Latest Odisha News

ମୃତଦେହରେ ଭର୍ତ୍ତି ହେଲା ସ୍କୁଲ ଘର

ଭୁବନେଶ୍ୱର: ଘଟଣାକୁ ଦୁଇଦିନ ପୁରିଲାଣି । କିନ୍ତୁ ଏବେ ବି ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର କୋହରୁ କେହି ବର୍ତ୍ତି ପାରୁନାହାନ୍ତି । ଆତ୍ମୀୟସ୍ୱଜନ ହରାଇଥିବା ଲୋକଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ଏଭଳି ଅଭାବନୀୟ ଘଟଣା କେଉଁଠି ବି ନ ହେଉ ବୋଲି ଅନେକ ମତ ରଖିଛନ୍ତି । ଏସବୁ ଭିତରେ ଉଦ୍ଧାର କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିବା ବେଳେ ଟ୍ରେନ ଚଳାଚଳ ସ୍ୱଭାବିକ ହେବଳ ପାଇଁ ଉଦ୍ୟମ ଜାରି ରହିିଛି । ଏବେ ଦୁର୍ଘଟଣାରେ ମୃତଦେହଗୁଡ଼ିକ ପରିଚାଳନାକୁ ନେଇ ପ୍ରଶାସନ ଚାଲେଞ୍ଜର ସମ୍ମୁଖୀନ ହେଉଛି ।

ନିକଟସ୍ଥ ବାହାନାଗା ସ୍କୁଲ ଘର ଏବେ ପାଲଟିଯାଇଛି ମୁର୍ଦାଘର । ଯୁଆଡ଼େ ଚାହିଁବ କେବଳ ଶବ ଆଉ ଶବ । ପାଦଟିଏ ରଖିବା ପାଇଁ ମଧ୍ୟ ଆଉ ଜାଗା ଟିକିଏ ବି ନାହିଁ । ଆରମ୍ଭରୁ ମୃତଦେହ ଉଦ୍ଧାର ସମୟରେ ଏଭଳି ସ୍ଥିତି ଉପୁଜିବ ବୋଲି ଆଶା କରାଯାଉ ନ ଥିଲା । କିନ୍ତୁ ସମୟ ଗଡ଼ିବା ସହିତ ସ୍କୁଲ ଗୃହଗୁଡ଼ିକ ମୃତଦେହରେ ଭର୍ତ୍ତି ହେବାରେ ଲାଗିଲା । ଆଉ ୨୮୮ ମୃତଦେହ ଯେତେବେଳେ ଏହି ସ୍କୁଲ ଘର ପାଖକୁ ଅଣାଗଲା ସେତେବେଳେ ଅଭାବନୀୟ ସ୍ଥିତି ସାମ୍ନାକୁ ଆସିଲା । ଧୀରେ ଧୀରେ ମୃତଦେହଗୁଡ଼ିକ ପଚିବା ଆରମ୍ଭ କରିଥିବା ବେଳେ ଏପଟେ ଶବ ଚିହ୍ନଟ ଓ ଆତ୍ମୀୟସ୍ୱଜନଙ୍କୁ ମୃତଦେହ ହସ୍ତାନ୍ତର ହୋଇ ପାରି ନ ଥିଲା । କେତେକ ମୃତଦେହ ଏଭଳି ଭାବେ ଉଦ୍ଧାର କରାଯାଇଥିଲା ଯାହାକି ଘର ଲୋକଙ୍କ ପକ୍ଷେ ଚିହ୍ନଟ କରିବା ସହଜ ନ ଥିଲା । ଏବେ ଉଦ୍ଧାର କାର୍ଯ୍ୟ ସରିଥିବାରୁ ସ୍କୁଲଘରଗୁଡ଼ିକରେ ମୃତଦେହ ହଟାଇବା ଓ ଆତ୍ମୀୟଙ୍କୁ ମୃତଦେହ ହସ୍ତାନ୍ତର କରିବାକୁ ପ୍ରାଥମିକତା ଦିଆଯାଉଛି ।

Leave A Reply

Your email address will not be published.