Latest Odisha News

ନିର୍ଭୟା ଦୋଷୀକୁ ଝଟ୍‌କା, ସୁପ୍ରିମକୋର୍ଟରେ ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ମୁକେଶ ସିଂକୁ ଲାଗିଛି ଶକ୍ତ ଝଟ୍‌କା । ସୁପ୍ରିମକୋର୍ଟ ଆଜି ତା ଆବେଦନକୁ ଖାରଜ କରିଦେଇଛନ୍ତି । ଏହାପରେ ସେ ଫାଶୀ ପାଇବା ପକ୍କା ହୋଇଯାଇଛି । ତା ପାଇଁ ଆଇନର ସବୁ ଗଳାବାଟ ଏକପ୍ରକାର ବନ୍ଦ ହୋଇଯାଇଛି । ରାଜକ୍ଷମା ନମିିଳିବାରୁ ଏହାକୁ ଚ୍ୟାଲେଂଜ କରି ମୁକେଶ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ସୁପ୍ରିକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ବୁଧବାର ଶୁଣାଣି କରି ଏହି ଆବେଦନକୁ ଖାରଜ କରିଛନ୍ତି । ପୂର୍ବରୁ ଜାନୁଆରୀ ୧୭ରେ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଏହି ରାୟ ଆସିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ ଖୁସି ପ୍ରକାଶ କରିଛନ୍ତି । ଦୋଷୀମାନେ ବାରମ୍ବାର ଆଇନର ଗଳାବାଟ ଦେଇ ଖସିଯିବାକୁ ଉଦ୍ୟମ କରୁଥିବାରୁ ଏହାକୁ ଦୃଢ଼ ଭାବେ ନିର୍ଭୟାଙ୍କ ମାଆ ବିରୋଧ କରିଛନ୍ତି ।

ଏହା ବିରୋଧରେ ଦୃଢ଼ ଆଇନ ଆଣିବାକୁ ସେ ଦାବି କରିଛନ୍ତି । ସେପଟେ ଦୋଷୀ ମୁକେଶର ଓକିଲ ରାଜକ୍ଷମା ଆବେଦନ ଖାରଜ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀ ସରକାର ଖୋଦ କହିଛନ୍ତି ଯେ, ବିଜୁଳି ଗତିର ରାଜକ୍ଷମା ଆବେଦନ ଖାରଜ କରାଯାଇଛି ।

ଅନ୍ୟପଟେ ଫାଶୀରୁ ବଂଚିବା ପାଇଁ ଆଉ ଜଣେ ଦୋଷୀ ଅକ୍ଷୟ ସିଂହ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ଦୋଷୀ ବିନୟ କୁମାର ମଧ୍ୟ ଦୟା ଆବେଦନ କରିଛି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ୪ ଜଣ ଦୋଷୀଙ୍କୁ ଫେବୃଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.