶ କରିଛି। ଏଥିସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ଦାବି ଉଠାଇବ ଦଳ।

ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଅନୁସାରେ, ଦେଶରେ ଭୋଟର ତାଲିକାରୁ ଲୋକଙ୍କ ନାମ ବାଦ୍ ଦିଆଯାଉଛି ଏବଂ ନିୟମ ଓ ଆଇନର ଉଲ୍ଲଂଘନ କରାଯାଉଛି। ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ଲାଠିଚାର୍ଜର ସାମ୍ନା କରିବାକୁ ପଡ଼ୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ହିନ୍ଦୀ ଭାଷାରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି ଯେ, ଲୋକଙ୍କ ଭୋଟ୍ ଚୋରି କରାଯାଉଥିବା ଅଭିଯୋଗକୁ ଦେଶ ଆଉ ନୀରବରେ ସହ୍ୟ କରିବ ନାହିଁ। ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତଙ୍କୁ ଆଗକୁ ଆସିବାକୁ ପଡ଼ିବ ବୋଲି ସେ ଆହ୍ୱାନ ଦେଇଛନ୍ତି।

ଏହି ମହାସମାବେଶକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାରେ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ମଧ୍ୟ ଉତ୍ସାହର ସହ ପ୍ରଚାର କରୁଥିବା ନେଇ ରାହୁଲ ବ୍ୟଙ୍ଗାତ୍ମକ ଭାବେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀ, କୃଷକ, ଶ୍ରମିକ, ମହିଳା, ଯୁବକଯୁବତୀ ଓ ବ୍ୟବସାୟୀଙ୍କ ସମେତ ଗଣତନ୍ତ୍ରକୁ ଗୁରୁତ୍ୱ ଦେଉଥିବା ପ୍ରତ୍ୟେକ ନାଗରିକଙ୍କୁ ନଭେମ୍ବର ୧ରେ ଦିଲ୍ଲୀରେ ପହଞ୍ଚିବାକୁ କହିଛନ୍ତି। ତାଙ୍କ ମତରେ, ଭୋଟ୍ କେବଳ ଏକ ଅଧିକାର ନୁହେଁ, ବରଂ ଗଣତନ୍ତ୍ରର ମୂଳ ଆଧାର। ଏହାର ସୁରକ୍ଷା ପାଇଁ ଜନସାଧାରଣଙ୍କ ସକ୍ରିୟ ଭାଗିଦାରୀ ଆବଶ୍ୟକ।

ଭୋଟର ତାଲିକା, ଭୋଟ୍ ଦେବାର ଅଧିକାର ଓ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଦେଶରେ ରାଜନୈତିକ ବିତର୍କ ଜାରି ରହିଥିବା ବେଳେ INDIA ବ୍ଲକ୍‌ର ଏହି ମହାସମାବେଶ ଗୁରୁତ୍ୱ ବହନ କରୁଛି। ଏହି ସମାବେଶ ମାଧ୍ୟମରେ ବିରୋଧୀ ଦଳଗୁଡ଼ିକ ଭୋଟରଙ୍କ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଇବାକୁ ଯୋଜନା କରିଛନ୍ତି। ତେବେ ନଭେମ୍ବର ୧ର ଏହି ରାଲିରେ କେତେ ଲୋକ ସାମିଲ ହେବେ ଏବଂ ଏହାର ରାଜନୈତିକ ପ୍ରଭାବ କ’ଣ ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

 

Leave A Reply

Your email address will not be published.