ନୂଆଦିଲ୍ଲୀ: ବସନ୍ତ ପଞ୍ଚମୀରେ ଦେବୀ ସରସ୍ୱତୀଙ୍କ ପୂଜା ପାଳନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବସନ୍ତ ପଞ୍ଚମୀ ଦିନ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଧାର ଜିଲ୍ଲାର ବିବାଦୀୟ ଭୋଜଶାଳାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିବା ରିପୋର୍ଟରୁ ଜଣାପଡ଼ିଛି।
ଏଥିସହିତ ଅପରାହ୍ନ ୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶୁକ୍ରବାର ଦିନ ମୁସଲମାନ ମାନଙ୍କୁ ନମାଜ ପାଠ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି।
ଜାନୁଆରୀ ୨୩ ତାରିଖ ଶୁକ୍ରବାର ଦିନ ହିନ୍ଦୁ ଏବଂ ମୁସଲିମ ଉଭୟ ଧର୍ମର ଲୋକଙ୍କୁ ଭୋଜଶାଳାରେ ପୂଜା କରିବାକୁ ଅନୁମତି ଦିଆଯାଇଛି। ତେବେ ଏହି ସମୟରେ ପରିସ୍ଥିତିକୁ ନଜରରେ ରଖି ଭୋଜଶାଳା ସମ୍ମୁଖରେ ଶାନ୍ତି ବଜାୟ ରଖିବା ପାଇଁ ଧାର ଜିଲ୍ଲାରେ ୮,୦୦୦ରୁ ଅଧିକ ପୋଲିସ କର୍ମଚାରୀ ଏବଂ ଅଧିକାରୀଙ୍କୁ ନିୟୋଜିତ କରାଯିବ। ତେବେ ଏନେଇ ଇନ୍ଦୋର ରେଞ୍ଜ ଆଇଜି ଅନୁରାଗ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଆଇଜି ନୀଲୁ ଭଟ୍ଟାଚାର୍ଯ୍ୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବୁଧବାର ଭୋଜଶାଳାରେ ପହଞ୍ଚି ଯାଞ୍ଚ କରିଛନ୍ତି।
ଏହି ଅବସରରେ ଭୋଜଶାଳାକୁ ଛଅଟି ସେକ୍ଟରରେ ବିଭକ୍ତ କରାଯିବା ସହ ସେଠାରେ ୩୦୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। କେବଳ ଏତିକି ନୁହେଁ ସମଗ୍ର ସହର ଉପରେ ନଜର ରଖିବା ପାଇଁ ୭୦୦ଟି ସିସି କ୍ୟାମେରା ମଧ୍ୟ ଲଗାଯାଇଛି। “ଡ୍ରୋନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରି ଭିଡ଼ ଗତିବିଧି ଉପରେ ନଜର ରଖାଯିବ ଓ ଲୋକମାନଙ୍କ ଗତିବିଧି ବିଷୟରେ AI ସିଷ୍ଟମ ସୂଚନା ପ୍ରଦାନ କରିବ ବୋଲି ଆଇଜି ଅନୁରାଗ ସୂଚନା ଦେଇଛନ୍ତି।