Latest Odisha News

BREAKING NEWS

ବେଲୁଚିସ୍ତାନରେ ସ୍କୁଲ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୪ ମୃତ, ୩୮ ଆହତ

କରାଚୀ: ପାକିସ୍ତାନର ବେଲୁଚିସ୍ତାନରେ ସ୍କୁଲ ବସ୍ ଉପରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ସ୍କୁଲ ବସ୍‌କୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ ବସ୍‌ରେ ଥିବା ଚାରି ଜଣ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୮ ଜଣ ଆହତ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ କାରରେ ଯାଉଥିବା ଜଣେ ଆତ୍ମଘାତୀ ଆକ୍ରମଣକାରୀ ବସ୍‌କୁ ଧକ୍କା ଦେଇଥିଲେ ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବସ୍‌ଟି ଜିରୋ ପଏଣ୍ଟ ନିକଟରେ ଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତମାନଙ୍କୁ କ୍ୱେଟା ଏବଂ କରାଚୀର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକବି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ପିଲାମାନଙ୍କୁ ଟାର୍ଗେଟ କରିଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ ।

ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ଶତ୍ରୁମାନେ ନିର୍ଦ୍ଦୋଷ ପିଲାମାନଙ୍କୁ ନିଜର ଶିକାର କରିଛନ୍ତି । ଏହି ଆକ୍ରମଣ ମାଧ୍ୟମରେ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି । ଦେଶର ଏକତାକୁ ଭାଙ୍ଗିବା ପାଇଁ ହେଉଥିବା ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ପଣ୍ଡ କରାଯିବ ।

ସୂଚନାଯୋଗ୍ୟ, ପାକିସ୍ତାନରେ ବେଲୁଚିସ୍ତାନକୁ ନେଇ ବହୁତ ଦିନ ହେଲା ଅରାଜକତା ଲାଗି ରହିଛି । ବଲୁଚ୍ ବିଦ୍ରୋହୀମାନେ ପାକିସ୍ତାନ ସେନା ଏବଂ ପୋଲିସକୁ ଟାର୍ଗେଟ କରିବା ଜାରି ରଖିଛନ୍ତି । ଅନ୍ୟପକ୍ଷରେ, ପାକିସ୍ତାନ ସେନା ମଧ୍ୟ ବଲୁଚ୍ ବିଦ୍ରୋହୀଙ୍କ ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହା ବ୍ୟତୀତ, ଏବେ ସିନ୍ଧ ରାଜ୍ୟକୁ ପାକିସ୍ତାନରୁ ଅଲଗା କରିବା ପାଇଁ ଦାବି ଉଠୁଛି । ସିନ୍ଧରେ ଅନେକ ପ୍ରତିବାଦକାରୀ ନିରନ୍ତର ପ୍ରତିବାଦ କରୁଛନ୍ତି ।

Comments are closed.