ଭୁବନେଶ୍ୱର: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । ସେମାନେ ସେବା ମନଭାବ ରଖି ଏହି ପେଶାକୁ ଆଶିଥାନ୍ତି । ହେଲେ ବର୍ତ୍ତମାନ ଏହା କେବଳ ଲୋକକଥାରେ ହିଁ ସୀମିତ ରହିଯିବା ପରି ଲାଗୁଛି । ଆଜି ଜଣେ ଡାକ୍ତରଙ୍କ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏସସିବି ଆସୋସିଏଟ୍ ପ୍ରଫେସର ଡା. ସନାତନ ବେହେରା ।
ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଭାବେ କାମ କରନ୍ତି ଡା. ସନାତନ ବେହେରା । ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡିବସିଲା ଭିଜିଲାନ୍ସ । ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।
ସରକାରୀ କ୍ୱାର୍ଟର୍ସକୁ ସ୍କୁଟରରେ ଟଙ୍କା ନେଇ ଗଲା ବେଳେ ଧରିଲା ଭିଜିଲାନ୍ସ ଟିମ । କାଠଗୋଲା ସାହି-ମୋଡିକାଲ ରୋଡ୍ରେ କାବୁ କଲା ଭିଜିଲାନ୍ସ ଟିମ୍ । ଟ୍ରାପ ସହିତ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ତିନୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ ।