ଶ୍ରାବଣ ସୋମବାରରେ ଭକ୍ତଙ୍କୁ ଖୋଜୁଛନ୍ତି ମହାଦେବ, ଶିବାଳୟ ଶୂନଶାନ
ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଆଜିର ଦିନରେ ଶିବାଳୟରେ ପ୍ରବଳ ଭିଡ଼ ହୁଏ । ବିଶେଷ କରି ବୋଲବମ୍ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳେ । ଗତବର୍ଷ ଭଳି ଏବର୍ଷ ବି କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣରେଖା ଟାଣିଛି । ଶ୍ରାବଣ ସୋମବାରରେ ଆଉ ଶୁଭୁନି ହର ହର ମହାଦେବ ଧ୍ୱନୀ ।
ଓମ୍ ନମଃ ଶିବାୟ ଧ୍ୱନୀରେ ପ୍ରକମ୍ପିତ ହେଉନି ମନ୍ଦିର ପରିସର । ନା ଭକ୍ତ ଭଗବାନଙ୍କୁ ପୂଜାର୍ଚ୍ଚନା କରି ମନର କଥା କହି ପାରୁଛି । ନା ଭଗବାନଙ୍କର ଭକ୍ତ ସହ ମିଳନ ହୋଇ ପାରୁଛି ।
ପ୍ରତିବର୍ଷ ଶ୍ରାବଣ ସୋମବାରରେ ଉଛୁଳି ପଡ଼େ ରାଜ୍ୟର ବିଭିନ୍ନ ଶୈବପୀଠ । ଏବର୍ଷ ଖାଁ ଖାଁ ପରିବେଶ । କେବଳ ନୀତିକାନ୍ତି କରାଯାଉଛି । ସର୍ବସାଧାରଣ ଦର୍ଶନ ମନା ।
ସୌଜନ୍ୟ: ସୋସିଆଲ୍ ମିଡିଆ
ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର, ଆଠଗଡ଼ର ଧବଳେଶ୍ୱର ପୀଠ, ଢେଙ୍କାନାଳ କପିଳାସ ସ୍ଥିତ ବାବା ଚନ୍ଦ୍ରଶେଖର, ନୟାଗଡ଼ର ବାବା ଲଡୁବାବା, ପୁରୀର ଲୋକନାଥ ମନ୍ଦିର ସମେତ ରାଜ୍ୟର ପ୍ରମୁଖ ଶୈବପୀଠରେ ଗହଳି ଚହଳି ନାହିଁ । ଭାବଭକ୍ତି ପରିବେଶ ଥିଲେ ବି ନାହାନ୍ତି ଭକ୍ତ ।
ତଥାପି କିଛି ଭକ୍ତ ମନ୍ଦିର ବାହାରୁ ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ମନ୍ଦିର ବାବାରେ ଜାଳିଛନ୍ତି ଭକ୍ତିର ଦୀପଟିଏ । କିଏ ପରିବାରର ସୁଖ ମନାସୀଛି ତ କେହି କେହି କରୋନା ରୂପୀ ରାକ୍ଷସର ଅନ୍ତ କାମନା କରିଛନ୍ତି । ଅପେକ୍ଷା କରିଛନ୍ତି ଆସନ୍ତାବର୍ଷ ସବୁ କିଛି ଠିକଠାକ ହୋଇଯିବ । ପୁଣି ଥରେ ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କରିବେ କାଉଡିଆ ।
Comments are closed.