Latest Odisha News

ବିଷ ବଳୟରେ ଦିଲ୍ଲୀ: ଆଗାମୀ ନିର୍ଦ୍ଦେଶ ଯାଏ ରାଜଧାନୀରେ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ପ୍ରଦୂଷଣ ଲୋକଙ୍କୁ ହନ୍ତସନ୍ତ କରୁଛି । ବିଷ ବଳୟରେ ଦିଲ୍ଲୀ । ଚାରିଆଡ଼େ ଧୂଆଁମୟ ପରିବେଶ । ରାଜଧାନୀବାସୀ ଅଣନିଶ୍ୱାସୀ ହୋଇ ଗଲେଣି । ଗତ ସପ୍ତାହେ ହେବ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣରେ ଆଣିବା ପାଇଁ ସରକାର ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଦିଲ୍ଲୀ ଏମସିଆରରେ ସ୍କୁଲ, କଲେଜ ସମେତ ସବୁ ଶିକ୍ଷାନୁଷ୍ଠାକୁ ବନ୍ଦ କରି ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରହିବ । ଏହି ନିର୍ଦ୍ଦେଶ ଦେଇଛି କମିଶନର ଫର୍ ଏୟାର କ୍ୱାଲିଟି ମନିଟରିଂ ବା CAQM । ଗତକାଲି CAQM ଦିଲ୍ଲୀ, ପଞ୍ଜାବ, ହରାୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ରାଜସ୍ଥାନ ସହ ବୈଠକରେ ବାୟୁ ପ୍ରଦୂଷଣ ନେଇ ବିଚାରବିମର୍ଶ ପରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
୧. ଓ୍ୱାର୍କ ଫ୍ରମ୍ ହୋମ୍
ନଭେମ୍ବର ୨୧ ତାରିଖ ଯାଏ ଦିଲ୍ଲୀ ଏନସିଆରରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ୍ ହୋମ୍ ମୋଡରେ କାମ କରିବାକୁ କୁହାଯାଇଛି । ସରକାରୀ ଓ ବେସରକାରୀ ଅଫିସ କର୍ମଚାରୀ ଓ୍ୱାର୍କ ଫ୍ରମ୍ ହୋମ୍ କରିବେ ।

୨. ଟ୍ରକ ଏଣ୍ଟ୍ରି ଉପରେ ରୋକ
ଗାଡ଼ିମୋଟର ଯୋଗୁ ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରାକର । ନଭେମ୍ବର ୨୧ ଯାଏ ଦିଲ୍ଲୀକୁ ଟ୍ରକ ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଜାରି ହୋଇଛି । କେବଳ ଜରୁରୀ ସାମଗ୍ରୀ ଆଣୁଥିବା ଟ୍ରକକୁ ମିଳିବ ପ୍ରବେଶ ଅନୁମତି ।
୩. ନିର୍ମାଣ କାମ ଉପରେ ବ୍ୟାନ୍
ନଭେମ୍ବର ୨୧ ଯାଏ ଦିଲ୍ଲୀରେ ନିର୍ମାଣ କାମ ଉପରେ ବ୍ୟାନ୍ ଲାଗିଛି । କେବଳ ରେଲଓ୍ୱେ, ମେଟ୍ରୋ, ଏୟାରପୋର୍ଟ, ଇଣ୍ଟରଷ୍ଟେଟ୍ ବସ୍ ଟର୍ମିନାଲ୍, ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କିତ ନିର୍ମାଣ କାମ କେବଳ ଜାରି ରହିବ ।

୪. ପାଓ୍ୱାର ପ୍ଲାଣ୍ଟ ବନ୍ଦ
ରାଜଧାନୀ ଦିଲ୍ଲୀର ୩୦୦ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଥିବା ୧୧ଟି ପାଓ୍ୱାର ପ୍ଲାଣ୍ଟରୁ ଏବେ କେବଳ ୫ଟି କାର୍ୟ୍ୟକ୍ଷମ ହେବ । ବାକି ୬ଟି ପାଓ୍ୱାର ପ୍ଲାଣ୍ଟକୁ ନଭେମ୍ବର ୩୦ ଯାଏ ବନ୍ଦ କରାଯାଇଛି ।

Comments are closed.