ଲକ୍ଷ୍ନୌ: ଉତ୍ତରପ୍ରଦେଶ ଜାମା ମସଜିଦରେ ସର୍ଭେ ସମୟରେ ହିଂସାକାଣ୍ଡ। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୩୦ରୁ ଉର୍ଦ୍ଧ୍ୱ ଲୋକେ ଆହତ ହୋଇଛନ୍ତି। ସେହିମଧ୍ୟରୁ ୨୦ ଜଣ ପୋଲିସ କର୍ମଚାରୀ ସାମିଲ ଅଛନ୍ତି। ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଛି। ହିଂସାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି, ନିଷେଧାଦେଶ ଜାରି କରିଛନ୍ତି। ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିଛନ୍ତି।
ସ୍ଥିତି ନ ସୁଧୁରିବା ଯାଏଁ ସମସ୍ତ ସେବା ବନ୍ଦ ରଖାଯିବା ନେଇ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ(ଏସପି) ସୂଚନା ଦେଇଛନ୍ତି।
ମୋଗଲମାନେ ଏକ ମନ୍ଦିର ଭାଙ୍ଗିବା ପରେ ମସଜିଦ ନିର୍ମାଣ କରାଯାଇଥିବା ଅଭିଯୋଗର ଉତ୍ତରରେ ଜାରି କରାଯାଇଥିବା କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ସର୍ଭେ କରାଯାଇଥିଲା।
ପୋଲିସ ସୂଚନା ଅନୁଯାୟୀ ଦୁଇ ମହିଳାଙ୍କ ସମେତ କିଛି ଲୋକଙ୍କୁ ଗିରଫ କରାଯାଇଛି। ମହିଳାମାନେ ଛାତ ଉପରୁ ପଥରମାଡ଼ କରିଥିଲେ। ସ୍ଥାନୀୟ ଏସଆଇ କହିଛନ୍ତି ଯେ, ଘଟଣାସ୍ଥଳରେ ପ୍ରାୟ ୩୦୦ ଲୋକେ ଜମା ହୋଇଥିଲେ, ସେମାନଙ୍କ ପଛରେ ମଧ୍ୟ ଅନେକ ଲୋକ ଥିଲେ। ଏହି ଲୋକମାନେ ପୋଲିସକୁ ଟାର୍ଗେଟ କରିଥିଲେ। ଏଥିରେ ଏସଆଇ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶନିବାର ସକାଳେ ହାଇକୋର୍ଟଙ୍କ ଆଦେଶ ପରେ ଏକ ଟିମ୍ ଜାମା ମସଜିଦ ସର୍ଭେ କରିବାକୁ ଆସିଥିଲେ। ଏତିକି ବେଳେ ସ୍ଥାନୀୟ ଲୋକେ ପଥରମାଡ ଆରମ୍ଭ କରିଦେଇଥିଲେ, ଯାହାପରେ ପୋଲିସ ଲୁହବୁହା ଗ୍ୟାସ ମାଡ଼ କରିଥିଲା।
ଏହାପରେ ପ୍ରଦର୍ଶନକାରୀମାନେ କିଛି ସ୍ଥାନରେ ନିଆଁ ଲଗାଇ ପ୍ରତିବାଦ କରିଥିଲେ। ଏହି ସମୟରେ ପୋଲିସ ସହିତ ହିଂସାରେ ଏସପି ସମେତ ଅନେକ ପୋଲିସ ଅଧିକାରୀ ଆହତ ହୋଇଥିଲେ। ଏହି ଘଟଣାରେ ଏସପି କହିଛନ୍ତି, ପଥରମାଡ଼ କରୁଥିବା ଲୋକମାନେ ପୋଲିସ ଗାଡ଼ିରେ ନିଆଁ ଲଗାଇ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ବିରୋଧରେ ଏନଏସଏ ଲଗାଇ କାର୍ଯ୍ୟାନୁଷ୍ଠାନ କରାଯିବ। ଡ୍ରୋନ୍ ସାହାଯ୍ୟରେ ଘଟଣାର ଭିଡିଓଗ୍ରାଫି କରାଯାଇଛି। ଏଥିସହିତ ସିସିଟିଭି ସାହାଯ୍ୟରେ ସମସ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।