Latest Odisha News

BREAKING NEWS

ବାଲେଶ୍ବରରେ କର୍ଫ୍ୟୁ ବଳବତ୍ତର; ଆଉ ଦୁଇ ଦିନ ବନ୍ଦ ରହିବ ସ୍କୁଲ ଓ କଲେଜ

ବାଲେଶ୍ବର: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ନେଇ ଦୁଇ ଦିନ ହେବ ଜାରି ରହିଛି କର୍ଫ୍ୟୁ । ଏହାକୁ ଦୃଷ୍ଟିରେ ରଖି ଆଉ ୨ ଦିନ ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସେହିପରି ଆସନ୍ତାକାଲି ସକାଳ ୭ଟାରୁ ୧୧ଟା ଯାଏଁ ଚାରି ଘଣ୍ଟା ଧରି କର୍ଫ୍ୟୁ କୋହଳ କରାଯାଇଛି ।

ସହରରେ ଏବେ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଥିବା ବେଳେ ଗୋଷ୍ଠୀ ବିବାଦ ସମାଧାନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏନେଇ ପୁଣି ସାମ୍ପ୍ରତିକ ପରିସ୍ଥିତି ଉପରେ ଅନୁଧ୍ୟାନ କରାଯାଇ କର୍ଫ୍ୟୁ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ, କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଗୋଷ୍ଠୀ ବିବାଦ ଜନିତ ହିଂସାକାଣ୍ଡ ଓ ଭଙ୍ଗାରୁଜାକୁ ନେଇ ରୁଜୁ ହୋଇଥିବା ୧୫ଟି ମାମଲାରେ ମୋଟ ୫୦ରୁ ଉର୍ଦ୍ଧ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ, ସୋମବାର ଟାଉନ ଥାନା ଅଧିନ ସୁନହାଟ ଅଞ୍ଚଳରେ ଏକ ନାଳରେ ରକ୍ତ ଭାସୁଥିବା କିଛି ଲୋକ ଦେଖିଥିଲେ । ରକ୍ତ କେଉଁଠୁ ଆସିଲା କିପରି ଆସିଲାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ତାହା ଗଣ୍ଡଗୋଳର ରୂପ ନେଇଥିଲା । ଟେକା ପଥର ମାଡ଼ରେ ୫ରୁ ଊର୍ଦ୍ଧ୍ଵ ଆହତ ହୋଇଥିବା ବେଳେ ପୋଲିସ କର୍ମଚାରୀ ଏବଂ ଏସପି ମଧ୍ୟ ଆହତ ହୋଇଥିଲେ । ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ୧୪୪ ଧାରା ଜାରି କରିଥିଲା ।

Comments are closed.