ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ପେଗାସସ୍ ଜାସୁସି ମାମଲାରେ ଯାଞ୍ଚକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି । ଫରେନ୍ସିକ, IT ଓ ସାଇବର ଏକ୍ସପର୍ଟଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ବିଦେଶୀ ସଂସ୍ଥାଦ୍ବାରା ଦେଶର ନାଗରିକଙ୍କ ସର୍ଭେଲାନ୍ସ କରାଯିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ । କହିଛନ୍ତି, ବ୍ୟକ୍ତିଗତ ଗୋପନୀୟତାରେ ସରକାର ହସ୍ତକ୍ଷେପ କରିବେ ନାହିଁ । ଜାତୀୟ ସୁରକ୍ଷା ଆଳରେ ସରକାରଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇହେବ ନାହିଁ ବୋଲି କୋର୍ଟ କହିଛନ୍ତି ।
ଅନ୍ୟପଟେ ଦେଶରେ ଇସ୍ରାଏଲୀ ସ୍ପାଏଓ୍ବେର ବ୍ୟବହାର କରାଯାଇ ନଥିବା ନେଇ କେନ୍ଦ୍ର ପକ୍ଷରୁ ସତ୍ୟପାଠରେ କିଛି ସ୍ପଷ୍ଟ ଉଲ୍ଲେଖ କରାଯାଇନାହିଁ । ଯାହାଫଳରେ ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର.ଭି ରବୀନ୍ଦ୍ରନଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ୩ଜଣିଆ କମିଟିରେ ଆଲୋକ ଯୋଶୀ ଓ ସନ୍ଦୀପ ଓବରଏଙ୍କୁ ସାମିଲ କରାଯାଇଛି । ଏହି ଟିମ୍ ମାମଲାର ଯାଞ୍ଚ କରିବେ । ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏକ୍ସପର୍ଟ କମିଟିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଏନ.ଭି ରମଣା, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କ ବେଞ୍ଚ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି । ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ୧୫ରୁ ଅଧିକ ଆବେଦନକାରୀ ଆବେଦନ କରିଥିଲେ ।
Comments are closed.