ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳର ଜଣେ ସ୍କୁଲ ଶିକ୍ଷୟିତ୍ରୀ ବୁଧବାର ଦିନ ଥାନାରେ ସେହି ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ।
ଜଠିଆ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରତିକାନ୍ତ ଜେନା ସେହି ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଗତ ୯ ମାସ ଧରି ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ ।
ପୀଡ଼ିତା ଶିକ୍ଷୟିତ୍ରୀ ଜଣକ ୨୦୦୩ ମସିହାରୁ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରିଆସୁଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ତାଙ୍କର ବିନା ଅନୁମତିରେ ମୋବାଇଲ୍ ଦ୍ୱାରା ବିଭିନ୍ନ ସମୟର ଅନେକ ଫଟୋ ଉଠାଇ ରଖିଥିଲେ । ଗତ ୯ ମାସ ଧରି ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ଆଳରେ ତାଙ୍କର ଅଙ୍ଗକୁ ସ୍ପର୍ଶ କରିଚାଲିଥିଲେ । ଏହି ଘଟଣା ସମ୍ପର୍କରେ ବାହାରେ ପ୍ରକାଶ ନ’କରିବାକୁ ପ୍ରଧାନଶିକ୍ଷକ ପୀଡ଼ିତାଙ୍କୁ ବାରମ୍ବାର ଧମକ ଚମକ ମଧ୍ୟ ଦେଉଥିଲେ ।
ପ୍ରଧାନଶିକ୍ଷକଙ୍କ ଏହି ଯୌନ ନିର୍ଯ୍ୟାତନା ବିରୋଧରେ ପୀଡ଼ିତା ଶିକ୍ଷୟିତ୍ରୀ ଜଣକ ଡ଼ିଇଓ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ କାର୍ଯ୍ୟକଳାପ ବନ୍ଦ ହୋଇନଥିଲା । ଉତ୍ପୀଡ଼ନ ଅଧିକ ହେବାରୁ ଆଉ ଡ଼େରି ନକରି ଶିକ୍ଷୟିତ୍ରୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିବାକୁ ବାଧ୍ୟ ହୋଇଥିଲେ ।
ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ରୀ ଜେନାଙ୍କ ବିରୋଧରେ ବାଲିଆପାଳ ଥାନାରେ ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିଥିଲେ ଏବଂ ଯଦି ଦୋଷୀକୁ ଦଣ୍ଡ ବିଧାନ ନ’କରାଯାଏ ତେବେ ସେ ଆତ୍ମହତ୍ୟା କରିବେ ।
ଇତିମଧ୍ୟରେ, ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବାଲେଶ୍ୱର ଡ଼ିଇଓଙ୍କୁ ଏହି ଘଟଣାର ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହିତ ଏହା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
Comments are closed.