Latest Odisha News

BREAKING NEWS

ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ନିଲମ୍ବିତ ହେଲେ ଶିକ୍ଷକ

ଇନ୍ଦୋର: ମହଙ୍ଗା ପଡ଼ିଲା ରାହୁଲ ଗାନ୍ଧୀ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା। ନିଲମ୍ବିତ ହେଲେ ଶିକ୍ଷକ। ମଧ୍ୟପ୍ରଦେଶ ସରକାର ଏହି ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ସରକାରୀ ଚାକିରିଆ ହୋଇ ରାଜନୈତିକ ରାଲିରେ ସାମିଲ ହୋଇଥିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମଧ୍ୟପ୍ରଦେଶର ବରଓ୍ୱାନି ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଥିଲେ ସରକାରୀ ସ୍କୁଲ ଶିକ୍ଷକ ରାଜେଶ କନ୍ନୋଜ। ତାଙ୍କର ନିଲମ୍ବନ ଆଦେଶ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି।

ସର୍ଭିସ କଣ୍ଡକ୍ଟ ନିୟମ ଉଲ୍ଲଘଂନ କରିବା ଏବଂ ଏକ ରାଜନୈତିକ ରାଲିରେ ଯୋଗଦେବା ଅଭିଯୋଗରେ ଶ୍ରୀ କନ୍ନୋଜଙ୍କୁ ନିଲମ୍ବନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା କାମ ଅଛି କହି ସଂପୃକ୍ତ ଶିକ୍ଷକ ଛୁଟି ନେଇଥିଲେ। ହେଲେ ସେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଥିଲେ ବୋଲି ଆଦିବାସୀ ବ୍ୟାପାର ବିଭାଗର ସହକାରୀ କମିଶନର ଏନ୍ଏସ୍ ରଘୁବଂଶୀ କହିଛନ୍ତି। ରାଜେଶ ଯେଉଁ ସ୍କୁଲରେ ଚାକିରି କରିଛନ୍ତି ତାହା ଆଦିବାସୀ ବ୍ୟାପାର ବିଭାଗ ଅଧୀନରେ ରହିଛି। ଏହି ନିର୍ଦ୍ଦେଶ ଅନୁସାରେ କନ୍ନୋଜ ନଭେମ୍ବର ୨୪ ତାରିଖରେ ଏକ ରାଜନୈତିକ ଦଳ ଦ୍ୱାରା ବାହାର କରାଯାଉଥିବା ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇ ସେବା ଆଚରଣ ନିୟମର ଉଲ୍ଲଙ୍ଘନ କରିଛନ୍ତି। ପରେ ନଭେମ୍ବର ୨୫ ତାରିଖରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମଧ୍ୟପ୍ରଦେଶ କଂଗ୍ରେସର ସଭାପତି କେ. କେ. ମିଶ୍ର ଟ୍ୱିଟ୍ କରି କହିଛନ୍ତି ଯେ ଶିବରାଜ ସିଂହ ଚୌହାନ ସରକାର କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆରଏସଏସ)ର ଶାଖାରେ ଭାଗ ନେବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଜଣେ ଆଦିବାସୀଙ୍କୁ ନିଲମ୍ବନ କରନ୍ତି। ଯେତେବେଳେ କି ରାହୁଲଙ୍କ ରାଲି ଅଣ ରାଜନୈତିକ ବୋଲି ମିଶ୍ର ଦାବି କରିଛନ୍ତି। ନଭେମ୍ବର ୨୩ରେ ମଧ୍ୟପ୍ରଦେଶରେ ପହଞ୍ଚିଥିବା ଏହି ଯାତ୍ରା ରବିବାର ରାଜସ୍ଥାନରେ ପ୍ରବେଶ କରିବ।

Leave A Reply

Your email address will not be published.