Latest Odisha News

BREAKING NEWS

୧୧, ୮୫୬ ମେଧାବୀଙ୍କୁ ୧୮ କୋଟିର ଡିଏମଏଫ ଛାତ୍ରବୃତ୍ତି ପ୍ରଦାନ

କେନ୍ଦୁଝର: ସ୍ଥାନୀୟ ଅଡିଟୋରିୟମ ଠାରେ ଶନିବାର ଡିଏମଏଫ୍(district mineral fund) ଛାତ୍ରବୃତ୍ତି-2023 ଆବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବର୍ଗରେ ମୋଟ ୧୧ ହଜାର ୮୬୫୬ ଜଣ ଛାତ୍ରଛାତ୍ରୀଙ୍କୁ ୧୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଅତିଥି ଶ୍ରୀ ମାର୍ଣ୍ଡି କହିଥିଲେ ଯେ ଯେଉଁ ଦେଶର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼, ସେ ଦେଶ ସେତେ ଆଗକୁ ଯିବ। ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାର ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଭରପୂର ପ୍ରୟାସ ଜାରି ରଖିଛନ୍ତି। ୫ଟି ଉପକ୍ରମରେ ସ୍କୁଲ ରୂପାନ୍ତରଣ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଶିକ୍ଷାଦାନ ପଦ୍ଧତିର ବ୍ୟବହାର ଯାଏଁ ଓଡ଼ିଶା ସରକାରଙ୍କ ବିଭିନ୍ନ ଐତିହାସିକ ନିଷ୍ପତ୍ତି ଆଜି ସୁଫଳ ଆଣିଛି। ଏ ଦିଗରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ସ୍ୱତନ୍ତ୍ର ଡିଏମଏଫ୍ ଛାତ୍ରବୃତ୍ତି ପ୍ରଦାନ କରାଯିବା ଏକ ପ୍ରଶଂସନୀୟ ଉଦ୍ୟମ।

ସେହିଭଳି ଜିଲ୍ଲାପାଳ ଶ୍ରୀ ଠାକରେ କହିଥିଲେ ଯେ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ିକରଣ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାରସବୁଠାରୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି। ସମାନ ପଥକୁ ଅନୁସରଣ କରି ଆମେ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟ ଜାରି ରଖିଛୁ। ସ୍କୁଲ ରୂପାନ୍ତରଣ ଠାରୁ ଆରମ୍ଭ କରି ଗୁଣାତ୍ମକ ଶିକ୍ଷାଦାନ,ମଧ୍ୟାନ୍ନ ଭୋଜନ ଏବଂ ସର୍ବୋପରି ଡିଏମଏଫ୍ ଛାତ୍ରବୃତ୍ତି ଏ ଦିଗରେ ଗୋଟିଏ ଗୋଟିଏ ମାଇଲଷ୍ଟୋନ୍। ଏହି ଅବସରରେ ଜିଲ୍ଲାପାଳ କେନ୍ଦୁଝର ଜିଲ୍ଲାର ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରବୃତ୍ତି ‘ଡିଏମଏଫ୍ ଅନନ୍ୟା’, ଜାତୀୟସ୍ତରର ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ‘ଡିଏମଏଫ୍ ଉତ୍କର୍ଷ’, ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଛାତ୍ରବୃତ୍ତି(ଏଚ୍ଏସ୍ଏସ୍)ରଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାନ୍ନ ଭୋଜନର ସମ୍ପ୍ରସାରଣ ଘୋଷଣା କରିଥିଲେ।

ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ମେଧାବୀ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଛାତ୍ରବୃତ୍ତି ରାଶି ସ୍ଥାନାନ୍ତରଣ ଏବଂ ଡିଏମଏଫ୍ ଛାତ୍ରବୃତ୍ତି ପ୍ରଦାନ ପାଇଁ ସ୍ୱତନ୍ତ୍ରପୋର୍ଟାଲ(scholarship.dmfkeonjhar.in)ର ଶୁଭାରମ୍ଭ ହୋଇଥିଲା। ସରକାରୀ ହାଇସ୍କୁଲରୁ ମାଟ୍ରିକ୍ ପରୀକ୍ଷାରେ ସଫଳତା ହାସଲ କରିଥିବା କେନ୍ଦୁଝର ଜିଲ୍ଲାର ୯, ୯୯୧  ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମୋଟ ୧୪,୪୭କୋଟି ଟଙ୍କାର ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଇଥିବା ବେଳେ ୧୩ ବ୍ଲକର ଟପର୍ ମୁଖ୍ୟ ଅତିଥିଙ୍କ ଠାରୁ ନିଜର ପ୍ରମାଣପତ୍ର ଗ୍ରହଣ କରିଥିଲେ।

ସେହିଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିବା ୩୮୯  ଜଣ ମେଧାବୀଙ୍କୁ ୭୩.୮୩ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଇଥିବା ବେଳେ ୧୧  ଜଣ ଛାତ୍ରଛାତ୍ରୀ ମୁଖ୍ୟ ଅତିଥିଙ୍କ ଠାରୁ ନିଜର ପ୍ରମାଣପତ୍ର ଗ୍ରହଣ କରିଥିଲେ। ସେହିଭଳି ଉଚ୍ଚ ମାଧ୍ୟମିକ ବର୍ଗରେ ୧୪୭୨ ଜଣ ମେଧାବୀଙ୍କୁ ମୋଟ ୩.୩୩କୋଟି ଟଙ୍କାର ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଇଥିବା ବେଳେ ୪ ଜଣ ଛାତ୍ରଛାତ୍ରୀ ମୁଖ୍ୟ ଅତିଥିଙ୍କ ଠାରୁ ନିଜର ପ୍ରମାଣପତ୍ର ଗ୍ରହଣ କରିଥିଲେ।

କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନିତିନ୍ କୁଶଲକର ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ପାଟଣା ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଏବଂ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ସର୍ବଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ  ଗୌରିରାଣୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କେନ୍ଦୁଝର, ଆନନ୍ଦପୁର ଏବଂ ଚମ୍ପୁଆର ଉପଜିଲ୍ଲାପାଳଗଣ ମଧ୍ୟ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ।

Comments are closed.